Home Health ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ଭିନ୍ନ ସ୍ଥିତି

ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ଭିନ୍ନ ସ୍ଥିତି

ଭୁବନେଶ୍ୱର : ଦେଶର ବହୁ ରାଜ୍ୟ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ଚିତ୍ର ତୁଳନାତ୍ମକ ଭାବେ ବେଶ ସୁନ୍ଦର ବୋଲି କୁହାଯାଉଥିବା ବେଳେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ସର୍ବଶେଷ ରିପୋର୍ଟ କିନ୍ତୁ ଭିନ୍ନ କଥା ବଖାଣୁଛି ।

ଏହି ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାର ୬ରୁ ୨୩ ମାସର ପିଲାମାନଙ୍କ ଭିତରୁ ମାତ୍ର ୨୦.୪ ପ୍ରତିଶତ ପର୍ଯ୍ୟାପ୍ତ ପରିମାଣର ଶିଶୁ ଖାଦ୍ୟ ପାଉଛନ୍ତି । ଅର୍ଥାତ୍‍ ୭୯.୬ ପ୍ରତିଶତ ଶିଶୁ ଏ କ୍ଷେତ୍ରରେ ଆବଶ୍ୟକତା ଠାରୁ କମ୍‍ ଖାଦ୍ୟ ପାଉଛନ୍ତି । ୫ବର୍ଷର ଶିଶୁମାନଙ୍କ ଭିତରୁ ଅନ୍ତତଃ ୩୧ ପ୍ରତିଶତ ଅପପୁଷ୍ଟି ଜନିତ କାରଣରୁ ଆବଶ୍ୟକୀୟ ମାନସିକ ବିକାଶରୁ ବଞ୍ôଚତ । ସେହିଭଳି ପ୍ରାୟ ୨୫ ପ୍ରତିଶତ ଶିଶୁଙ୍କ ଅବସ୍ଥା ଆଦୌ ଭଲ ନୁହେଁ । ୫ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଭିତରୁ ପାଖାପାଖି ୩୦ ପ୍ରତିଶତ ବୟସ ତୁଳନାରେ କମ୍‍ ଓଜନର ରହିଛନ୍ତି । ମୋଟାମୋଟି ଭାବେ ରାଜ୍ୟର ଶିଶୁମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଏହା ହେଉଛି ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ପରିସଂଖ୍ୟାନ ।

ଏହି ରିପୋର୍ଟରେ ପୁଣି ଦର୍ଶାଯାଇଛି ଯେ ୬ମାସରୁ ୫୯ ମାସ ବୟସର ଶିଶୁମାନଙ୍କ ମଧ୍ୟରୁ ଅନ୍ୟୁନ ୬୪.୨ ପ୍ରତିଶତ ରକ୍ତହୀନତା ଭୋଗୁଛନ୍ତି । ୧୫ରୁ ୪୯ ବର୍ଷ ବୟସ୍କ ମହିଳାମାନଙ୍କ ଭିତରୁ ବି ୬୪ ପ୍ରତିଶତରୁ ଅଧିକ ରକ୍ତହୀନତାରେ ସଢ଼ୁଛନ୍ତି । କେବଳ ମହିଳା ନୁହନ୍ତି, ରାଜ୍ୟର ୪୯ବର୍ଷ ବୟସ ପର୍ଯ୍ୟନ୍ତ ପୁରୁଷମାନଙ୍କ ମଧ୍ୟରୁ ଅନ୍ୟୁନ ୩୦ ପ୍ରତିଶତ ମଧ୍ୟ ରକ୍ତହୀନତାରେ ପୀଡ଼ିତ ଥିବା ଏହି ରିପୋର୍ଟ ସୂଚାଉଛି ।

ଓଡ଼ିଶାରେ ତମାଖୁ ଓ ମଦ ବ୍ୟବହାର ଏବେ ବି ଉଦ୍‍ବେଗଜନକ ସ୍ଥିତିରେ ରହିଛି । ୧୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାଙ୍କ ମଧ୍ୟରୁ ୨୬ ପ୍ରତିଶତ ଓ ପୁରୁଷଙ୍କ ମଧ୍ୟରୁ ପାଖାପାଖି ୫୨ ପ୍ରତିଶତ ତମାଖୁ ସେବନ କରୁଥିବା ବେଳେ ଏହି ବୟସର ମହିଳାଙ୍କ ଭିତରୁ ୪.୩ ପ୍ରତିଶତ ଓ ପୁରୁଷଙ୍କ ଭିତରୁ ପାଖାପାଖି ୩୦ ପ୍ରତିଶତ ମଦ୍ୟପାନ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସାରା ଦେଶରେ ନିଶା ବ୍ୟବହାର ଉଦ୍‍ବେଗର କାରଣ ହୋଇଥିବାରୁ କେନ୍ଦ୍ର ସରକାର ୨୭୨ଟି ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ ଚଳାଇଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲା ଏଥିରେ ସାମିଲ ରହିଛି । ଏଥିପାଇଁ ବିପୁଳ ଅର୍ଥ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଖର୍ଚ୍ଚ କରୁଥିବା ବେଳେ ନିଶା ରାକ୍ଷସ କିନ୍ତୁ ଭୟଙ୍କର ଭାବେ ତାହାର କାୟା ମେଲାଇ ଚାଲିଛି ।

