Home General ମହିଳାଙ୍କ ପ୍ରତି ଅପରାଧ ବଢୁଛି

ମହିଳାଙ୍କ ପ୍ରତି ଅପରାଧ ବଢୁଛି

ଭୁବନେଶ୍ୱର : ମହିଳାମାନଙ୍କୁ ସଶକ୍ତ କରିବାଲାଗି ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କିନ୍ତୁ ବଢି ବଢି ଚାଲିଛି । ବିଶେଷକରି ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ହାର ଆମ ରାଜ୍ୟ ଓ ଦେଶରେ ଢେର କମ୍‍ ରହୁଛି ।

କେନ୍ଦ୍ର ସରକାରଙ୍କ ସର୍ବଶେଷ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ସାରା ଦେଶରେ ପାଖପାଖି ୨୪ଲକ୍ଷ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲା ବିଚାରାଧିନ ଥିବାବେଳେ ସେଥିରୁ ୨ଲକ୍ଷ ବି ଫଏସଲା ହୋଇପାରି ନାହିଁ ଏବଂ ଏଥିରେ ୪୦ହଜାରରୁ କମ୍‍ ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ଅଧିକାଂଶ କ୍ଷେତ୍ରରେ ଅପରାଧିମାନେ ଉପର ଅଦାଲତରେ ଅପିଲ୍‍ କରି ବେଧଡକ ବାହାରେ ବୁଲୁଛନ୍ତି ।

ଏହି ରିପୋର୍ଟର ତଥ୍ୟ ମୁତାବକ ସାରା ଦେଶରେ ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ଭିତରୁ ୮ପ୍ରତିଶତରୁ କମ୍‍ ଫଏସଲା ହୋଇଥିବାବେଳେ ଯେତିକି ବି ମାମଲା ଫଏସଲା ହୋଇଛି ସେଥିରୁ ପାଖପାଖି ୭୫ ପ୍ରତିଶତରେ ଅପରାଧିମାନେ ଖଲାସ ହୋଇଯାଇଛନ୍ତି ।

ଉକ୍ତ ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ଆରମ୍ଭ ବେଳକୁ ଓଡିଶାରେ ମହିଳାଙ୍କ ପ୍ରତି ଅପରାଧିକ ମାମଲା ଭିତରୁ ପ୍ରାୟ ୧ଲକ୍ଷ ୭୦ହଜାର ବିଚାର ପ୍ରତୀକ୍ଷାରେ ଥିଲା । ପୂର୍ବବର୍ଷରେ ଏଥିରୁ ମାତ୍ର ୭୩୯୩ ଟିର ଫଏସଲା ହୋଇଥିବାବେଳେ ଦଣ୍ଡାଦେଶ ହୋଇଥିଲା ୬୭୧ଟିରେ । ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ହାର ଓଡିଶାରେ ମାତ୍ର ୪.୨ ପ୍ରତିଶତରେ ସୀମିତ ଥିବାବେଳେ ଦଣ୍ଡବିଧାନ ହାର କିନ୍ତୁ ୯.୨ ପ୍ରତିଶତ ଥିବା କ୍ରାଇମ ଇନ୍‍ ଇଣ୍ଡିଆ ରିପୋର୍ଟର ସର୍ବଶେଷ ତଥ୍ୟ କହୁଛି ।

ଅନ୍ୟାନ୍ୟ ପରିସଂଖ୍ୟାନର ତଥ୍ୟ ମୁତାବକ ଛୋଟ ବାଳିକାଙ୍କ ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ମହିଳା ପାରିବାରିକ ଓ ଅନ୍ୟାନ୍ୟ ହିଂସାର ଶିକାର ହେଉଛନ୍ତି । ରକ୍ତହୀନତା, ଅପପୁଷ୍ଟି ଆଦି ରୋକିବା ସହ ମାତୃମୃତ୍ୟୁହାର ଅବଶ୍ୟ କିଛି ପରିମାଣରେ କମିଛି ।

ମହିଳାମାନଙ୍କ ସ୍ୱାର୍ଥରକ୍ଷା ଲାଗି ସ୍ୱର ଉତ୍ତୋଳନ କରୁଥିବା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନଙ୍କ ମତ ହେଉଛି ଯେ ଓଡିଶା ସମେତ ସାରା ଦେଶରେ ଯେପର୍ଯ୍ୟନ୍ତ ନିଶା କାରବାର ବନ୍ଦ ନହୋଇଛି ସେ ପର୍ଯ୍ୟନ୍ତ ହିଂସା ଓ ଅପରାଧ ବଢି ଚାଲୁଥିବ ଏବଂ ଏହାର ପ୍ରଥମ ଶିକାର ମହିଳାମାନେ ହେଉଥିବେ । ମହିଳା ସଶକ୍ତିକରଣ ସହ ସେମାନଙ୍କ ନିରାପତ୍ତା ଓ ରୋଜଗାର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କରିବା ସଂଗେ ସଂଗେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । ଏଥିଯୋଗୁଁ ଅବଶ୍ୟ କେତେକ କ୍ଷେତ୍ରରେ ମହିଳାମାନେ ସ୍ୱାବଲମ୍ବି ହେବା ସହିତ ପୌର ଓ ପଞ୍ଚାୟତିରାଜ ସଂସ୍ଥାରେ ପ୍ରତିନିଧିତ୍ୱ କରୁଛନ୍ତି । ଏହାଛଡା ଆସନ ସଂରକ୍ଷଣ ଯୋଗୁଁ ସରକାରୀ ଚାକିରି କ୍ଷେତ୍ରରେ ବି ମହିଳାମାନଙ୍କ ହାର ବଢିଛି । ଏମିତିକି ଶିକ୍ଷାନୁଷ୍ଠାନଗୁଡିକରେ ବି ଝିଅମାନଙ୍କ ସଂଖ୍ୟା ବଢୁଛି । ଏହା ସତ୍ୱେ କିନ୍ତୁ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା କମିବା ପରିବର୍ତ୍ତେ ବଢୁଛି ।

ମହିଳାମାନଙ୍କ ବିକାଶ ସହ ଶିଶୁ କଲ୍ୟାଣ ଉପରେ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱଆରୋପ କରିଆସୁଛନ୍ତି । ଶିଶୁମାନଙ୍କ ପ୍ରତି ହିଂସା ରୋକିବାଲାଗି ଅନେକ କଡା ଆଇନ୍‍ ବି ପ୍ରଣୟନ ହୋଇଛି । ଏସବୁ ସତ୍ୱେ ସାରା ଦେଶରେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ହାର ୮ ପ୍ରତିଶତରୁ କମ୍‍ ରହିଥିବାବେଳେ ଦଣ୍ଡବିଧାନ ହାର ୩୩.୬ ପ୍ରତିଶତ ରହିଛି । ଓଡିଶାରେ ଏଭଳି ମାମଲାରେ ଫଏସଲା ହାର ମାତ୍ର ୪.୪ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର ୧୨.୬ ପ୍ରତିଶତ ଥିବା କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟରୁ ଜଣାପଡିଛି । (ତଥ୍ୟ)