Home News in Odia ମହିଳା ସୁରକ୍ଷା ପ୍ରସଙ୍ଗରେ ଘେରିଲା କଂଗ୍ରେସ

ମହିଳା ସୁରକ୍ଷା ପ୍ରସଙ୍ଗରେ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ବିପଦଜନ୍ନକ ସ୍ଥିତିରେ ରହିଛି । ଗୋଟିକ ପରେ ଗୋଟିଏ ମହିଳା ହିଂସା ଡବଲ ଇଞ୍ଜିନ ସରକାରର ମୁଖା ଖୋଲିଦେଇଛି । ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି ।

ଗତ ଆଠ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସରକାରଙ୍କ ଆଇନଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି । ସୁଭଦ୍ରା ଯୋଜନା ଟଙ୍କା ବାଂଟି ମହିଳାଙ୍କ ମସିହା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହିଛି । ବାଲେଶ୍ୱରର ସୋର, ଢ଼େଙ୍କାନାଳ,ସମ୍ବଲପୁର, ରାଉରକେଲା, ବଲାଙ୍ଗୀରର ଖଇରାପାଲ୍ଲି, କୋରାପୁଟରର ଲକ୍ଷ୍ମୀପୁର, ଭଦ୍ରକର ବେତଡ଼ା, ଦେଓଗଡ଼ ଓ ବରଗଡ଼ରେ ଧନୁଯାତ୍ରା ସମୟରେ ମହିଳାମାନଙ୍କ ପ୍ରତି ଗଣବଳାତ୍କାର ଘଟଣା ରାଜ୍ୟବାସୀଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି ।

ଯେଉଁ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା’ ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି ବୋଲି ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କହିଛନ୍ତି । ସ୍କୁଲରେ ନାବାଳିକା ଗର୍ଭବତି ହେବା ଓ ସନ୍ତାନ ପ୍ରସବ କଲାଭଳି ଘଟଣା ମୋହନ ସରକାରଙ୍କ ଶାସନର ବିଫଳତାକୁ ପ୍ରମାଣିତ କରୁଛି । ଚିତ୍ରକୋଣ୍ଡା, ଚମ୍ପୁଆ, ବରି, ଲକ୍ଷ୍ମିପୁର ଅଂଚଳରେ ଏଭଳି ସାଂଘାତିକ ଘଟଣା ଦୃଷ୍ଟିକୁ ଆସିଛି । ବେଟି ପଢ଼ିବାକୁ ଯାଇ ଏଭଳି ଅମାନୁଷିକ ଭାବେ ନିର୍ଯ୍ୟାତିତ ହେବା ମୋହନ ସରକାରଙ୍କୁ କାଠଗଡ଼଼ାରେ ଛିଡ଼ା କରିଛି ।

ଏହା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଧସ୍ତାଧ୍ୱସ୍ତି ହୋଇଛି । ରାଜ୍ୟରେ ଏଭଳି ବେଭିଚାର ଶାସନ ବିରୁଦ୍ଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ତାର ପ୍ରତିବାଦ ଜାରି ରଖିବ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଓ ନ୍ୟାୟ ଦେବାପାଇଁ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ତାର ଆନ୍ଦୋଳନକୁ ଅଧିକ ତୀବ୍ରତର କରିବବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ।

ଏଭଳିକି ଅନେକ ନାରୀ ହତ୍ୟା ମାମଲା ସହ ନାବାଳିକା ଦୁଷ୍କର୍ମ, ଯୌତୁକ ନିର୍ଯ୍ୟାତନା, ଯୁବତୀ ଚାଳାଣ, କ୍ୟାନଭୃଣ ହତ୍ୟା ଭଳି ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି । ଏଭଳି ଘଟଣା ପ୍ରତିଦିନ ଘଟୁଥିଲେ ମଧ୍ୟ ରାଜ୍ୟରେ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ଶିଥିଳ କାହିଁକି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି । ଏସବୁ ସଂଗୀନ ଘଟଣାକୁ ଜାଣିଲାପରେ ପୋଲିସ ପ୍ରଶାସନ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟ୍ରାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବାସହିତ କୋଠର ଦଣ୍ଡବିଧାନ କରିବା କଥା କିନ୍ତୁ ଦୋଷୀ ବେଫିକର ହୋଇ ରାଜ୍ୟରେ ବୁଲୁଛନ୍ତି । ତେଣୁ ଅପରାଧି ଭୟଶୂନ୍ୟ ହୋଇଯାଇଛନ୍ତି ।

ଡବଲ ଇଞ୍ଜିନ ସରକାର ସମୟରେ ରାଜ୍ୟର ଅପରାଧ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ଓଡ଼ିଶା ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣତି ହେବାକୁ ବସିଲାଣି । ବେଳ ଥାଉ ଥାଉ ସରକାର ଯଦି କୋଠର କାର୍ଯ୍ୟାନୁଷ୍ଠାନ ନଗ୍ରହଣ କରନ୍ତି ଏବଂ ମହିଳା ମାନଙ୍କର ସୁରକ୍ଷାକୁ ପ୍ରାଥମିକତା ନଦିଅନ୍ତି ତାହାଲେ ରାଜ୍ୟ କଂଗ୍ରେସ ଏ ସରକାରକୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।