Home News in Odia ମହାନଦୀ, ବ୍ରାହ୍ମଣୀ ପ୍ରଦୂଷିତ

ମହାନଦୀ, ବ୍ରାହ୍ମଣୀ ପ୍ରଦୂଷିତ

ଭୁବନେଶ୍ୱର : ରାଜ୍ୟର ମହାନଦୀ ଓ ବ୍ରାହ୍ମଣୀ ଜଳ ପ୍ରଦୂଷିତ । ଏହି ଦୁଇ ନଦୀର ଜଳରେ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ଏବଂ ଟୋଟାଲ କୋଲିଫର୍ମ ନିର୍ଦ୍ଧାରିତ ମାନଠାରୁ ଅଧିକ ରହିଛି । ସହରାଞ୍ଚଳର ବର୍ଜ୍ୟ ଜଳ ନଦୀରେ ମିଶିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଆକଳନ କରାଯାଇଛି ।

ବିଜେଡି ବିଧାୟକ ସୌଭିକ୍‍ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ରାଜ୍ୟରେ ପ୍ରବାହିତ ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ନିୟମିତ ଭାବେ ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷାରୁ ମହାନଦୀ ଓ ବ୍ରାହ୍ମଣୀ ଜଳ ଦୂଷିତ ଥିବା ନଜରକୁ ଆସିଛି ।

ନଦୀ ଜଳର ପ୍ରଦୂଷଣ ନିରାକରଣ ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ନିଆଯାଉଛି । ଏଥିମଧ୍ୟରେ ମହାନଦୀର ଶାଖା କାଠଯୋଡିର ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ କଟକର ମତଗଜପୁର ଓ କାଠଯୋଡିଠାରେ ସ୍ୱେରେଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ପ୍ରତିଷ୍ଠା ହେଉଛି ।

ସେହିପରି ବ୍ରାହ୍ମଣୀ ନଦୀ ପାଇଁ ତାଳଚେରଠାରେ, ମଙ୍ଗଳ ଓ ଦୟା ନଦୀରେ ଜଳକୁ ବିଶୋଧନ ପାଇଁ ପୁରୀର ମଙ୍ଗଳାଘାଟ ଓ ବାଙ୍କୀ ମୁହାଁଣଠାରେ ଦୁଇଟି ଏସଟିପି କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱରର ମେହେରପଲ୍ଲୀ, ବାସୁଆ ଘାଇ, କୋଚିଳାପୁଟ, ପାଇକରାପୁରଠାରେ ଏସଟିପି ପରୀକ୍ଷଣ ପର୍ଯର୍୍ୟାରେ ଥିବାବେଳେ ରୋକଟଠାରେ ଗୋଟିଏ ଏସଟିପି ନିର୍ମାଣ ହେଉଛି ।

ସେହିଭଳି ମହାନଦୀର ଜଳକୁ ବିଶୋଧନ ପାଇଁ ସମ୍ବଲପୁରର ଧନୁପାଲିଠାରେ ଗୋଟିଏ ଏସଟିପି ନିର୍ମାଣ ହେଉଥିବା ବେଳେ ବ୍ରାହ୍ମଣୀ ଜଳର ବିଶୋଧନ ପାଇଁ ରାଉରକେଲାର ରୁପତାଲା ବାଲୁଘାଟଠାରେ ନିର୍ମାଣାଧୀନ ଏସଟିପି ଏବେ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । (ତଥ୍ୟ)