Home Election ମହିଳା ଆଶାୟୀଙ୍କ ତାଲିକା ଲମ୍ବୁଛି

ମହିଳା ଆଶାୟୀଙ୍କ ତାଲିକା ଲମ୍ବୁଛି

ଭୁବନେଶ୍ୱର : ବିଧାନସଭା ଓ ସଂସଦରେ ମହିଳାମାନଙ୍କ ଲାଗି ଏକ ତୃତୀୟାଂଶ ପ୍ରସଙ୍ଗ ଘେନି ଏବେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଜୋର୍‍ଦାର ଚର୍ଚ୍ଚା ଚାଲିଥିବାବେଳେ ଓଡ଼ିଶାରେ ବିଭିନ୍ନ ଦଳରୁ ପ୍ରାର୍ଥୀ ହେବାପାଇଁ ମହିଳା ଆଶାୟୀଙ୍କ ନାମ ତାଲିକା ଲମ୍ବିବାରେ ଲାଗିଛି ।

ଯଦି ମହିଳା ସଂରକ୍ଷଣ ବିଲ୍‍ ଆଇନର ରୂପ ନିଏ ତେବେ ଓଡ଼ିଶାରେ ଅନ୍ୟୁନ ୭ଟି ଲୋକସଭା ଆସନ ଓ ୪୯ଟି ବିଧାନସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ତେବେ କେଉଁ ଭିତ୍ତିରେ କେଉଁ ଆସନକୁ ମହିଳା ସଂରକ୍ଷଣ ପରିସରକୁ ଅଣାଯିବ ତାହା ନୂଆ ଆଇନ ଓ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ଏବେ ରାଜ୍ୟ ସଭାର ୧୦ଟି ଆସନ ଭିତରୁ ଗୋଟିକରେ ବିଜେପି ଓ ୯ଟିରେ ବିଜେଡି ସାଂସଦ ଥିବାବେଳେ ଏଥିମଧ୍ୟରୁ ଦୁଇଟି ଆସନରେ ବିଜେଡିର ୨ଜଣ ନେତ୍ରୀ ଶ୍ରୀମତୀ ମମତା ମହାନ୍ତ ଓ ସୁଲତା ଦେଓ ପ୍ରତିନିଧିତ୍ୱ କରୁଛନ୍ତି । ଓଡ଼ିଶା ପାଇଁ ଲୋକସଭାରେ ୨୧ଟି ଆସନ ଥିବାବେଳେ ସେଥିରୁ ୭ଟିରେ ଏବେ ମହିଳା ପ୍ରତିନିଧି ଅଛନ୍ତି । ଏହି ୭ଜଣଙ୍କ ମଧ୍ୟରୁ ବିଜେପିର ଦୁଇଜଣ ଥିବାବେଳେ ଅନ୍ୟ ୫ଜଣ ଅଛନ୍ତି ବିଜେଡିର । ମୋଟାମୋଟି ଭାବେ ଓଡ଼ିଶାର ୨୧ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ବିଜେଡିର ସର୍ବାଧିକ ୧୨ଜଣ ଥିବାବେଳେ ବିଜେପିର ୮ ଓ କଂଗ୍ରେସର ମାତ୍ର ଜଣେ ସାସଂଦ ରହିଛନ୍ତି ।

ଲୋକସଭାରେ ଓଡ଼ିଶାର ଆସନଗୁଡିକ ମଧ୍ୟରୁ ଏକ ତୃତୀୟାଂଶ ମହିଳାଙ୍କ ହାତରେ ରହିଛି ଯାହା ସାରା ଦେଶରେ ବିରଳ । ବିଜେଡିର ୫ଜଣ ମହିଳା ସାଂସଦ ହେଲେ ଆସିକାର ପ୍ରମିଳା ବିଷୋୟୀ, ଭଦ୍ରକର ମଞ୍ଜୁଲତା ମଣ୍ଡଳ, ଜଗତସିଂହପୁରର ଡାକ୍ତର ରାଜଶ୍ରୀ ମଲ୍ଲିକ, ଯାଜପୁରର ଶର୍ମିଷ୍ଟା ସେଠୀ ଓ କେନ୍ଦୁଝରର ଚନ୍ଦ୍ରାଣୀ ମୁର୍ମୁ । ବିଜେପିର ଓଡ଼ିଶାରେ ଥିବା ଦୁଇ ମହିଳା ସାଂସଦ ହେଲେ ଭୁବନେଶ୍ୱରର ଅପରାଜିତା ଷଡଙ୍ଗୀ ଓ ବଲାଙ୍ଗୀରର ସଙ୍ଗୀତା କୁମାର ସିଂଦେଓ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ହେବାଲାଗି ବହୁ ମହିଳା ଆଗ୍ରହୀ ଥିବା ଜଣାପଡିଛି ।

