ଭୁବନେଶ୍ୱର : ଲଘୁ ବନଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ମହୁଲ ଫୁଲ ଅନ୍ୟତମ । ଏହା ଜନଜାତି ଗୋଷ୍ଠୀମାନଙ୍କର ସଂସ୍କୃତି ଓ ଖାଦ୍ୟ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ଓ ଅର୍ଥନୀତିକୁ ଏହା ପ୍ରଭାବିତ କରିବା ସହିତ ସମୃଦ୍ଧ କରିଆସିଛି ।
ବିଜ୍ଞାନସମ୍ମତ ନିରନ୍ତର ଅମଳ ପ୍ରକ୍ରିୟାର ଅବଲମ୍ବନରେ ତଥା କାରିଗରୀ ବିଦ୍ୟାର ସଠିକ୍ ଉପଯୋଗରେ ଏହି ମହୁଲ ଫୁଲର ଖାଦ୍ୟ ପ୍ରକ୍ରିୟାକରଣକୁ ମୂଲ୍ୟଯୁକ୍ତ କରାଯାଇପାରିଲେ ଏହା ଜନଜାତି ପରିବାରଙ୍କ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିପାରିବ ।
ଏହି ପରିପ୍ରେକ୍ଷୀରେ ଜନଜାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ମହୁଲ ଫୁଲ ସଂଗ୍ରହକାରୀମାନଙ୍କୁ ମହୁଲ ଫୁଲର ଉନ୍ନତ ପ୍ରକ୍ରିୟାକରଣ ଦିଗରେ ଉଦ୍ୟୋଗୀ କରି ସେମାନଙ୍କର ଅର୍ଥନୀତିକୁ ଅଗ୍ରଗାମୀ କରାଇବା ଦିଗରେ ଜୁଲାଇ ୨୫ ତାରିଖଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍ସିଏସ୍ଟିଆର୍ଟିଆଇ) ତଥା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ପ୍ରକ୍ରିୟାକରଣ ଓ ଖାଦ୍ୟ ପ୍ରଯୁକ୍ତି ବିଜ୍ଞାନ ବିଭାଗ ତଥା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଆଜାଦି କି ଅମି୍ରତ ମହୋତ୍ସବ ଅବସରରେ ମହୁଲର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ବିଷୟରେ ତାଲିମର ଆୟୋଜନ କରାଯାଇଛି ।
ଏହି ତାଲିମ କାର୍ଯ୍ୟକ୍ରମରେ ୩ଟି ପର୍ଯ୍ୟାୟରେ ପ୍ରାୟ ୧୦୦ ଜନଜାତି ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ ଓ ପ୍ରତ୍ୟେକ ପର୍ଯ୍ୟାୟର ଅବଧି ୩ ଦିନ ରହିବ । ପର୍ଯ୍ୟାୟ କ୍ରମେ ତାଲିମ ସୂଚୀ ୨୫ରୁ ୨୭ ଜୁଲାଇ, ୨୮ରୁ ୩୦ ଜୁଲାଇ ଓ ୨ରୁ ୪ ଅଗଷ୍ଟ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜନଜାତି ବହୁଳ ଜିଲ୍ଲାମାନଙ୍କରୁ ଜନଜାତି ମହିଳାମାନେ ଅଂଶଗ୍ରହଣ କରିଛନ୍ତି ।
ଆଜି ପ୍ରଥମ ପର୍ଯ୍ୟାୟରେ ତାଲିମର ଉଦ୍ଘାଟନୀ ଉତ୍ସବରେ ଏସ୍ସିଏସ୍ଟିଆର୍ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ଡ. ଅଖିଳ ବିହାରୀ ଓତା, ଓୟୁଏଟିର ଡିନ୍ ଡ. ସଂଜୟ କୁମାର ଦାସ, ଓୟୁଏଟି-ସିଏଇଟିର ବିଭାଗୀୟ ମୁଖ୍ୟ ଡ. କଳ୍ପନା ରାୟଗୁରୁ ତଥା ଉଭୟ ଅନୁଷ୍ଠାନର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।