Home Finance ମହିଳାଙ୍କୁ ବଣ୍ଟାଯାଉଛି ବର୍ଷକୁ ୨ଲକ୍ଷ କୋଟି

ମହିଳାଙ୍କୁ ବଣ୍ଟାଯାଉଛି ବର୍ଷକୁ ୨ଲକ୍ଷ କୋଟି

ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ମହିଳାମାନଙ୍କୁ ବିଭିନ୍ନ ଯୋଜନାରେ ବଣ୍ଟନ କରାଯାଉଥିବା ଅର୍ଥ ପାଇଁ ରାଜକୋଷରୁ ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାଜ୍ୟ ସରକାରମାନେ ନିଜସ୍ୱ ଯୋଜନା ପ୍ରଣୟନ କରି ଏହି ଅର୍ଥ ବାଣ୍ଟୁଛନ୍ତି ।

ଓଡ଼ିଶା ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନାରେ ୨୧ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫ବର୍ଷରେ ୫୦ ହଜାର ଟଙ୍କା ଦେବାର ଯେଉଁ ପରିକଳ୍ପନା ରଖିଛନ୍ତି ସେଥିରେ ପ୍ରତି ବର୍ଷ ଦୁଇଟି କିସ୍ତିରେ ୫ ହଜାର କରି ମୋଟ ୧୦ ହଜାର ଟଙ୍କା ଦିଆଯାଉଛି । ଏ କ୍ଷେତ୍ରରେ ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନେ ଓଡ଼ିଶାରେ ଯେତିକି ଅର୍ଥ ପାଉଛନ୍ତି ତାହାର ପରିମାଣ ମାସିକ ହାରାହାରି ପ୍ରାୟ ୮୩୩ ଟଙ୍କା କରି ପଡୁଛି ।

ଅନ୍ୟପକ୍ଷରେ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ ଆଦିରେ ଢେର ଅଧିକ ଅର୍ଥ ବଣ୍ଟାଯାଉଛି । ତେଲେଙ୍ଗାନା ସରକାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କା କରି ବାଣ୍ଟୁଥିବାବେଳେ ଆନ୍ଧ୍ର ଓ ମଧ୍ୟପ୍ରଦେଶ ସରକାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଅର୍ଥ ବାଣ୍ଟୁଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳାଙ୍କୁ ମାସିକ ୧୨୦୦ ଟଙ୍କା କରି ଅର୍ଥ ବଣ୍ଟାଯାଉଥିବାବେଳେ ଅଣସଂରକ୍ଷିତ ବର୍ଗର ଯୋଗ୍ୟ ମହିଳା ହିତାଧିକାରୀମାନେ ହଜାର ଟଙ୍କା କରି ମାସିକ ଆର୍ôଥକ ପ୍ରୋତ୍ସାହନ ପାଉଛନ୍ତି ।

କର୍ଣ୍ଣାଟକ ସରକାର ଗୃହଲକ୍ଷ୍ମୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୨ ହଜାର ଟଙ୍କା ଦେଉଥିବାବେଳେ ଶ୍ରମଶକ୍ତି ସ୍ୱତନ୍ତ୍ର ମହିଳା ଯୋଜନାରେ ୨୫ ହଜାର ଟଙ୍କାର ଋଣ ଓ ଆଉ ୨୫ ହଜାର ଟଙ୍କା ସବ୍‍ସିଡି ଦେଉଛନ୍ତି । ଝାଡ଼ଖଣ୍ଡ ସରକାର ବି ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କା କରି ବାଣ୍ଟୁଛନ୍ତି । ଦିଲ୍ଲୀ ସରକାର ମହିଳାଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ଯୋଜନା ଲାଗୁ କରିବାକୁ ଯାଉଛନ୍ତି ସେଥିରେ ମାସିକ ୧୦୦୦ ଟଙ୍କାର ଆର୍ôଥକ ପ୍ରୋତ୍ସାହନ ଦେବାକୁ ଥିବାବେଳେ ଆଉ ଗୋଟିଏ କରି ରନ୍ଧନ ଗ୍ୟାସ ସିଲିଣ୍ଡର ମଧ୍ୟ ଯୋଗାଇବାର ବ୍ୟବସ୍ଥା ରଖିଛନ୍ତି ।

