Home General ମହିଳାଙ୍କ ଆକାଉଣ୍ଟକୁ ଗଲା ୫ମ କିସ୍ତି

ମହିଳାଙ୍କ ଆକାଉଣ୍ଟକୁ ଗଲା ୫ମ କିସ୍ତି

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟି ର ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ।

ଉପସ୍ଥିତ ସୁଭଦ୍ରା ମା ଓ ଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା କେବଳ ଟଙ୍କା ଆବଣ୍ଟନର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା । ନାରୀ ସଶକ୍ତିକରଣର ପ୍ରକୃତ ଅର୍ଥ ବ୍ୟାଖ୍ୟା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେବଳ ସହାୟତା ପ୍ରଦାନ କରିବା ସଶକ୍ତିକରଣ ନୁହେଁ, ବରଂ ମହିଳାମାନଙ୍କୁ ସାମାଜିକ, ରାଜନୈତିକ ତଥା ଆର୍ଥିକ ସ୍ତରରେ ଆତ୍ମନିର୍ଭର କରି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଦେବା ହିଁ ଅସଲ ସଶକ୍ତିକରଣ।

ଆଇଆଇଏମ ସମ୍ବଲପୁର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭେ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ପ୍ରାୟ ୮୦ ପ୍ରତିଶତ ମହିଳା ସୁଭଦ୍ରା ସହାୟତାକୁ କେବଳ ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ ନକରି, ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ୮୭.୧୯ ପ୍ରତିଶତ ହିତାଧିକାରୀ ସୁଭଦ୍ରାକୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଛନ୍ତି । ମହିଳାଙ୍କ ଆକାଉଣ୍ଟ ବାଲାନ୍ସ ଓ ମାସିକ ଖର୍ଚ୍ଚରେ ବୃଦ୍ଧି ଘଟିଛି । ନୟାଗଡ଼ର ରଞ୍ଜୁବାଳା ଓ ସୌଦାମିନୀ ନନ୍ଦ, ଗଞ୍ଜାମର ଗୌରୀ ସାହୁ, ସୁବର୍ଣ୍ଣପୁରର ଭାରତୀ ଜଗଦଳ, ଏବଂ କୋରାପୁଟର ଆରତୀ ଖୋସଲାଙ୍କ ଭଳି ଉଦ୍ୟମୀ ଭଉଣୀମାନଙ୍କ ସଫଳତାର କାହାଣୀ ରାଜ୍ୟର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି ।

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗଠିତ ‘ମହିଳା ଉଦ୍ୟୋଗୀକରଣ ପ୍ଲାଟଫର୍ମ’ ଜରିଆରେ ମହିଳାମାନଙ୍କୁ ବିଜିନେଶ ଆରମ୍ଭ କରିବାକୁ ମାର୍ଗ ଦର୍ଶନ , ଦକ୍ଷତା  ପ୍ରଶିକ୍ଷଣ, ବଜାର ସଂଯୋଗ ଏବଂ ଆର୍ଥିକ ସହାୟତା ଇତ୍ୟାଦି ପ୍ରଦାନ କରାଯିବାର ଵ୍ୟଵସ୍ଥା କରାଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ୨୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । 

ଏହାସହିତ ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏବଂ ରାଜ୍ୟ ବଜେଟ୍‌ରେ ମହିଳାଙ୍କ ପାଇଁ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ଐତିହାସିକ ବ୍ୟୟବରାଦ ବିଷୟରେ ସେ ଆଲୋକପାତ କରିଥିଲେ। ସଂସଦରେ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସମସ୍ତଙ୍କୁ ଦୀପଟିଏ ଜାଳି ଆଶୀର୍ବାଦ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ନୟାଗଡ଼ ଜିଲ୍ଲାବାସୀଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ନୟାଗଡ଼ ଚିନି କଳ ପ୍ରତିଷ୍ଠା ସହିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।

ଏହି ଅବସରରେ ବାଚସ୍ପତି ସୁରମା ପାଢୀ କହିଥିଲେ ଯେ ଆମ ସରକାର ଦାୟିତ୍ୱ ନେବା ସମୟରେ ସଠିକ୍ ନିଷ୍ପତ୍ତି ନେଇ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଏହି ସୁଭଦ୍ରା ଯୋଜନା ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ମା ଓ ଭଉଣୀଙ୍କ ସାମାଜିକ ଓ ଆର୍ଥିକ ଜୀବନରେ ପରିବର୍ତ୍ତନ ଆଣିଛି ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ସୁଭଦ୍ରା ହେଉଛି ମା ଓ ଭଉଣୀ ମାନଙ୍କ ସ୍ୱପ୍ନ, ସମ୍ମାନ ଓ ସ୍ୱାବଲମ୍ବନର ପ୍ରତୀକ । ରାକ୍ଷୀ ପୂର୍ଣ୍ଣିମା  ଅବସରରେ ଆମ ବସରେ ମା ଓ ଭଉଣୀ ମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ସୁଭଦ୍ରା ଆଜି ମହିଳାମାନଙ୍କୁ ନିଜେ ନିଷ୍ପତ୍ତି ନେବାର ଓ ଉଦ୍ୟୋଗୀ ବନିବାର ସୁଯୋଗ ପ୍ରଦାନ କରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ସଫଳ ସୁଭଦ୍ରା ହିତାଧିକାରୀ ଓ ପ୍ରଶିକ୍ଷିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ସୁଭଦ୍ରା ବାର୍ଷିକ ରିପୋର୍ଟ ୨୦୨୫-୨୬, ଏସବିଆଇ ସର୍ଭେ ରିପୋର୍ଟ ଏବଂ ସୁଭଦ୍ରା ସମୀକ୍ଷା ଉନ୍ମୋଚନ କରିଥିଲେ ।