ଓଡ଼ିଶା ବିଧାନସଭାର ୧୪୯ଟି ଆସନ ମଧ୍ୟରୁ ଏବେ ମହିଳାଙ୍କ ହାତରେ ୧୮ଟି ରହିଛି । ଏଥିମଧ୍ୟରୁ ବିଜେଡିର ୧୭ଜଣ ମହିଳା ବିଧାୟିକା ଥିବାବେଳେ ବିଜେପିର କେବଳ ମାତ୍ର ଜଣେ ବିଧାୟିକା ରହିଛନ୍ତ ସୁନ୍ଦରଗଡ଼ର କୁସୁମ ଟେଟେ । ଅନ୍ୟ ୧୭ଜଣ ବିଧାୟିକାଙ୍କ ମଧ୍ୟରୁ ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍‍ଙ୍କ ଭଳି ୫ଜଣ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟା ରହିଛନ୍ତି ।

ବିଜେଡିର ଅନ୍ୟ ୧୨ଜଣ ବିଧାୟିକା ହେଲେ ପଦ୍ମପୁରର ବର୍ଷା ସିଂ ବରିହା, ଅତାବିରାର ସ୍ନେହାଙ୍ଗିନୀ ଛୁରିଆ, ବ୍ରଜରାଜନଗରର ଅଳକା ମହାନ୍ତି, ଝାରସୁଗୁଡ଼ାର ଦୀପାଳି ଦାସ, ଚମ୍ପୁଆର ମିନାକ୍ଷୀ ମହନ୍ତ, କୋଟପାଡ଼ର ପଦ୍ମିନୀ ଦିଆନ, କବିସୂର୍ଯ୍ୟନଗରର ଲତିକା ପ୍ରଧାନ, ଖଲ୍ଲିକୋଟର ସୂର୍ଯ୍ୟମଣୀ ବୈଦ୍ୟ, ଆସିକାର ମଞ୍ଜୁଳା ସ୍ୱାଇଁ, ବରୀର ସୁନନ୍ଦା ଦାସ, ହିନ୍ଦୋଳର ସୀମାରାଣୀ ନାୟକ ଓ ପାଟକୁରାର ସାବିତ୍ରୀ ଅଗ୍ରୱାଲ ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦରେ ମହିଳା ସଂରକ୍ଷଣ ବିଲ୍‍ ପାରିତ କରାଇବା ପାଇଁ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ପ୍ରଭାବିତ କରୁଛନ୍ତି । ଅତୀତରେ ରାଜ୍ୟ ସଭାରେ ଏହି ବିଲ୍‍ ପାରିତ ହୋଇଥିଲେ ମଧ୍ୟ ଲୋକସଭାରେ ଝଟ୍‍କା ଲାଗିଥିଲା । ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସ୍ଥାନ ସଂରକ୍ଷଣ ବିଲ୍‍ ଆସିବା ଘେନି ରାଜ୍ୟ ସଭାର ଅଧ୍ୟକ୍ଷଙ୍କ ମନ୍ତବ୍ୟରୁ ସୂଚନା ମିଳୁଛି । ଏ ପରିପ୍ରେକ୍ଷୀରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଶ୍ରେୟ ନେବାପାଇଁ ବିବୃତ୍ତି ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି ।

ଅତୀତରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରି ଏବଂ ପୌର ଓ ପଞ୍ଚାୟତ ନିର୍ବାଚନରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନ ପାଳିର ସରକାର ସମୟରେ ପୌର ଓ ପଞ୍ଚାୟତ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରଖାଯାଇଛି । ଓଡ଼ିଶାରେ ମିଶନ ଶକ୍ତିକୁ ବିଜେଡିର ଶକ୍ତିକେନ୍ଦ୍ର ବୋଲି କୁହାଯାଉଥିବା ପରିପ୍ରେକ୍ଷୀରେ ମହିଳା ସଂରକ୍ଷଣ ବିଲ୍‍ ଗୃହୀତ ହେଉ ବା ନହେଉ ବିଜେଡି ମହିଳାକାର୍ଡ ଖେଳି ଅନ୍ୟୁନ ଏକ ତୃତୀୟାଂଶ ଆସନରେ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ଚାଲିଛି । ଏ ପରିପ୍ରେକ୍ଷୀରେ ବିଜେଡି ଅନ୍ୟୁନ ୫୦ଟି ପର୍ଯ୍ୟନ୍ତ ବିଧାନସଭା ଓ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଛିଡା କରିବାର ସମ୍ଭାବନା ଥିବାରୁ ଦଳ ଭିତରେ ବହୁ ନାରୀନେତ୍ରୀ ନିର୍ବାଚନ ଲଢିବାକୁ ଆଗ୍ରହୀ । ବିଜେପି ଓ କଂଗ୍ରେସର ନାରୀନେତ୍ରୀମାନେ ମଧ୍ୟ ଅଧିକ ଆସନରୁ ପ୍ରାର୍ଥୀ ହେବାପାଇଁ ଚାହୁଁଛନ୍ତି । (ତଥ୍ୟ)