ଓଡ଼ିଶାରେ ନିଶା କାରବାରରୁ ୧୯୯୦ ବେଳକୁ ଅବକାରୀ ରାଜସ୍ୱ ପରିମାଣ ମାତ୍ର ୩୫ କୋଟି ଟଙ୍କାରେ ସୀମିତ ଥିବାବେଳେ ୩୫ବର୍ଷ ଭିତରେ ଏହା ବଢ଼ିବଢ଼ି ୪ ହଜାର କୋଟି ଟଙ୍କାକୁ ଟପିବାକୁ ଯାଉଛି । ଲାଇସେନ୍ସ ପ୍ରାପ୍ତ ସରକାରୀ ମଦ ସହିତ ଚୋରା ମଦ ଏବଂ ବ୍ରାଉନ୍‍ସୁଗାର, କଫ୍‍ସିରପ୍‍, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ହାଉଯାଉ ହେଉଥିବା ବେଳେ ଆଇନ୍‍ଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟ ସମସ୍ୟା ଆଦି ବିଗୁଡୁଛି ଏବଂ ବ୍ୟକ୍ତି, ପରିବାର ଓ ସରକାରଙ୍କ ସାମୂହିକ କ୍ଷତିର ପରିମାଣ ଅବକାରୀ ରାଜସ୍ୱ ଠାରୁ ଢେର ଅଧିକ ଗୁଣ ହେଉଛି ।

୨୦୧୩ ମସିହାରେ ରାଜ୍ୟ ସରକାର ତମାଖୁ ଓ ଗୁଟ୍‍ଖାର ବିପଣନ, ସେବନ ଓ ପ୍ରସ୍ତୁତି ଉପରେ କଡ଼ା କଟକଣା ଜାରି କରିଥିଲେ ମଧ୍ୟ ଏହାର ନିପାତ କରିବା ପରିବର୍ତ୍ତେ ଏଥିରୁ ବି ରାଜସ୍ୱ ଆଦାୟ କରୁଛନ୍ତି । ଏଭଳି ବିପଦଜନକ ସାମଗ୍ରୀର ଚୋରା କାରବାର ବି ରାଜ୍ୟରେ ବଢ଼ି ଚାଲିଛି । ଏଥିଯୋଗୁ ଶିଶୁ ଓ ମହିଳାମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ସାମାଜିକ ସୁରକ୍ଷା ସମେତ ବିଭିନ୍ନ ସରକାରୀ ଯୋଜନାରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁ ନାହିଁ ।

ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ମୁତାବକ ଓଡ଼ିଶାରେ ଲିଙ୍ଗଗତ ବୈଷମ୍ୟ ସହିତ ହିଂସା ମଧ୍ୟ ଲାଗି ରହିଛି । ୧୮ରୁ ୪୯ ବର୍ଷ ବୟସ୍କା ବିବାହିତା ମହିଳାଙ୍କ ମଧ୍ୟରୁ ୩୦ ପ୍ରତିଶତରୁ ଅଧିକ ହିଂସାକାଣ୍ଡର ଶିକାର ହେଉଛନ୍ତି । ଓଡ଼ିଶାରେ ରକ୍ତଚାପ, ମଧୁମେହ, ହୃଦରୋଗ, ବୃକକ୍‍, ଯକୃତ ଓ ସ୍ନାୟୁଜନିତ ରୋଗ ସହିତ କର୍କଟ, ଯକ୍ଷ୍ମା, ଫୁସ୍‍ଫୁସ୍‍ ଜନିତ ରୋଗର ପ୍ରାଦୁର୍ଭାବ କେତେ ଅଧିକ ରହୁଛି ତାହା ବିଏସ୍‍କେୱାଇରେ ରାଜ୍ୟ ସରକାର ବେସରକାରୀ ଡାକ୍ତରଖାନାମାନଙ୍କୁ ଭରୁଥିବା ମୋଟା ଅଙ୍କର ଅର୍ଥ ରାଶିରୁ ସ୍ପଷ୍ଟ ହେଉଛି । ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ ଲୋକେ ଉତ୍ତମ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ମୁହାଁ ହେବାରୁ ସରକାରଙ୍କୁ ଅଧିକ ତଣ୍ଡ ଗଣିବାକୁ ପଡୁଛି ।(ତଥ୍ୟ)