ଭୁବନେଶ୍ୱର : ୫-ଟି ମହାମନ୍ତ୍ରରେ ପରିଣତ ହୋଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା । ଏହା ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ । ଆଜି ବିଧାନସଭାରେ ଏହା କହିଛନ୍ତି ଶାସକଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ।
ଶୂନ୍ୟକାଳରେ ଶ୍ରୀ ମୁଦୁଲି କହିଛନ୍ତି ଯେ ପଞ୍ଚମଥର ପାଇଁ କ୍ଷମତାକୁ ଆସିବାପରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାରେ ୫-ଟି କାର୍ଯ୍ୟକାରୀ ହେଉଛି । ଏହା ମ୍ୟାଜିକ ଭଳି କାମ କରୁଛି ।ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ବଦଳରେ ଲୋକେ ୫-ଟିକୁ ଅବଗତ କରୁଛନ୍ତି । ଏହାକୁ ନେଇ ଲୋକଙ୍କ ଭିତରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି । ଏହା ଲୋକଙ୍କ ମନକୁ ଛୁଇଁଥିବାବେଳେ ୫-ଟି ଜରିଆରେ ଅନେକ ସମସ୍ୟାର ସମାଧାନ ହୋଇପାରୁଛି ।
ବିରୋଧିଦଳ ଦଳର ସଦସ୍ୟମାନେ ମଧ୍ୟ ୫-ଟି ବୋଲି ସମ୍ବୋଧନ କରୁଛନ୍ତି । ଏହା ଆଉ ପ୍ରଶ୍ନ ହୋଇ ରହିନାହିଁ । ୫-ଟି ରାଜ୍ୟରେ କ୍ରିୟାଶୀଳ ହୋଇଛି । ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ୫-ଟି ଉପରେ ବକ୍ତବ୍ୟ ରଖିବାପରେ ଶ୍ରୀ ମୁଦୁଲି ଏହା କହିଥିଲେ ।
ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ୫-ଟି କ’ଣ ତାହା ବୁଝା ପଡୁନାହିଁ । ଏହାର ଅଫିସ କେଉଁଠି ତାହା ବି ଜଣାନାହିଁ । ସବୁ ବିଭାଗରେ ୫-ଟିର ଆବଶ୍ୟକତା ରହିଛି । ଆମେ ପବ୍ଲିକ ଆଡମିନିଷ୍ଟ୍ରେସନ ପଢିଛୁ । ହେଲେ ସେଥିରେ କେଉଁଠି ୫-ଟି ନାହିଁ ।
ସେ କହିଥିଲେ ଯେ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଅଛନ୍ତି । ସେମାନଙ୍କ କ୍ଷମତାକୁ ସଙ୍କୁଚିତ ପାଇଁ ୫-ଟି ଉଦ୍ଦିଷ୍ଟ ନୁହେଁ ତ ? ଯଦି ୫-ଟି ଏକ ବିଭାଗ ତେବେ ବିଧାନସଭାରେ ଏହି ବିଭାଗ ଉପରେ ପ୍ରଶ୍ନ ଉତ୍ତର ରହୁନାହିଁ କାହିଁକି ?