Home General ଆହ୍ୱାନ ହେବ ମହିଳା ଓ ଶିଶୁ ମାମଲା

ଆହ୍ୱାନ ହେବ ମହିଳା ଓ ଶିଶୁ ମାମଲା

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବଢ଼ି ଚାଲିଥିବାବେଳେ ଏହାର ନିୟନ୍ତ୍ରଣ ଓ ନିରାକରଣ ନବଗଠିତ ରାଜ୍ୟ ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନ ପାଇଁ ବଡ଼ ଆହ୍ୱାନ ହେବ । ବିଗୁଡ଼ୁଥିବା ବ୍ୟବସ୍ଥାରେ ଏହି ସମସ୍ୟା ଘେନି ଦଳମତ ନିର୍ବିଶେଷରେ ସମାଜର ସବୁ ଶ୍ରେଣୀର ଲୋକେ ଉଦ୍‍ବିଘ୍ନ ଥିବାବେଳେ ବ୍ୟାପକ ସଚେତନତା ସହିତ ଚରିତ୍ର ଗଠନକାରୀ ଗୁଣାତ୍ମକ ଶିକ୍ଷା, ଆର୍ôଥକ ସ୍ୱାବଲମ୍ବନ ଏବଂ ସର୍ବୋପରି ପ୍ରତି ସ୍ତରରେ ନିରପେକ୍ଷତା ଓ ତ୍ୱରିତ ନ୍ୟାୟ ବଳରେ ଏହାର ସମାଧାନ କରାଯାଇପାରିବ ବୋଲି ସମାଜ ବିଜ୍ଞାନୀମାନେ ମତବ୍ୟକ୍ତ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ରାଜ୍ୟର ପ୍ରାୟ ଦୁଇ ତୃତୀୟାଂଶ ମହିଳା ଓ ବାଳିକା ଘରୋଇ ହିଂସାର ଶିକାର ହେଉଛନ୍ତି । ବହୁ କ୍ଷେତ୍ରରେ ପରିବାର ଓ ପରିଚିତ ଲୋକଙ୍କ ଦ୍ୱାରା ମଧ୍ୟ ଯୌନ ନିର୍ଯାତନା ଦିଆଯାଉଛି । କେବଳ ସେତିକି ନୁହେଁ, କେତେକ କ୍ଷେତ୍ରରେ ନିଜ ଝିଅ ପ୍ରତି ବଳାତ୍କାର କରି ମଦୁଆ ବାପା ଜେଲ୍‍ ଯିବାର ବି ନଜିର ରହିଛି । ବୈଦ୍ୟୁତିକ ଗଣମାଧ୍ୟମ, ସ୍ମାର୍ଟଫୋନ୍‍ ଏବଂ ନିଶାର ବହୁଳ ପ୍ରସାର ଯୋଗୁ ଏ କିସମର ଅପରାଧ ବଢ଼ୁଛି ବୋଲି ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ଆସୁଛି । କେବଳ ସେତିକି ନୁହେଁ, ବହୁ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମକୁ ଅସାମାଜିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରାଯାଉଥିବାରୁ ମହିଳା ଓ ଶିଶୁମାନଙ୍କ ପ୍ରତି ବିପତ୍ତି ମଧ୍ୟ ବଢ଼ି ଚାଲୁଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ସର୍ବଶେଷ ତଥ୍ୟ ମୁତାବକ ଓଡ଼ିଶାରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଇସଲା ହାର ମାତ୍ର ୪.୨ ପ୍ରତିଶତ ରହିଥିବାବେଳେ ଦଣ୍ଡବିଧାନ ହାର ୯.୨ ପ୍ରତିଶତରେ ସୀମିତ । ସେହିଭଳି ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ବର୍ଷରେ ଓଡ଼ିଶାରେ ଫଇସଲା ହାର ମାତ୍ର ୪.୪ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର ୧୨.୬ ପ୍ରତିଶତ ରହିଛି । ୨୦୨୩ ଡିସେମ୍ବର ମାସରେ ପ୍ରକାଶିତ ଏନ୍‍ସିଆରବିର କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୨ ରିପୋର୍ଟରେ ଏହି ତଥ୍ୟ ରହିଛି । ଜାତୀୟ ସ୍ତର ଠାରୁ ଓଡ଼ିଶାରେ ଏ ଦୁଇ କ୍ଷେତ୍ରରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି ।

ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ୨୦୨୨ ଶେଷ ବେଳକୁ ଓଡ଼ିଶାରେ ମହିଳମାନଙ୍କ ପ୍ରତି ଅପରାଧ ମାମଲାରୁ ୧,୬୯,୫୭୨ ବିଚାରାଧୀନ ଥିବାବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ୨୧,୪୨୪ଟି ବିଭିନ୍ନ ଆଇନ୍‍ ଅଦାଲତରେ ବିଚାରାଧୀନ ଥିଲା । ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ଥିବା ମହିଳାମାନଙ୍କ ପ୍ରତି ଅପରାଧିକ ମାମଲା ସଂଖ୍ୟା ପ୍ରାୟ ୨ଲକ୍ଷ ଓ ଶିଶୁମାନଙ୍କ ପ୍ରତି ଅପରାଧିକ ମାମଲା ସଂଖ୍ୟା ପ୍ରାୟ ୨୮ ହଜାର ହେବ ବୋଲି ଆଶଙ୍କା କରାଯାଉଛି । ଏହାଛଡ଼ା ରାଜ୍ୟରେ ମହିଳା ଓ ଶିଶୁ ନିଖୋଜ ଭଳି ସମ୍ବେଦନଶୀଳ ଦୁର୍ଘଟଣା ବି ବଢ଼ିବଢ଼ି ଚାଲିଛି ।

ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧର ଦମନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଆଇନ୍‍ କରିଛନ୍ତି । ଏ ସଂକ୍ରାନ୍ତରେ ଥାନା, ଫାଣ୍ଡିଠାରୁ ବିଚାରାଳୟ ଓ କମିଶନ ପର୍ଯ୍ୟନ୍ତ ବହୁ ସଂସ୍ଥା ବି କାର୍ଯ୍ୟ କରୁଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଛି । କେତେକ କ୍ଷେତ୍ରରେ ଆଇନ୍‍ର ଦୁରୁପଯୋଗ କରାଯାଇ ମିଥ୍ୟା ମାମଲା ରୁଜୁ କରାଯିବାରୁ ବ୍ୟବସ୍ଥା ବି ବାଟବଣା ହେଉଥିବା କୁହାଯାଉଛି ।

ଏ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହେଉନଥିବା ଏବଂ ବିଳମ୍ବିତ ବିଚାର ପ୍ରକ୍ରିୟା ସହିତ ତ୍ରୁଟିପୂର୍ଣ୍ଣ ତଦନ୍ତ, ମାମଲା ପରିଚାଳନାରେ ପକ୍ଷପାତିତା ଏବଂ ବିଶେଷକରି ପୁଲିସ ଉପରେ ରାଜନୈତିକ ଚାପ ଯୋଗୁ ଏଭଳି ସମସ୍ୟା ବଢ଼ି ଚାଲୁଛି ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ ରୋକଠୋକ୍‍ ମନ୍ତବ୍ୟ ଦେଉଛନ୍ତି । (ତଥ୍ୟ)