Home Judiciary ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡ ବିଧାନ କମ୍‍

ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡ ବିଧାନ କମ୍‍

ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର କମ୍‍ ରହୁଥିବା ଘେନି ଖୋଦ୍‍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ବେଗ ପ୍ରକାଶ କରିଥିବା ବେଳେ ଏଭଳି ସମ୍ବେଦନଶୀଳ ମାମଲାଗୁଡ଼ିକରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ ସ୍ୱତନ୍ତ୍ର କୋର୍ଟ ଖୋଲିବା ଓ ଦଣ୍ଡବିଧାନ ହାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିବା ପରିପ୍ରେକ୍ଷୀରେ ଏ ପ୍ରସଂଗରେ ବିଭାଗୀୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁଛନ୍ତି ।

ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‍ଯାପନ ସମାରୋହରେ ମହିଳା ହିଂସା ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ବେଳେ ଅତୀତରେ ତଦନ୍ତ ଓ ମାମଲା ପରିଚାଳନାରେ ଦୁର୍ବତଳା ଏବଂ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଓଡ଼ିଶାରେ ମହିଳା ହିଂସାରେ ଦଣ୍ଡବିଧାନ ହାର ସର୍ବ ଭାରତୀୟ ହାର ତୁଳନାରେ ଢେର କମ୍‍ ରହିଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହାପରେ ଏ ପ୍ରସଂଗରେ ଘାଣ୍ଟଚକଟ ଆରମ୍ଭ ହୋଇଛି ।

କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶ ପାଉଥିବା ବାର୍ଷିକ ‘କ୍ରାଇମ୍‍ ଇନ୍‍ ଇଣ୍ଡିଆ’ ରିପୋର୍ଟରେ ଏ କ୍ଷେତ୍ରରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଚିନ୍ତା ବଢ଼ାଇଛି । ୨୦୧୬ର କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟରେ ଏହିବର୍ଷ ଶେଷ ସୁଦ୍ଧା ମହିଳାମାନଙ୍କ ପ୍ରତି ଘଟିଥିବା ୮୨,୩୬୪ଟି ମାମଲା ବିଚାରାଧୀନ ଥିବାବେଳେ ଉକ୍ତ ବର୍ଷରେ ୬,୩୦୪ ମାମଲା ଫଇସଲା ହୋଇଥିଲା । ସେଥିରୁ ମାତ୍ର ୩୯୨ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ୫,୯୧୨ଟି ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ । ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାରମାତ୍ର ୬.୨ ପ୍ରତିଶତ ଥିଲା ।

୨୦୨୩ ଡିସେମ୍ବର ମାସରେ ପ୍ରକାଶ ପାଇଥିବା କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୨ ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ବର୍ଷରେ ଓଡ଼ିଶାରେ ୭,୩୯୩ଟି ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାର ଫଇସଲା ହୋଇଥିବା ବେଳେ ସେଥିରୁ ୬୭୧ଟିରେ ଦଣ୍ଡବିଧାନ ହୋଇଥିଲା ଏବଂ ୬୬୧୩ଟି ମାମଲାରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିଲେ । ଅର୍ଥାତ୍‍ ଏହିବର୍ଷରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ଥିଲା ୯.୨ ପ୍ରତିଶତ । ମୋଟାମୋଟି ଭାବେ ୨୦୨୩ ଆରମ୍ଭ ବେଳକୁ ଓଡ଼ିଶାରେ ୧,୬୯,୫୭୨ଟି ମହିଳାଙ୍କ ପ୍ରତି ଅପରାଧିକ ମାମଲା ବିଚାରାଧୀନ ରହିଥିଲା ।

ରିପୋର୍ଟର ବିଶ୍ଳେଷଣ ମୁତାବକ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ୨୦୧୬ ବର୍ଷରେ ମାତ୍ର ୭.୭ ପ୍ରତିଶତ ଫଇସଲା ହୋଇଥିବା ବେଳେ ୨୦୨୧ ବର୍ଷରେ ୧.୪ ପ୍ରତିଶତ ଓ ୨୦୨୨ ବର୍ଷରେ ୪.୨ ପ୍ରତିଶତ ଫଇସଲା ହୋଇଥିଲା । ବର୍ଷବର୍ଷ ଧରି ଏଭଳି ସମ୍ବେଦନଶୀଳ ମାମଲାର ବିଚାର ଶେଷ ନହୋଇ ପଡ଼ିରହିବା ଫଳରେ ସାକ୍ଷ୍ୟ ପ୍ରମାଣ ଦୁର୍ବଳ ହେବା, ତଦନ୍ତରେ ତ୍ରୁଟି ବିଚ୍ୟୁତି ଏବଂ ମାମଲା ପରିଚାଳନା କ୍ଷେତ୍ରରେ ସମନ୍ୱୟ ଅଭାବ ଆଦି ବିଭିନ୍ନ କାରଣରୁ ମହିଳାଙ୍କ ପ୍ରତି ଅପରାଧିକ ମାମଲା ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦଣ୍ଡବିଧାନ ଓ ଫଇସଲା ହାର ଢେର କମ୍‍ ରହିବା ଉଦ୍‍ବେଗର କଥା । ଏଠାରେ ଉଲ୍ଲେଖନୀୟ ଯେ ୨୦୨୨ ବର୍ଷରେ ଜାତୀୟ ସ୍ତରରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ୨୫.୩ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ୯.୨ ପ୍ରତିଶତ ରହିବା ଚିନ୍ତାଜନକ ବୋଲି ଅଭିଜ୍ଞ ଆଇନ୍‍ଜୀବୀ ଏବଂ ମହିଳା ସଶକ୍ତିକରଣ ପାଇଁ ଲଢ଼ୁଥିବା ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)