Home Finance ମହିଳା ଗୋଷ୍ଠିକୁ ୪ଲକ୍ଷ ଟଙ୍କାର ଋଣ

ମହିଳା ଗୋଷ୍ଠିକୁ ୪ଲକ୍ଷ ଟଙ୍କାର ଋଣ

ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକବର୍ଷ ସୁଦ୍ଧା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଯେଭଳି ୪ଲକ୍ଷ ଟଙ୍କାର ଋଣ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାଙ୍କ୍‍ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ହେଲେ ବ୍ୟାଙ୍କ୍‍ଗୁଡିକ ଏ କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ।

ରାଜ୍ୟ ସରକାର ଫ୍ଲାଗସିପ୍‍ ଯୋଜନାରେ ମିଶନ ଶକ୍ତିକୁ ସାମିଲ କରିବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍‍ଏଚ୍‍ଜି)ଗୁଡିକୁ ଅଧିକରୁ ଅଧିକ ଋଣ ଯୋଗାଣର ଯୋଜନା କରୁଥିବାବେଳେ ଗତ ତିନିବର୍ଷର ହିସାବରୁ ଜଣାଯାଇଛି ଯେ ବ୍ୟାଙ୍କ୍‍ଗୁଡିକ ପ୍ରତ୍ୟେକ ଏସଏଚ୍‍ଜିକୁ ହାରାହାରି ଭାବେ ଏକ ଲକ୍ଷ ୭୩ହଜାର ଟଙ୍କାର ଋଣ ଦେଉଛନ୍ତି । ଯଦି ଏମାନଙ୍କୁ ୪ଲକ୍ଷ ଟଙ୍କାର ଋଣ ମିଳିବ ତେବେ ସେମାନେ ଅଧିକ ସଫଳତା ହାସଲ କରିପାରନ୍ତେ ।

ଋଣ ପ୍ରଦାନ ଦ୍ୱାରା ଏସ୍‍ଏଚ୍‍ଜିଗୁଡିକ ଜୀବନ ଜିକିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସହିତ ମହିଳାଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି ହୋଇଥାଏ । ଏହା ମହିଳାଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିଥାଏ । ତେଣୁ ବ୍ୟାଙ୍କଗୁଡିକ ମିଶନ ଶକ୍ତିକୁ ଅଧିକରୁ ଅଧିକ ଋଣପ୍ରଦାନ କରିବା ଆବଶ୍ୟକ ବୋଲି ଜଣେ ଅଧିକାରୀ କହିଛନ୍ତି । ରାଜ୍ୟରେ ଥିବା ବ୍ୟବସାୟିକ ବ୍ୟାଙ୍କ୍‍ଗୁଡିକ ପାଇଁ ଚଳିତ ଆର୍ôଥକବର୍ଷରେ ଏସ୍‍ଏଚ୍‍ଜିକୁ ୨ଲକ୍ଷ ଟଙ୍କା ଋଣ ଯୋଗାଣ ପାଇଁ ଲକ୍ଷ୍ୟ ଦିଆଯାଇଛି । ଏ ସଂକ୍ରାନ୍ତରେ ବ୍ୟାଙ୍କଗୁଡିକ ସେମାନଙ୍କ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶଦେବାକୁ କୁହାଯାଇଛି ।

