ଭୁବନେଶ୍ୱର : ମହିଳା ସୁବାହକଙ୍କୁ ସମ୍ମାନିତ କରିଛି ରାଜ୍ୟ ପରିବହନ ପ୍ରାଧିକରଣ । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୁଟରେ ସାରଥୀ ଭାବରେ କାର୍ଯ୍ୟରତ30 ମହିଳା ସୁବାହକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ । ଏହି ଅବସରରେ ଶ୍ରୀମତୀ ପାଢ଼ୀ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ଓ ସଡ଼କ ସୁରକ୍ଷାର ସାରଥୀ ଭାବରେ ଭୂୟସୀପ୍ରଶଂସା କରିଥିଲେ । ମହିଳା ସୁବାହକମାନେ ମଧ୍ୟ ସେମାନଙ୍କ ଅଭିଜ୍ଞତା, ସଙ୍ଘର୍ଷ, ସଫଳତାର କଥାରଖିଥିଲେ । ଯାହା ବେଶ୍ ହୃଦୟସ୍ପର୍ଶୀ ଥିଲା ।
ସରକାରଙ୍କ ଦ୍ୱାରା ରାଜ୍ୟର ଛତିଆ, ପାଲୁର, କେନ୍ଦୁଝର ଓ ବଣାଇରେ ନିଃଶୁଳ୍କ ଯାନ ଚାଳନା ତାଲିମ କେନ୍ଦ୍ର ରହିଛି । ଏଠାରେ କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ସଫଳତାର ସହ ଯାନ ଚାଳନା ତାଲିମ ନେଇ ନିଜକୁ ସୁବାହକ ଭାବରେ ପ୍ରତିଷ୍ଠିତ କରୁଛନ୍ତି । ସେମାନଙ୍କ ସଙ୍ଘର୍ଷକୁ ସମ୍ମାନ ଦେବା ଓ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଥିଲେ, ମହିଳା ସୁବାହକମାନଙ୍କ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ।
ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସୁବାହକ ଯୋଜନା ଏଥିମଧ୍ୟରୁ ଅନ୍ୟତମ । ଏଥିରେ କେବଳ ଯାନ ଚାଳନା ତାଲିମ ଦିଆଯାଉଛି ତାହା ନୁହେଁ, ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି। ସଡ଼କ ସୁରକ୍ଷାର ସାରଥୀ ଭାବରେ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ମହିଳା ସୁବାହକମାନେ ବିଶେଷ ଭୂମିକା ଗ୍ରହଣ କରିପାରିବେ । ଆଗକୁ ଆମ ବସ୍, ମୁଖ୍ୟମନ୍ତ୍ରୀ ବସ୍ ସେବା ଆଦିରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ଦିଗରେ ସରକାର ପ୍ରୟାସ କରୁଛନ୍ତି । ଏହାସହ କିଭଳି ସେମାନଙ୍କ ପାଇଁ ଋଣ ପ୍ରଦାନ ସୁବିଧାଜନକ ଭାବରେ ହୋଇପାରିବ, ଯେମିତି ସେମାନେ ନିଜର ଗାଡ଼ି କରି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ବ୍ୟାଙ୍କ ମାନଙ୍କ ସହ ଆଲୋଚନା କରି ଚେଷ୍ଟା କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ ।
ମହିଳା ସୁବାହକମାନେ ନିଜର ଅଭିଜ୍ଞତା ବାଣ୍ଟି କହିଥିଲେ, ଗାଡ଼ି ଚାଳନାକୁ ସାଧାରଣତଃ ପୁରୁଷମାନଙ୍କ ଦକ୍ଷତା ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଆଜି ସେ ଧାରଣା ବଦଳି ଯାଇଛି । ଏ ଦିଗରେ ସେମାନେ ସରକାରଙ୍କ ଯାନ ଚାଳନା ତାଲିମ କେନ୍ଦ୍ରର ଅବଦାନକୁ ପ୍ରଶଂସା କରିଥିଲେ ।
କ୍ରୁଟ୍ ଗାଡ଼କଣ ଇଭି ବସ୍ ଡିପୋରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, କ୍ରୁଟ୍ ଏମଡି ଏନ. ତିରୁମାଲା ନାଏକ ଓ ଏସଟିଏ ସଚିବ ଚିନ୍ମୟୀ ବିଶ୍ୱାଳ ନିଜର ମତ ଉପସ୍ଥାପନ କରିଥିଲେ ।ଏସଟିଏ ଆକାଉଣ୍ଟସ୍ ଅଧିକାରୀ ମଧୁସ୍ମିତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।