Home General ମହାନଦୀ ବିବାଦର ସମାଧାନ କରନ୍ତୁ ପ୍ରଧାନମନ୍ତ୍ରୀ

ମହାନଦୀ ବିବାଦର ସମାଧାନ କରନ୍ତୁ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ବୃହତ୍ତମ ନଦୀ ତଥା ରାଜ୍ୟର ଜୀବନରେଖା କୁହାଯାଉଥିବା ମହାନଦୀକୁ ଅପମୃତ୍ୟୁ ମୁଖରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବା ଲାଗି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମତ ପ୍ରକାଶ ପାଇଛି ।

ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ଛତିଶଗଡ଼ ଅନେକ ବନ୍ଧ ବାନ୍ଧି କଳାକାରଖାନାଗୁଡ଼ିକୁ ପାଣି ଯୋଗାଇବା ଫଳରେ ଅଣ ମୌସୁମୀ ଋତୁରେ ମହାନଦୀର ଶଯ୍ୟା ଶୁଖିଲା ପଡୁଛି । ଏଥିଯୋଗୁ ମଣିଷ, ଗୃହପାଳିତ ପଶୁ, ବନ୍ୟ ଜନ୍ତୁଙ୍କ ସମେତ ପ୍ରାକୃତିକ ପରିବେଶ ଉଜୁଡୁଛି । ମହାନଦୀ ଶଯ୍ୟା ଶୁଖିଲା ପଡ଼ିବାରୁ ଏହାର ଶାଖା ନଦୀ ଏମିତିକି ଚିଲିକା ହ୍ରଦ ମଧ୍ୟ ବହୁ ପରିମାଣରେ ପୋତି ହୋଇପଡୁଛି ଏବଂ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରୁ ପାନୀୟ ଜଳ ସଂକଟ ଉପୁଜୁଛି । ମହାନଦୀ ଶୁଖିଲା ପଡ଼ିବା ପରିପ୍ରେକ୍ଷୀରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଓଡ଼ିଶାର କୃଷକ ଓ କୃଷି ଶ୍ରମିକମାନେ ।

ଏକତରଫା ଭାବେ ମହାନଦୀ ଓ ତାହାର ଉପନଦୀଗୁଡ଼ିକ ଉପରେ ଛତିଶଗଡ଼ରେ ଶତାଧିକ ବନ୍ଧ ବନ୍ଧା ଯାଇଛି । ଏଥିଯୋଗୁ ଓଡ଼ିଶାରେ ସାଙ୍ଘାତିକ ସମସ୍ୟା ଉପୁଜୁଥିବା ପରିପ୍ରେକ୍ଷୀରେ ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଟ୍ରିବ୍ୟୁନାଲ୍‍ ଗଠିତ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏଯାବତ୍‍ ଏହି ଟ୍ରିବ୍ୟୁନାଲ୍‍ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦେଇନାହାନ୍ତି । ନିକଟ ଅତୀତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଆପୋଷ ଆଲୋଚନା ମାଧ୍ୟମରେ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଉପୁଜିଥିବା ମହାନଦୀ ବିବାଦର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । କେବଳ ସେତିକି ନୁହେଁ, ଦୁଇ ରାଜ୍ୟ ମଧ୍ୟରେ ଏ ପ୍ରସଂଗରେ କଥାବାର୍ତ୍ତା ଚାଲିଥିବା ଘେନି ରାଜ୍ୟ ସରକାରଙ୍କ ଆଡଭୋକେଟ୍‍ ଜେନେରାଲ ମନ୍ତବ୍ୟ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ତେବେ କେଉଁ ପ୍ରସଂଗରେ ଦୁଇ ରାଜ୍ୟ ମଧ୍ୟରେ ଏଯାବତ୍‍ କ’ଣ ସବୁ ଆଲୋଚନା ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ । ଏ ପରିପ୍ରେକ୍ଷୀରେ ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିବାଦରେ ହସ୍ତକ୍ଷେପ କରି ତାଙ୍କ ଉପସ୍ଥିତିରେ ଦୁଇ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ବୈଠକ କରି ମହାନଦୀ ଜଳ ବିବାଦର ସମାଧାନ କରିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ନିବେଦନ କରିଛି ।

ମହାନଦୀର ଜଳ ସଂପଦକୁ କାରଖାନା ଓ ଖଣି ମାଲିକଙ୍କ ହାତରେ ଟେକି ନଦେଇ ମହାନଦୀକୁ ବଞ୍ôଚବା ପାଇଁ ଏହାର ଜଳ ଧାରାକୁ ବ୍ୟବହାର କରିବା ଲାଗି ଏହି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ମହାନଦୀରେ ଯେଭଳି କିରୋଟ ସମୟରେ ବି ୧.୭୪ ନିୟୁତ ଏକର ଫୁଟ ଜଳ ଅତିକମ୍‍ରେ ପ୍ରବାହିତ ହୁଏ ତାହା ଉପରେ ଦୃଷ୍ଟି ଦେବା ଲାଗି ଦାବି କରିବା ସହିତ ମହାନଦୀର ଉପନଦୀ, ଶାଖା ନଦୀ ଏବଂ ଚିଲିକା ହ୍ରଦର ସଂରକ୍ଷଣ ଲାଗି ଏଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ କୁହାଯାଇଛି ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ପାନରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଞ୍ଚାନନ କାନୁନ୍‍ଗୋ ଓ ପ୍ରସାଦ ହରିଚନ୍ଦନ, ବିଧାୟକ ଗଣେଶ୍ୱର ବେହେରା, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବ, ସିପିଏମ୍‍ ନେତା ପ୍ରଦୀପ୍ତ ନାୟକ, ଫରୱାର୍ଡ ବ୍ଳକର ଜ୍ୟୋତି ରଞ୍ଜନ ମହାପାତ୍ର, ସିପିଆଇ ଏମ୍‍ଏଲ୍‍ର ଅଶୋକ ପ୍ରଧାନ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ପରିବେଶବିତ୍‍ ଜୟକୃଷ୍ଣ ପାଣିଗ୍ରାହୀଙ୍କ ସମେତ ବହୁ ପରିବେଶବିତ୍‍, ଗଣଆନ୍ଦୋଳନର ପ୍ରତିନିଧି ଏଥିରେ ଭାଗ ନେଇ କେନ୍ଦ୍ର ସରକାର ଓଡ଼ିଶାକୁ ବିକାଶର ମୁଖଶାଳା କରିବେ ବୋଲି ଯେଉଁ ଘୋଷଣା କରୁଛନ୍ତି ତାହାର ବାସ୍ତବ ରୂପାୟନ ପାଇଁ ମହାନଦୀ ସମସ୍ୟାର ତୁରନ୍ତ ସମାଧାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାଛଡ଼ା ଏହି ସମାବେଶରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ସାରା ରାଜ୍ୟରେ ନଦୀ ଓ ହ୍ରଦଗୁଡ଼ିକର ସୁରକ୍ଷା ପ୍ରତି ଯେଭଳି ବିପତ୍ତି ଉପୁଜିଛି ତାହାର ପ୍ରତିକାର ଲାଗି ବ୍ୟାପକ ଗଣଆନ୍ଦୋଳନ ପାଇଁ ମତ ପ୍ରକାଶ ପାଇଛି । (ତଥ୍ୟ)