Home Judiciary ମହିଳା ମାମଲାରେ ଦଣ୍ଡ ହାର କମ୍‍

ମହିଳା ମାମଲାରେ ଦଣ୍ଡ ହାର କମ୍‍

ଭୁବନେଶ୍ୱର : ଆର୍ନ୍ତଜାତିକ ମହିଳା ଦିବସ ପାଳନ ଅବସରରେ ସରକାରୀ ଓ ବେସରକାରୀ ସ୍ତରରେ ଦେଶରେ ମହିଳାଙ୍କ ବିକାଶ ସମ୍ପର୍କରେ ଅନେକ କଥା କୁହାଯାଉଥିବାବେଳେ ବାସ୍ତବରେ କିନ୍ତୁ ଓଡିଶା ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ମହିଳାମାନଙ୍କ ପ୍ରତି ବିଭିନ୍ନ କିସମର ଅପରାଧ ବଢି ବଢି ଚାଲୁଛି । ଗୋଟିଏ ପଟେ ମହିଳାଙ୍କ ପ୍ରତି ହିଂସା ବଢୁଥିବାବେଳେ ଏ ସଂକ୍ରାନ୍ତୀୟ ମାମଲାରେ କିନ୍ତୁ ଦଣ୍ଡବିଧାନ ହାର ନୈରାଶ୍ୟଜନକ ରହୁଛି ।

ଗତ ସେପ୍ଟେମ୍ବର ମାସରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପ୍ରକାଶ କରିଥିବା ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶରେ ମହିଳାମାନଙ୍କ ପ୍ରତି ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୨୩.୭ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୧୦ ପ୍ରତିଶତ ରହିଛି ।

ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ମହିଳାମାନଙ୍କ ଉପରେ ଘଟିଥିବା ଅପରାଧଗୁଡିକ ମଧ୍ୟରୁ ୨୦୧୯ବର୍ଷରେ ଓଡିଶାରେ ୧,୧୮,୩୨୪ଟି ମାମଲା ବିଚାରାଧିନ ଥିବାବେଳେ ସେଥିରୁ ମାତ୍ର ୪୧୬୯ଟି ଫଏସଲା ହୋଇଥିଲା ଏବଂ ଏଥିରୁ ମୋଟେ ୪୧୫ଟି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହୋଇଥିବାବେଳେ ୩୭୫୪ଟିରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ମୋଟାମୋଟି ଭାବେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ୪ପ୍ରତିଶତ ବି ବର୍ଷରେ ଫଏସଲା ହୋଇପାରୁ ନାହିଁ ।

କେବଳ ଓଡିଶା ନୁହେଁ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ, ଜାମ୍ମୁକାଶ୍ମୀର, ଗୁଜୁରାଟ, ଗୋଆ, ଆସାମ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଏହି କିସମର ମାମଲା ଗୁଡିକରେ ଦଣ୍ଡବିଧାନ ହାର ଓଡିଶା ଠାରୁ ଢେର କମ୍‍ ରହିଛି । ତେବେ ପୁଡୁଚେରୀ, ସିକିମ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲ୍ୟାଣ୍ଡ, ମେଘାଳୟ, ମଣିପୁର, ଝାଡଖଣ୍ଡ ଆଦି ରାଜ୍ୟରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ଅପେକ୍ଷାକୃତ ଅଧିକ ରହୁଛି । ବଳାତ୍କାର ଭଳି ଜଘନ୍ୟ ଅପରାଧ ବର୍ଷକୁ ବର୍ଷ ଓଡିଶା ସମେତ ସମଗ୍ର ଦେଶରେ ବଢି ଚାଲିଥିବାବେଳେ ଏଭଳି ମାମଲାରେ ବି ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ।

ବିଶେଷକରି ବେକାରୀ ଓ ବେରୋଜଗାରୀ ସହିତ ସାଂସ୍କୃତିକ, ନୈତିକ ଓ ଆଧ୍ୟାତ୍ମିକ ଅବକ୍ଷୟ, ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ ଏବଂ ନିଶାର ଲଗାମଛଡା ପ୍ରସାର ଯୋଗୁଁ ମହିଳା ଓ ଶିଶୁଙ୍କ ପ୍ରତି ନିର୍ଯ୍ୟାତନା ସମଗ୍ର ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ଏନ୍‍ସିଆରବି ରିପୋର୍ଟ ଅନୁଯାୟୀ ୩୫.୨ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୧୦ ପ୍ରତିଶତରେ ସୀମିତ ଅଛି ।

ସେହିଭଳି ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଦଫାରେ ଯେତେ ମାମଲା ଫଏସଲା ହେଉଛି ସେଥିରୁ ୫୦ପ୍ରତିଶତରୁ ଅଧିକରେ ଅଭିଯୁକ୍ତ ଦଣ୍ଡ ପାଉଥିବା ଜାତୀୟ ରେକର୍ଡରେ ଦର୍ଶାଯାଉଥିବାବେଳେ ଓଡିଶାରେ ଏଭଳି ମାମଲାଗୁଡିକରେ ଦଣ୍ଡବିଧାନ ହାର ୨୧.୫ ପ୍ରତିଶତରେ ସୀମିତ ଅଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମହିଳା ଓ ଶିଶୁମାନଙ୍କ ନିରାପତ୍ତା ଲାଗି ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାବେଳେ ଏହି ବର୍ଗଙ୍କ ପ୍ରତି ଅପରାଧ ବଢିବା ଆମ ସାମାଜିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବିଚାର ବ୍ୟବସ୍ଥା ପାଇଁ ମଧ୍ୟ ଏକ ବଡ ଆହ୍ୱାନ ହେଲାଣି ।