ଭୁବନେଶ୍ୱର : ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ବିଜେଡି ଲଗାତାର ଭାବେ ଦୋହରାଉଥିବା ଦାବି ରାଜ୍ୟର ମହିଳା ଭୋଟରଙ୍କ ଉପରେ ବେଶ୍ ଭଲ ପ୍ରଭାବ ପକାଉଥିବାରୁ ଆସନ୍ତା ବିଧାନସଭା ନିର୍ବାଚନରେ ଏହି ଦଳ ଅନ୍ୟୁନ ୫୦ଟି ଆସନରୁ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳର ବହୁ ନାରୀନେତ୍ରୀ କହୁଛନ୍ତି ।
ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡିଶା ସରକାର ୫୦ ପ୍ରତିଶତ ଆସନ ସଂରକ୍ଷଣ ରଖି ସାରା ଦେଶରେ ରେକର୍ଡ କରିଛନ୍ତିଳାକେବଳ ସେତିକି ନୁହେଁ ଗତ ଲୋକସଭା ନିର୍ବାଚନରେ ୨୧ଟି ସଂସଦୀୟ କ୍ଷେତ୍ରରୁ ବିଜେଡି ୭ଟି ଆସନ ମହିଳାମାନଙ୍କ ପାଇଁ ଦେଇ ଉଦାହରଣ ସୃଷ୍ଟି କରିଥିଲା । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ସାଂସଦମାନେ ବାରମ୍ବାର ମହିଳାମାନଙ୍କ ପାଇଁ ପଡି ରହିଥିବା ସ୍ଥାନ ସଂରକ୍ଷଣ ବିଲକୁ ପାରିତ କରିବାଲାଗି ଦାବି କରୁଥିବାବେଳେ କୌଣସି ଜାତୀୟ ରାଜନୈତିକଦଳ କିନ୍ତୁ ଏ ପ୍ରସଙ୍ଗରେ ଏବେ ବିଶେଷ କୁହଁ ଖୋଲୁ ନାହାନ୍ତି । ଏହା ଓଡିଶାରେ ବିଜେଡିକୁ ମହିଳା ଭୋଟରଙ୍କ ନିକଟତର କରିବାରେ ବେଶ୍ ସହାୟକ ହେଉଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।
ଦେଶ ତଥା ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ମହିଳା ହୋଇଥିବା ପରିପ୍ରେକ୍ଷୀରେ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ଅନ୍ୟୁନ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିବାଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠିବାପରେ ୧୯୯୬ ମସିହାରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଥିଲା ।
୨୬ବର୍ଷ ଧରି ଏହି ବିଲ୍ ସଂସଦରେ ପଡି ରହିଥିଲେ ମଧ୍ୟ ଜାତୀୟ ସ୍ତରରେ ଦବଦବା ଥିବା ପ୍ରମୁଖ ରାଜନୈତିକଦଳଗୁଡିକର ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ଏହି ବିଲ୍ ଗୃହୀତ ହୋଇପାରୁନାହିଁ । ଦେବେଗୌଡାଙ୍କ ଠାରୁ ଆରମ୍ଭ କରି ଆଇ.କେ.ଗୁଜୁରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସରକାର ସମୟରେ ମହିଳା ସ୍ଥାନ ସଂରକ୍ଷଣ ବିଲ୍ ଟିପେ ବି ଆଗେଇ ନଥିବାବେଳେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ମଧ୍ୟ ପୂର୍ବ ସ୍ଥିତିରେ ରହିଛି ।
ବିଶେଷକରି ଆରଜେଡି, ସମାଜବାଦୀପାର୍ଟି ସମେତ ବହୁ ରାଜନୈତିକଦଳ ସଭା ସମିତିରେ ମହିଳାଙ୍କ ସ୍ୱାର୍ଥ ବିଜଡିତ ପ୍ରଶ୍ନ ଉଠାଉଥିବାବେଳେ ସଂସଦରେ କିନ୍ତୁ ଏହି ବିଲ୍କୁ ପାରିତ କରାଇବାପାଇଁ ସେଭଳି କିଚି ଆଗ୍ରହ ପ୍ରକାଶ କରୁନାହାନ୍ତି । ଅଥଚ ଲୋକସଭା ସମେତ ବିଭିନ୍ନ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶଙ୍କ ନାମରେ ଅପରାଧିକ ମାମଲା ରହୁଛି ।
ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଗଲେ ସଂସଦ ଓ ବିଧାନସଭାଗୁଡିକୁ ଆସିବା ଅପରାଧ ପୃଷ୍ଠଭୂମି ଥିବା ଅନେକ ରାଜନେତାଙ୍କ ପାଇଁ ଅସମ୍ଭବପର ହୋଇପଡିବ । ଏହି କାରଣରୁ ନାରୀଶକ୍ତିକୁ ଭୟ କରି ପ୍ରମୁଖ ରାଜନେତାମାନେ ମହିଳା ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରାଇବା କ୍ଷେତ୍ରରେ ବାଧକ ସାଜୁଛନ୍ତି ।
ଓଡିଶାର ବିଜେଡି ସରକାର ନାରୀ ସଶକ୍ତିକରଣ ପାଇଁ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଜାତୀୟ ସ୍ତରରେ ବାରମ୍ବାର ପ୍ରଶଂସିତ ହେଉଥିବାବେଳେ ବସ୍ତୁତଃ ଓଡିଶାରେ ବିଜେଡି ସପକ୍ଷରେ ଏକ ବଡ ଧରଣର ମହିଳା ଭୋଟବ୍ୟାଙ୍କ୍ ସୃଷ୍ଟି ହୋଇଥିବା ଦଳୀୟ ନେତାମାନେ କହୁଛନ୍ତି । ଏ ପରିପ୍ରେକ୍ଷୀରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି ଯଦି ଏକ ତୃତୀୟାଂଶରୁ ଅଧିକ ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରେ ତାହାର ଫାଇଦା ନେବାପାଇଁ ଏବେ ଠାରୁ ଦଳର ବହୁ ନାରୀନେତ୍ରୀ ଉଦ୍ୟମ ଚଳାଇଛନ୍ତି ।
ଏମିତିକି ଅନ୍ୟଦଳରୁ ବିଜେଡିକୁ ଆସିଥିବା ଏବଂ ଆଗାମୀ ଦିନରେ ଆସିବାକୁ ଥିବା ଅନେକ ନାରୀନେତ୍ରୀ ମଧ୍ୟ ବିଜେଡି ଟିକଟ ପାଇଁ ବେଶ୍ ଆଶାୟୀ । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ଦିନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ନେବେ ବୋଲି କୁହାଯାଉଛି । (ତଥ୍ୟ)