ଭୁବନେଶ୍ୱର : ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିୟମିତ ବ୍ୟବଧାନରେ ନିର୍ବାଚନ ହେଉଥିଲେ ମଧ୍ୟ ୧୦ ବର୍ଷ ଧରି ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଲାଗି ନିର୍ବାଚନ ହୋଇପାରୁନାହିଁ । ଆଇନ ଅଦଲତଙ୍କ ରହିତାଦେଶ ଯୋଗୁ ଏହି ଦୁଇ ମହାନଗର ନିଗମରେ ନିର୍ବାଚନ କରିବା ସମ୍ଭବପର ହେଉନାହିଁ ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ପ୍ରଥମେ ଭୁବନେଶ୍ୱର ଓ କଟକ ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ପୌର ସଂସ୍ଥାକୁ ମହାନଗର ନିଗମରେ ପରିଣତ କରାଯାଇଥିଲା । ସେହିପରି ଜନସାଧାରଣଙ୍କ ଦାବି ଏବଂ ନଗରାଞ୍ଚଳ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଆବଶ୍ୟକତାକୁ ଆଖି ଆଗରେ ରଖି ରାଉରକେଲା ଓ ସମ୍ବଲପୁର ପୌର ସଂସ୍ଥାକୁ ମହାନଗର ନିଗମରେ ୨୦୧୪ ମସିହାରେ ପରିଣତ କରାଯାଇଥିଲା । ତେବେ ଏହି ଦୁଇ ମହାନଗର ନିଗମର ସୀମା ସରହଦ ଏବଂ ୱାର୍ଡ ସଂରକ୍ଷଣ ଆଦି ପ୍ରସଙ୍ଗରେ ଆଇନ ଅଦାଲତରେ ମାମଲା ରୁଜୁ କରାଯିବାରୁ ମୂଳରୁ ଏହି ଦୁଇ ସଂସ୍ଥା ଲାଗି ନିର୍ବାଚନ ହୋଇନାହିଁ । ଫଳରେ ୨୦୧୪ରୁ ଏଯାବତ୍ ରାଉରକେଲା ଓ ସମ୍ବଲପୁର ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନାହାଁନ୍ତି । ଏଠାରେ କର୍ପୋରେଟର, ଡେପୁଟି ମେୟର ଓ ମେୟର ଇତ୍ୟାଦି ନ ଥିବା ଯୋଗୁ ବସ୍ତୁତଃ ବିନା ଜନପ୍ରତିନିଧିରେ ଏହି ଦୁଇ ମହାନଗର ନିଗମର ଦୈନଦିନ କାର୍ଯ୍ୟ ସରକାରୀ ଅଫିସରମାନଙ୍କ ମାଧ୍ୟମରେ ସମ୍ପାଦିତ ହେଉଛି । ମେୟର ନ ଥିଲେ ମଧ୍ୟ ଏଠାରେ କମିଶନର, ଡେପୁଟି କମିଶନର ଆଦିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରାଯାଉଥିବା କୁହାଯାଉଛି ।
ଇତି ମଧ୍ୟରେ ଭୁବନେଶ୍ୱର ଭଳି ରାଉରକେଲାକୁ ମଧ୍ୟ ସ୍ମାର୍ଟ ସିଟିର ମର୍ଯ୍ୟଦା ମିଳିଛି । ତେବେ ଜନପ୍ରତିନିଧି ନ ଥିବାରୁ ଅଧିକାରୀମାନେ ଗତାନୁଗତିକ ଭାବେ ଜନସମ୍ପର୍କ ଯେଭଳି ରଖିବା କଥା ତାହା ରଖିପାରୁ ନାହାଁନ୍ତି ଏବଂ ସାଧାରଣ ଲୋକେ ମହାନଗର ନିଗମରୁ ଯାହାସବୁ ସୁବିଧା ସୁଯୋଗ ପାଇବା କଥା ସେ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଘଟିଲେ ଜଣାଇପାରୁନାହାଁନ୍ତି ।
ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଗଠିତ ହେବା ପରେ ୨୦୧୯ ଓ ୨୦୨୪ରେ ଲୋକସଭା ସହ ବିଧାନସଭା ପାଇଁ ଅବଶ୍ୟ ନିର୍ବାଚନ ହୋଇଛି । କିନ୍ତୁ ମହାନଗର ନିଗମର ନିର୍ବାଚନ ଲାଗି ଆଇନ ଅଦାଲତରେ ଯେଉଁ ପ୍ରତିବନ୍ଧକ ରହିଛି ତାହାକୁ ଦୂର କରାଯାଇ ପାରିନାହିଁ । ଦୀର୍ଘ ବର୍ଷ ଧରି ଏହି ମାମଲା ଗଡ଼ୁଥିଲେ ମଧ୍ୟ ତାହାର ତ୍ୱରିତ ଫଇସଲା କରାଇବା ପାଇଁ ମାମଲାରେ ଜଡ଼ିତ ଥିବା ସରକାରୀ ପ୍ରତିପକ୍ଷଙ୍କ ଶିଥିଳତା ଦାୟୀ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ ହେଉଥିବା ବେଳେ ଶାସକ ଦଳ କିନ୍ତୁ ଏହା ଖଣ୍ଡନ କରୁଛନ୍ତି ।
ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ସମ୍ପୃକ୍ତ ଅଞ୍ଚଳରେ ମହାନଗର ନିଗମ ନିର୍ବାଚନ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି । ଯଦି ମହାନଗର ନିଗମ ପାଇଁ ନିର୍ବାଚନ କରିବାରେ ସମସ୍ୟା ରହୁଛି ତେବେ ପୂର୍ବ ଭଳି ରାଉରକେଲା ଓ ସମ୍ବଲପୁରରେ ପୌରପାଳିକା ନିର୍ବାଚନ କାହିିଁକି କରାଯାଉନାହିଁ ବୋଲି ଦଳମତ ନିର୍ବିଶେଷରେ ପ୍ରଶ୍ନ ଉଠୁଛି । ଲୋକେ କହୁଛନ୍ତି ଯେ, ଏହି ଦୁଇ ମହାନଗର ନିଗମ ସ୍ଥାନୀୟ ବାସିନ୍ଦାଙ୍କଠାରୁ ମୋଟା ଅଙ୍କର ଟିକସ ଆଦାୟ କରୁଥିବା ବେଳେ ଲୋକଙ୍କୁ କିନ୍ତୁ ପ୍ରତିନିଧି ବାଛିବା ସୁଯୋଗରୁ ବଞ୍ଚିତ କରୁଛନ୍ତି । ଫଳରେ ଅନେକ ଜନବସତିରେ ରାସ୍ତାଘାଟ, ପିଇବା ପାଣି, ଡ୍ରେନେଜ ଓ ସ୍ୱରେଜ ଏବଂ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ରହୁଛି । ଏମିତିକି ପରିମଳ ବ୍ୟବସ୍ଥା ନେଇ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠୁଛି । ଅନ୍ତତଃପକ୍ଷେ ସାଧାରଣ ନିର୍ବାଚନ ପରେ ପରେ ଏହି ଦୁଇ ମହାନଗର ନିଗମରେ କିଭଳି ତ୍ୱରିତ ନିର୍ବାଚନ କରାଯାଇ ଲୋକଙ୍କୁ ଜନପ୍ରତିନିଧି ବାଛିବାର ସୁଯୋଗ ଦିଆଯିବ ସେଥିପାଇଁ ଏବେଠାରୁ ପଦକ୍ଷେପ ନେବାକୁ ଦାବି ହେଉଛି । ଏହାଛଡ଼ା ରାଉରକେଲା ଓ ସମ୍ବଲପୁରରେ ଭୁବନେଶ୍ୱର ଓ କଟକ ଭଳି କମିଶନରେଟ୍ ପୋଲିସ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ମଧ୍ୟ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । (ତଥ୍ୟ)