ଭୁବନେଶ୍ୱର : ମହାନଦୀ ପ୍ରସଂଗକୁ ଅତୀତରେ ଓଡ଼ିଶା ସରକାର ହାଲୁକା ଭାବେ ନେଇଥିବାରୁ ସମସ୍ୟା ଜଟିଳ ହୋଇଛି । ଏହା ସତ୍ତ୍ୱେ ବି ମହାନଦୀକୁ ବଞ୍ଚାଇବା ପାଇଁ ଦଳମତ ନିର୍ବିଶେଷରେ ସ୍ୱର ଉତ୍ତୋଳନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି ।
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏଠାରେ ଅନୁଷ୍ଠିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମହାନଦୀ ପ୍ରସଂଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ୧୯୯୩ ମସିହାରେ ଏକ ଦ୍ୱିପାକ୍ଷୀକ ବୁଝାମଣା ହୋଇଥିଲା । ଏହି ବୁଝାମଣାକୁ କିଏ ଉଲ୍ଲଂଘନ କରିଛି ସେ ସଂପର୍କରେ ଅନୁଧ୍ୟାନ କରାଯିବା ଆବଶ୍ୟକ । ଦୁଇ ରାଜ୍ୟ ମଧ୍ୟରେ ନଦୀଜଳକୁ ନେଇ ବିବାଦ ଉପୁଜିଲେ ତାହାର ସମାଧାନ ରିଭର ବୋର୍ଡ ଆକ୍ଟ ଅନୁଯାୟୀ କରିବା ଲାଗି ଯେଉଁ ଆଇନ୍ଗତ ବ୍ୟବସ୍ଥା ରହିଛି ଏବଂ ଏ ପ୍ରସଂଗରେ ସମ୍ବିଧାନରେ ଯାହା ଉଲ୍ଲେଖ ରହିଛି ତାହାକୁ କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ରେ ବ୍ୟାପକ ସଂଖ୍ୟକ ବନ୍ଧ ନିର୍ମାଣ ଲାଗି ୨୦୦୯ ମସିହାରେ ଯେଉଁ ଅନୁମୋଦନ ମିଳିଥିଲା ତାହା ପୂର୍ବରୁ କେନ୍ଦ୍ରୀୟ ଜଳ କମିଶନ ଉଭୟ ରାଜ୍ୟର ମିଳିତ ବୈଠକ ଲାଗି ଯେଉଁ ନୋଟିସ୍ ଦେଇଥିଲେ ତଦନୁଯାୟୀ ଓଡ଼ିଶା ଯୋଗ ନଦେବାରୁ ଏକପାଖିଆ ଭାବେ ଛତିଶଗଡ଼ ସପକ୍ଷରେ ବନ୍ଧ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା । ଏହାଛଡ଼ା ମହାନଦୀର ଜଳ ମାପିବା ପାଇଁ ଛତିଶଗଡ଼ର କଲ୍ମା ଠାରେ ଓଡ଼ିଶାର ଯେଉଁ ସରକାରୀ କର୍ମଚାରୀମାନେ ରହିଛନ୍ତି ସେମାନେ ସେଠାରେ ବନ୍ଧ ନିର୍ମାଣ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କୁ ସୂଚାଇଥିଲେ କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ଅନୁଧ୍ୟାନ କରାଯିବା ଆବଶ୍ୟକ ।
ମହାନଦୀ ଓ ତା’ର ଉପନଦୀଗୁଡ଼ିକ ଉପରେ କଳକାରଖାନାକୁ ଜଳ ଯୋଗାଣ ପାଇଁ ଚୁକ୍ତି କରି ଛତିଶଗଡ଼ ମାଳମାଳ ବନ୍ଧ ନିର୍ମାଣ କରୁଥିବା ବେଳେ ଓଡ଼ିଶାରେ ଏଥିଘେନି ପ୍ରତିକ୍ରିୟା ପ୍ରକାଶ ପାଇବାରେ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସରକାରଙ୍କ ପକ୍ଷରୁ ପାଲଟା ମନ୍ତବ୍ୟ ଦିଆଯାଇଥିଲା ଯେ ଛତିଶଗଡ଼ ଶତାଧିକ ବନ୍ଧ ନିର୍ମାଣ କଲେ ମଧ୍ୟ ମହାନଦୀର କିଛି କ୍ଷତି ହେବ ନାହିଁ । ଏଭଳି ଦାୟିତ୍ୱହୀନ ବିବୃତି କିଏ, କାହିଁକି ଓ କାହାର ସ୍ୱାର୍ଥ ସାଧନ ପାଇଁ ଦେଇ ସରକାରକୁ ଭୁଲ ବାଟରେ ପରିଚାଳନା କରିଥିଲେ ସେ ସଂକ୍ରାନ୍ତରେ ୧୦ବର୍ଷ ହେବ ବ୍ୟବସ୍ଥା କାହିଁକି ନିରବ ରହିଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି ।
ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକ ଅଣ ମୌସୁମୀ ଋତୁରେ ଯେଭଳି ଶୁଖିଲା ପଡୁଛନ୍ତି ତାହାର ପ୍ରଭାବ କେବଳ ନଦୀ ତଟବର୍ତ୍ତୀ ଜନଜୀବନ ଉପରେ ପଡୁନାହିଁ, ଭୂତଳ ଜଳସ୍ତର ଠାରୁ ଆରମ୍ଭ କରି ବନ୍ୟଜନ୍ତୁ ଏମିତିକି ଚାଷ ଓ ପାନୀୟ ଜଳ ଉପରେ ମଧ୍ୟ ତାହାର ପ୍ରତିକୂଳ ପ୍ରଭାବ ବଢ଼ିବଢ଼ି ଚାଲୁଛି । ଏ ପରିପ୍ରେକ୍ଷୀରେ ଦୀର୍ଘ ବର୍ଷ ଧରି ମହାନଦୀ ଟ୍ରିବ୍ୟୁନାଲ୍ରେ ମାମଲା ପଡ଼ି ରହିଥିଲେ ମଧ୍ୟ ଶେଷ ନିଷ୍ପତ୍ତି କେବେ ଆସିବ ତାହା ଜଣାନାହିଁ । ତେଣୁ କେନ୍ଦ୍ର ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଉଭୟ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଲାଗି ସେ ସ୍ପଷ୍ଟ ପ୍ରସ୍ତାବ ଦେବା ସହ ଏହି ବ୍ୟାପାରରେ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ମହାନଦୀ ଜଳ ବିବାଦ ପ୍ରସଂଗରେ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଏବେ ଚିଠି ଆଦାନପ୍ରଦାନ ଚାଲିଥିବାବେଳେ ଏହି ସମସ୍ୟାର ଶୀଘ୍ର ଆପୋସ ସମାଧାନ ହୋଇଯିବ ବୋଲି ଓଡ଼ିଶା ପକ୍ଷରୁ ଆଶାବ୍ୟକ୍ତ କରାଯାଉଛି । (ତଥ୍ୟ)