ଭୁବନେଶ୍ୱର : ଗାଁ ଗହଳର ସ୍କୁଲର ଦାୟିତ୍ୱ ଏବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ହାତରେ ରହିବ । ସକାଲେ ସ୍କୁଲ ଘର ଝାଡୁ ମାରିବା ଠାରୁ ଆରମ୍ଭ କରି ରାତିରେ ସ୍କୁଲ ଘର ଜଗିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସେମାନେ ତୁଲାଇବେ । ଏହି କାମ ପାଇବାପାଇଁ ଏବେ ଗାଁ ଗହଳରେ ସ୍ୱୟଂ ସହାୟିକା ଗୋଷ୍ଠିମାନେ ତତ୍ପର ହୋଇ ଉଠିଛନ୍ତି ।
ରାଜ୍ୟ ସରକାର ଆଉ ବିଦ୍ୟାଳୟଗୁଡିକରେ ପିଅନ କିମ୍ବା ରାତ୍ର ଜଗୁଆଳି ନିଯୁକ୍ତ କରୁନାହାନ୍ତି । ହେଲେ ବିଭିନ୍ନ ଯୋଜନାରେ ବିଦ୍ୟାଳୟଗୁଡିକୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଯାଉଛି । ଏହାର ରକ୍ଷଣା ବେକ୍ଷଣ ଓ ତଦାରଖ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଏବେ ଏହାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ହାତରେ ଦେବାକୁ ସ୍ଥିର ହୋଇଛି । ଏହା ଦ୍ୱାରା ମହିଳା ଗୋଷ୍ଠିଙ୍କ ଆୟ ବୃଦ୍ଧି ପାଇବା ସହିତ ବିଦ୍ୟାଳୟର ରକ୍ଷଣା ବେକ୍ଷଣ ଠିକଣା ଭାବେ ହୋଇପାରିବ ବୋଲି କର୍ତ୍ତୃପକ୍ଷ ବିଚାରୁଛନ୍ତି ।
ଏଭଳି ନିଷ୍ପତ୍ତି ପରେ ଏବେ ଗାଁ ଗହଳରେ ଥିବା ମହିଳାଗୋଷ୍ଠିଗୁଡିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିପାଇଁ ଗୋଟିଏ ପରେ ଗୋଟିଏ ଗୋଷ୍ଠି ବ୍ଲକରେ ଆବେଦନ କରୁଛନ୍ତି । ସେମାନଙ୍କର କାର୍ଯ୍ୟକଳାପ, ଆର୍ଥିକ ସ୍ଥିତି ଓ ଅନ୍ୟାନ୍ୟ ଦିଗକୁ ବିଚାର କରି ଚୟନ ହେବ ବୋଲି ସୂଚନା ମିଳିଛି । ବିଶେଷକରି ମହିଳା ଗୋଷ୍ଠିଙ୍କର ଜମା ଅର୍ଥ, ଋଣ ପରିଶୋଧ ଓ ପ୍ରକଳ୍ପ ପରିଚାଳନାକୁ ଚୟନ ସମୟରେ ଅଗ୍ରାଧିକାର ପ୍ରଦାନ କରାଯିବ ।
ବିଦ୍ୟାଳୟର ଏହି କାର୍ଯ୍ୟ ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ମାସିକ ପ୍ରାୟ ୧୪ହଜାର ଟଙ୍କା ପ୍ରଦାନ କରାଯିବ । ସେହି ଅର୍ଥରୁ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠି ନିଜ ପାଇଁ ପ୍ରାୟ ଦେଢ ହଜାର ଟଙ୍କା ରଖିବା ପରେ ଅବଶିଷ୍ଟ ଅର୍ଥ ବିଦ୍ୟାଳୟ ପାଇଁ ଖର୍ଚ୍ଚ କରିବେ । ଏହି ଅର୍ଥରେ ଜଣେ କିମ୍ବା ଦୁଇଜଣ ଲୋକଙ୍କୁ ନିଯୁକ୍ତ କରିବେ । ଉକ୍ତ ବ୍ୟକ୍ତି ସକାଳେ ସ୍କୁଲ ପରିସର ଏବଂ ଘର ସଫା କରିବା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ପିଇବାପାଣି ରଖିବେ । ଏଥି ସହିତ ବଗିଚାରେ ଥିବା ଫୁଲକୁଣ୍ଡ ଓ ଗଛରେ ପାଣି ଦେବେ । ଏଥି ସହିତ ରାତିରେ ମଧ୍ୟ ବିଦ୍ୟାଳୟକୁ ଜଗିବେ ।
ତେବେ ଏଭଳି ନିଷ୍ପତ୍ତି ଶୁଣିବାପରେ ଗାଁ ଗହଳରେ ଏବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ତତ୍ପର ହେବା ସହିତ କିଭଳି ଏହି କାମ ହାତେଇବେ ସେଥିପାଇଁ ଲାଗି ପଡିଛନ୍ତି । ଏଥିପାଇଁ ବ୍ଲକରେ ଏବେ ଏକାଧିକ ଗୋଷ୍ଠି ଡେରା ପକାଉଛନ୍ତି । ଗୋଟିଏ ଗୋଟିଏ ବିଦ୍ୟାଳୟ ଲାଗି ୧୦ରୁ ଅଧିକ ଆବେଦନ କରିଥିବାରୁ ଏହାକୁ ନେଇ ଆଗାମୀ ଦିନରେ ଗାଁ ଗହଳରେ ମହିଳା ଗୋଷ୍ଠି ମୁହାଁମୁହିଁ ହେବେ ବୋଲି ଏବେ ଠାରୁ ଆଶଙ୍କା କରାଗଲାଣି । (ତଥ୍ୟ)