Home Election ମହିଳା ପ୍ରାର୍ଥୀଙ୍କ ଉପରେ ନଜର

ମହିଳା ପ୍ରାର୍ଥୀଙ୍କ ଉପରେ ନଜର

ଭୁବନେଶ୍ୱର : ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାୟ ୨୦ଜଣ ମହିଳା ପ୍ରାର୍ଥୀଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଏମାନଙ୍କ ମଧ୍ୟରେ ବାଚସ୍ପତିଙ୍କ ସମେତ ତିନି ଜଣ ସାଂସଦ ରହିଛନ୍ତି ।

ମୟୁରଭଞ୍ଜ ଲୋକସଭା ଇଲାକାରେ ରହିଛନ୍ତି ଦୁଇଜଣ ଚର୍ଚ୍ଚିତ ମହିଳା ପ୍ରାର୍ଥୀ । ଜଣେ ହେଉଛନ୍ତି ମନ୍ତ୍ରୀ ସୁଦାମା ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ଓ ବିଧାୟକ ରାଜୁ ଦାସଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍‍ଗୋ । ସୁଦାମ ଚଳିତଥର ମୟୁରଭଞ୍ଜ ଆସନରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଥିବା ପତ୍ନୀ ରଞ୍ଜିତା ସୁଦାମଙ୍କ ବାଙ୍ଗିରିପୋଷୀ ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ରାଜୁ ଦାସଙ୍କ ଆସନ ମୋରଡାରୁ ତାଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି ।

ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ବସ୍ତାରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ସୁବାସିନୀ ଜେନା ଓ ସିମୁଳିଆରୁ ପ୍ରାର୍ଥୀ ହୋଇଥିବା ସୁବାସିନୀ ସାହୁ ଚର୍ଚ୍ଚାରେ ରହିଛନ୍ତି । ସେହିଭଳି ଭଦ୍ରକ ଲୋକସଭାରେ ପ୍ରାର୍ଥୀ ହୋଇଛନ୍ତି ସାଂସଦ ମଂଜୁଲତା ମଣ୍ଡଳ ।

ଯାଜପୁର ଲୋକସଭା ଆସନରେ ସାଂସଦ ଶର୍ମିଷ୍ଠା ସେଠୀ ପ୍ରାର୍ଥୀ ହୋଇଥିବାବେଳେ ବାଚସ୍ପତି ପ୍ରମିଳା ମଲ୍ଲିକ ବିଞ୍ଝାରପୁରର ପ୍ରାର୍ଥୀ ହୋଇଛନ୍ତି । ଶ୍ରୀମତା ମଲ୍ଲିକଙ୍କୁ କଂଗ୍ରେସ ଓ ବିଜେପିର ଆଉ ଦୁଇ ମହିଳା ପ୍ରାର୍ଥୀ କଡା ଟକ୍କର ଦେଉଛନ୍ତି । କୋରେଇ ଆସନରୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସଂଧ୍ୟାରାଣୀ ଦାସ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ସହିତ ଲଢୁଛନ୍ତି କଂଗ୍ରେସର ମହିଳା ପ୍ରାର୍ଥୀ ବନ୍ଦିତା ପରିଡା । ବଡଚଣା ଆସନରୁ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ବିଜେଡି ପ୍ରାର୍ଥୀ କରିଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସ୍ଥାନରେ ବିଜେଡି ବର୍ଷାଙ୍କୁ ପ୍ରାର୍ଥୀ କରିଛି । ଜିଲ୍ଲାର ଧର୍ମଶାଳା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସ୍ମୃତି ରେଖା ପହି ।

ସେହିଭଳି କେନ୍ଦ୍ରାପଡା ଲୋକସଭା ଅଧିନରେ ଥିବା ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ତିନି ତିନି ଜଣ ଚର୍ଚ୍ଚିତ ମହିଳାପ୍ରାର୍ଥୀଙ୍କ ଉପରେ ନଜର ରହିଛି । ଏମାନେ ହେଲେ ଆଳି ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦେବସ୍ମିତା ଶର୍ମା ଏବଂ କେନ୍ଦ୍ରାପଡା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ ଏବଂ କେନ୍ଦ୍ରାପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ରହିଛନ୍ତି । ଗୀତାଞ୍ଜଳି ବିଜେଡିରୁ ଇସ୍ତଫା ଦେଇ ସେଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

ଜଗତ୍‍ସିଂହପୁର ଲୋକସଭା ଆସନରେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ପାରାଦୀପ୍‍ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଗୀତାଞ୍ଜଳି ରାଉତରାୟ ଏବଂ ନିମାପଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଭାତୀ ପରିଡାଙ୍କ ଉପରେ ସମସ୍ତଙ୍କ ନଜର । ଗୀତାଞ୍ଜଳିଙ୍କୁ ବିଜେଡି ତାଙ୍କ ସ୍ୱାମୀ ବିଧାୟକ ସମ୍ବିତ ରାଉତରାୟଙ୍କ ଆସନରେ ପ୍ରାର୍ଥୀ କରିଛି ।

ଅନ୍ତିମ ପର୍ଯ୍ୟାୟରେ ଜୁନ୍‍ ୧ ତାରିଖରେ ମତଦାନ ହେବାକୁ ଥିବାବେଳେ ଜୁନ୍‍ ୪ତାରିଖରେ ଭୋଟଗଣତି ହେବ । ସେତେବେଳେ ଏହି ମହିଳାଙ୍କ ମଧ୍ୟରୁ କିଏ ବିଜୟୀ ହୋଇ ଲୋକସଭା ଓ ବିଧାନସଭାକୁ ଯିବେ ତାହା ସ୍ପଷ୍ଟ ହେବ । (ତଥ୍ୟ)