ଛତିଶଗଡ଼, ଆସାମ ଓ ତାମିଲନାଡୁ ସରକାର ମଧ୍ୟ ନିଜ ରାଜ୍ୟର ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା କରି ଆର୍ôଥକ ପ୍ରୋତ୍ସାହନ ବାଣ୍ଟୁଛନ୍ତି । ହିମାଚଳ ପ୍ରଦେଶରେ ବି ମହିଳାଙ୍କୁ ମାସିକ ୧୫୦୦ ଟଙ୍କା କରି ଆର୍ôଥକ ପ୍ରୋତ୍ସାହନ ବଣ୍ଟାଯାଉଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଝିଅ ବାହାଘର ପାଇଁ ବି ସ୍ୱତନ୍ତ୍ର ଆର୍ôଥକ ସହାୟତା ବଣ୍ଟାଯାଉଛି । କେତେକ ରାଜ୍ୟରେ ମଙ୍ଗଳସୂତ୍ର, ଟିଭି ଆଦି ମଧ୍ୟ ବାଣ୍ଟିବାର ବ୍ୟବସ୍ଥା ଅଛି । ତେବେ ବିହାର ଭଳି ରାଜ୍ୟରେ ମହିଳାଙ୍କୁ କ୍ଷୁଦ୍ର ବ୍ୟବସାୟ ଲାଗି ସ୍ୱତନ୍ତ୍ର ଆର୍ôଥକ ସହାୟତା ଦେବାର ବନ୍ଦୋବସ୍ତ ରହିଛି । ଏହାଛଡ଼ା ବିଧବାଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଶାରୀରିକ ଭିନ୍ନକ୍ଷମ ଭତ୍ତା ଯୋଜନା ଆଦିରେ ବିଭିନ୍ନ ରାଜ୍ୟର ସରକାରମାନେ ବ୍ୟାପକ ଅର୍ଥ ବାଣ୍ଟୁଛନ୍ତି ।

ଏହାଛଡ଼ା ସ୍କୁଲ କଲେଜ୍‍ରେ ପଢ଼ୁଥିବା ଛାତ୍ରୀମାନଙ୍କ ଲାଗି ବି ବିଭିନ୍ନ ରାଜ୍ୟରେ ଅନେକ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମହିଳା ଉଦ୍ୟୋଗୀଙ୍କୁ ୧୦ଲକ୍ଷରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଉଛନ୍ତି । କତା ଶିଳ୍ପ ପାଇଁ ମହିଳାମାନଙ୍କୁ ମଧ୍ୟ ସ୍ୱତନ୍ତ୍ର କେନ୍ଦ୍ରୀୟ ଯୋଜନାରେ ଆର୍ôଥକ ସହାୟତା ଦିଆଯାଉଛି । କେବଳ ସେତିକି ନୁହେଁ, ମହିଳା ଓ ଶିଶୁ ମୃତ୍ୟୁ ହାର କମାଇବା ପାଇଁ ସାରା ଦେଶରେ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ କିସମର ଔଷଧ ମଧ୍ୟ ବଣ୍ଟନ କରାଯାଉଛି ଏବଂ ସରକାରୀ ଡାକ୍ତରଖାନାରେ ଯେଉଁ ଗର୍ଭବତୀ ମହିଳାମାନେ ସନ୍ତାନ ପ୍ରସବ କରୁଛନ୍ତି ସେମାନଙ୍କ ପାଇଁ ବି ଜନନୀ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଆର୍ôଥକ ସହାୟତା ଯୋଗାଉଛନ୍ତି ।