ମିଶନ ଶକ୍ତି ଋଣ ଅଧିନରେ ରାଜ୍ୟ ସୁଧ ରିହାତି ପଇଠ ଯୋଜନାରେ ବ୍ୟାଙ୍କ୍‍ଗୁଡିକ ନିୟମିତ କିସ୍ତି ପଇଠ କରୁଥିବା ମହିଳା ସ୍ୱୟଂସହାୟିକା ଗୋଷ୍ଠିକୁ ବାର୍ଷିକ ଶୂନ ପ୍ରତିଶତ ଦରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରିପାରିବେ । ମହିଳା ସ୍ୱୟଂ ସହାୟିକ ଗୋଷ୍ଠିଗୁଡିକ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରିବା ସହିତ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଧିକ ଅବଦାନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ରାଜ୍ୟ ସରକାର ସୁଧ ଅର୍ଥ ପ୍ରଦାନ କରିଥାନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ଋଣ ଯୋଗାଣ ଅନୁଯାୟୀ ସୁଧ ରିହାତି ପଇଠ ଯୋଜନାରେ ରାଜ୍ୟ ସରକାର ବ୍ୟାଙ୍କ୍‍ଗୁଡିକୁ ୧୫୦ କୋଟି ଟଙ୍କା ଦେବାର ଲକ୍ଷ୍ୟ ଥିଲା । କିନ୍ତୁ ବିଭିନ୍ନ ବ୍ୟାଙ୍କ୍‍କୁ ୧୨୫ କୋଟି ଟଙ୍କା ଦିଆଯାଇଥିଲା । ତେବେ ପଞ୍ଜାବ ଆଣ୍ଡ ସିନ୍ଧ୍‍ ବ୍ୟାଙ୍କ୍‍ ଏବଂ ଏଚ୍‍ଡିଏଫ୍‍ସି ବ୍ୟାଙ୍କ୍‍ ଗତ ଆର୍ଥକ ବର୍ଷରେ ସୁଧ ରିହାତି ପଇଠ ବାବଦରେ କୌଣସି ଦାବି କରିନଥିଲେ ।

ତେବେ ସୁଧ ରିହାତି ପଇଠ ଅର୍ଥ ଯେଭଳି ଏସ୍‍ଏଚ୍‍ଜିଗୁଡିକର ସେଭିଙ୍ଗସ ଆକାଉଣ୍ଟରେ ଜମା ହେବ ତାହାର ବ୍ୟବସ୍ଥା ପାଇଁ କୁହାଯାଇଛି । ଚଳିତ ଆର୍ôଥକ ବର୍ଷରେ ଋଣ ପ୍ରଦାନ, ପୁନଃ ଋଣ ସୁଝିବା ଓ ସୁଧ ରିହାତି ପଇଠ ବାବଦରେ ୨୦୦ କୋଟି ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟ ରହିଛି । ତେବେ ମାତ୍ର ୫୮୨ ଏସ୍‍ଏଚ୍‍ଜି ସଦସ୍ୟ ୟେସ ବ୍ୟାଙ୍କ୍‍ ଓ ଆଇସିଆଇସିଆଇ ବ୍ୟାଙ୍କ୍‍ର ବିଜିନେସ କରେସପେଣ୍ଡେଣ୍ଟ ଭାବେ ଚିହ୍ନଟ ହୋଇଥିବାବେଳେ ଅନ୍ୟ ବ୍ୟାଙ୍କ୍‍ଗୁଡିକ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଆର୍ଥକ ବର୍ଷରେ ୨,୪୧,୩୩୯ ଏସ୍‍ଏଚ୍‍ଜିକୁ ଋଣ ପ୍ରଦାନ କରାଯାଇଥିବାବେଳେ ଲକ୍ଷ୍ୟ ଥିଲା ୨,୫୪,୨୫୦ । ଏ କ୍ଷେତ୍ରରେ ୯୫ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିଲା । ସେହିଭଳି ଏମାନଙ୍କୁ ୪୧୯୦.୪୪କୋଟିର ଋଣ ଦିଆଯାଇଥିଲା ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୨୯ ପ୍ରତିଶତ । ଚଳିତ ଆର୍ଥିକ ବର୍ଷରେ ୨,୮୦,୧୫୦ ଏସଏଚଜିକୁ ୬୦୦୨.୫୨କୋଟିର ଋଣ ଯୋଗାଣ ପାଇଁ ଲକ୍ଷ୍ୟ ରହିଛି । (ତଥ୍ୟ)