Home News in Odia ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି

ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ କାଳରେ ବିଜୁ ଜନତା ଦଳ ପୁଣି ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ୩ ଦଶନ୍ଧିରୁ ଅଧିକ ସମୟ ଧରି ଚର୍ଚ୍ଚା ଚାଲିଥିବାବେଳେ ଏଯାବତ୍‍ କିନ୍ତୁ ଏହା ଆଇନର ରୂପ ନେଇନାହିଁ ।

୨୦୧୦ରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‍ ପାରିତ ହୋଇଥିବାବେଳେ ଏଯାବତ୍‍ କିନ୍ତୁ ଲୋକସଭାରେ ତାହା ପାରିତ ହୋଇନାହିଁ । ତେଣୁ ମୌସୁମୀ ଅଧିବେଶନ କାଳରେ ଲୋକସଭାର ସରକାରୀ କାର୍ଯ୍ୟସୂଚିରେ ମହିଳା ସଂରକ୍ଷଣ ବିଲ୍‍ ଆଣିବା ପାଇଁ ବିଜୁ ଜନତା ଦଳର କେତେକ ସାଂସଦ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୮୦ ଦଶକରୁ ମହିଳାମାନଙ୍କ ପାଇଁ ବିଧାନସଭା, ବିଧାନ ପରିଷଦ ଓ ସଂସଦରେ ସ୍ଥାନ ସଂରକ୍ଷଣ ଲାଗି ବିଭିନ୍ନ ମହିଳା ସଙ୍ଗଠନ ଦାବି କରୁଆସୁଛନ୍ତି । ରାଜନୈତିକ ଦଳମାନେ ଏହି ଦାବି ପ୍ରତି ସମର୍ଥନ ଜଣାଉଥିଲେ ମଧ୍ୟ ବାସ୍ତବରେ କିନ୍ତୁ ସହମତି ହୋଇପାରୁନଥିବାରୁ ମହିଳା ସଂରକ୍ଷଣ ବିଲ୍‍ ସଂସଦରେ ସମ୍ପୂର୍ଣ୍ଣ ଭାବେ ପାରିତ ହୋଇପାରୁନାହିଁ ।

ଅତୀତରେ ଲୋକସଭାରେ ମଧ୍ୟ ବାରମ୍ବାର ଏ ପ୍ରସଙ୍ଗ ଉଠିଛି । ବିଲ୍‍ ପ୍ରସ୍ତୁତ ହେବାପରେ ବିଭିନ୍ନ କମିଟି ଏହାର ତର୍ଜମା କରିଛନ୍ତି । କିନ୍ତୁ ମହିଳା ସଂରକ୍ଷଣ ବିଲ୍‍ ଆଇନର ରୂପ ନେଲେ ବିଭିନ୍ନ ଦଳର ବହୁ ପ୍ରଭାବଶାଳୀ ନେତା ସେମାନଙ୍କ ଆସନ ହରାଇବା ଘେନି ଆତଙ୍କିତ ହୋଇ କୌଣସି ନା କୌଣସି ଆଳ ଦେଖାଇ ଏହି ବିଲ୍‍କୁ ପାରିତ ହେବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସମ୍ବିଧାନ ସଂଶୋଧନ କରାଯାଇ ପଞ୍ଚାୟତିରାଜ ସଂସ୍ଥାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ତେବେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୯୦ ଦଶକରେ ଓଡ଼ିଶାରେ ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସହ ସରକାରୀ ଚାକିରିରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ କରାଯାଇଛି । ନବୀନ ପଟ୍ଟନାୟକ ସରକାରରେ ପୌର ଓ ପଞ୍ଚାୟତ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ବଢାଇ ଦିଆଯାଇଛି ।

୨୦୧୯ର ସାଧାରଣ ନିର୍ବାଚନ ସମୟରେ ବିଜେଡି ଅଧିକ ସଂଖ୍ୟକ ମହିଳାଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲା । ଲୋକସଭାର ୨୧ଟି ଆସନ ମଧ୍ୟରୁ ବିଜେଡିର ୫ଜଣ ଓ ବିଜେପିର ୨ଜଣ ମହିଳା ସାଂସଦ ଅଛନ୍ତି । ରାଜ୍ୟସଭାର ୧୦ଟି ଆସନ ମଧ୍ୟରୁ ବିଜେଡ଼ିର ୨ଜଣ ମହିଳା ସାଂସଦ ରହିଛନ୍ତି । ରାଜ୍ୟର ଜିଲ୍ଲା ପରିଷଦ ଓ ମହାନଗରନିଗମ ଗୁଡିକ ମଧ୍ୟରୁ ଅନ୍ୟୁନ ଦୁଇ ତୃତୀୟାଂଶ ସ୍ଥାନରେ ମହିଳା ଅଧ୍ୟକ୍ଷତା କରୁଛନ୍ତି ।

ବିଜେଡି ପକ୍ଷରୁ କୁହାଯାଉଛି ଯେ, ସରକାରୀ ସ୍ତରରେ ମହିଳାଙ୍କ ଲାଗି ସଂସଦ ଓ ବିଧାନସଭା ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇ ନଥିଲେ ମଧ୍ୟ ଓଡ଼ିଶା ତାହାର ୨୧ଟି ଲୋକସଭା ଆସନ ମଧ୍ୟରୁ ଏକ ତୃତୀୟାଂଶ ଅର୍ଥାତ୍‍ ୭ଟି ଆସନରୁ ମହିଳାଙ୍କୁ ଜଣାଇ ସାରା ଦେଶକୁ ଏକ ସକରାତ୍ମକ ସନ୍ଦେଶ ହେଇଛି ।

ଦେଶରେ ଜନସଂଖ୍ୟାର ପ୍ରାୟ ଅଧା ମହିଳା ହୋଇଥିବାବେଳେ ଏଯାବତ୍‍ ମହିଳାମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସମେତ ବିଚାରପତି, ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ ଇତ୍ୟାଦି ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଏ ପରିପ୍ରେକ୍ଷୀରେ ଜନସଂଖ୍ୟା ଅନୁପାତରେ ମହିଳାମାନଙ୍କ ଲାଗି ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନ୍ୟୁନ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବା କଥା ।
କିନ୍ତୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକରେ ବାରମ୍ବାର ଏ ପ୍ରସଙ୍ଗ ଆଲୋଚନା କରିବା ସହ ମହିଳାମାନଙ୍କ ଲାଗି ସଂସଦ ଓ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବିଲ୍‍ ଆଗତ କରିଥିଲେ ମଧ୍ୟ ଦେଶର ରାଜନୈତିକ ଦଳମାନଙ୍କ ଇଚ୍ଛାଶକ୍ତି ଅଭାବରୁ ତାହା ଏଯାବତ୍‍ ସାକାର ହୋଇପାରୁନାହିଁ । ଏ ପରିପ୍ରେକ୍ଷୀରେ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ପୁଣି ମହିଳା କାର୍ଡ ପ୍ରସଙ୍ଗ ଉଠାଇବାକୁ ଯାଉଛି । ବିଜେଡିର ଏହି ଦାବି ପଛରେ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ଅନେକ ଦଳର ସମର୍ଥନ ଥିବା କୁହାଯାଉଛି । (ତଥ୍ୟ)