ଭୁବନେଶ୍ୱର : ରାଜ୍ୟ ମହିଳା କମିଶନ ଓ ଶିଶୁ ସୁରକ୍ଷା ଅଧିକାର କମିଶନର ପୁନର୍ଗଠନ ଖୁବ୍ଶୀଘ୍ର କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ କମିଶନ ଦୁଇଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇପାରେ । ଏ ସଂକ୍ରାନ୍ତରେ ରାଜନୈତିକ ସ୍ତରରେ ଆଲୋଚନା ଚାଲିଛି ।
ପୂର୍ବ ବିଜେଡି ସରକାର ଅମଳରେ ଯେଉଁମାନଙ୍କୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ କମିଶନ ପଦପଦବୀରେ ନିଯୁକ୍ତି ଦିଆଯାଇଥିଲା ନୂଆ ବିଜେପି ସରକାର ସେମାନଙ୍କୁ ବିଦା କରିଦେଇ ସରକାରୀ ଅଧିକାରୀମାନଙ୍କ ନିୟନ୍ତ୍ରଣରେ ପ୍ରାୟ ୬ମାସ ଧରି ଏହି କମିଶନ ସବୁକୁ ରଖିଛନ୍ତି । ଯେଉଁ ଅଧିକାରୀମାନଙ୍କୁ କମିଶନ ଦାୟିତ୍ୱରେ ରଖାଯାଇଛି ସେମାନେ ବିଭାଗୀୟ ଶାସନ ସଚିବ ସହିତ ଅନ୍ୟ ବହୁ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଉଥିବାରୁ କମିଶନଙ୍କ ଦପ୍ତରକୁ ମଧ୍ୟ ନିୟମିତ ଆସିପାରୁ ନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲୁଥିବା ବେଳେ ନିର୍ଯାତିତାମାନେ ରାଜ୍ୟ କମିଶନ ପାଖରୁ ନ୍ୟାୟ ପାଇବା ସମ୍ଭାବନା କମିକମି ଯାଉଛି ।
ଅନ୍ୟପକ୍ଷରେ ଓଡ଼ିଶା ବ୍ୟାପାରରେ ଜାତୀୟ ମହିଳ କମିଶନ ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବାରମ୍ବାର ହସ୍ତକ୍ଷେପ କରି ନିଜ ଆଡୁ ନୋଟିସ ଜାରି କରୁଛନ୍ତି । ନିକଟରେ ବାଲେଶ୍ୱରସ୍ଥିତ ଫକିରମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ହଇଚଇ ସୃଷ୍ଟି ହୋଇଥିବାବେଳ ଜାତୀୟ ମହିଳା କମିଶନ ଏହି ବ୍ୟାପାରକୁ ଗମ୍ଭୀରତାର ସହ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଥଚ ରାଜ୍ୟ ମହିଳା କମିଶନ ଏ ବ୍ୟାପାରରେ ମୁହଁ ଖୋଲୁ ନାହାନ୍ତି ।
ପ୍ରାୟ ମାସେ ତଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ମହିଳା କମିଶନ ପୁନର୍ଗଠନ ସଂପର୍କରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କ ସରକାରର ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ବିଭିନ୍ନ କମିଶନ, ନିଗମ, ବୋର୍ଡ ଆଦିରେ ଖୁବ୍ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ଏମିତିକି ମନମୋହନ ସାମଲ ପୁନର୍ବାର ରାଜ୍ୟ ବିଜେପି ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ମଧ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଅନ୍ୟାନ୍ୟ ସଂସ୍ଥାରେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ ।
ଓଡ଼ିଶାରେ ଗତ କିଛିବର୍ଷ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଛି । ଦେଶର ଅନେକ ରାଜ୍ୟରେ ବି ଏଭଳି ସମସ୍ୟା ଲାଗି ରହିଛି । ଏହି ପ୍ରସଂଗକୁ ସବୁବେଳେ ବିରୋଧୀ ଦଳମାନେ ଉଠାଇ ସରକାର ଉପରେ ଆକ୍ରମଣ କରିଥାନ୍ତି । ଫଳରେ ବସ୍ତୁତଃ ଏହି ଅପରାଧିକ ମାମଲା ରାଜନୈତିକ ପ୍ରସଂଗରେ ପରିଣତ ହୋଇଯାଇଥାଏ । ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ ଏକ ପ୍ରକାର ଅଚଳ ଅବସ୍ଥାରେ ରହିଥିବାବେଳେ କେବଳ କର୍ମଚାରୀଙ୍କ ଭତ୍ତା, ବେତନ ଓ ଦପ୍ତର ପରିଚାଳନା ପାଇଁ ବିପୁଳ ଅର୍ଥ କିନ୍ତୁ ବ୍ୟୟ ହେଉଛି । ଏଥିରୁ ପୀଡ଼ିତାମାନେ କିଛି ଉପଶମ ପାଇପାରୁ ନାହାନ୍ତି ।
ଏବେ ବାଲେଶ୍ୱର ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇପଡିଥିବାବେଳେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ସେମାନଙ୍କ ଲାଗି ଅମୋଘ ଅସ୍ତ୍ର ହୋଇଛି । ପୂର୍ବରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁକ୍ତଦୁଇ ଛାତ୍ରୀ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟାପକଙ୍କ ଅସଦାଚରଣର ଶିକାର ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେହିଭଳି ବ୍ରହ୍ମପୁର ସହରରେ ଜଣେ ରାଜନେତା ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ମାଳମାଳ ଅଭିଯୋଗମାନ ଆସୁଛି । ଏ ପରିପ୍ରେକ୍ଷୀରେ ଖୁବ୍ଶୀଘ୍ର ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ କାର୍ଯ୍ୟକ୍ଷମ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ଏଥିରେ ଥଇଥାନ ହେବା ଲାଗି ଆଶାୟୀମାନେ ପୂରା ଦମ୍ରେ ଲାଗି ପଡିଛନ୍ତି । ତେବେ କେବେ ସୁଦ୍ଧା ଏହି କମିଶନରେ ନିଯୁକ୍ତି ମିଳିବ ସେଥିଘେନି କିନ୍ତୁ ସ୍ପଷ୍ଟ ସମୟସୀମା କେହି ଦେଇପାରୁ ନାହାନ୍ତି । (ତଥ୍ୟ)