ଭୁବନେଶ୍ୱର : ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିବାବେଳେ ଘୋଷଣା ସତ୍ୱେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ପ୍ରାୟ ୮ବର୍ଷ ଧରି ନିର୍ବାଚନ ହୋଇପାରୁ ନାହିଁ । ଏହି ଦୁଇଟି ମହାନଗର ନିଗମ ଗଠନ ହେବା ପରଠାରୁ ଏହାର କୌଣସି ନିର୍ବାଚିତ ଲୋକ ପ୍ରତିନିଧି ନାହାନ୍ତି । ଏଥିପାଇଁ ସମ୍ବଲପୁର ଓ ରାଉରକେଲା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ର ବିଧାନସଭା ଓ ଲୋକସଭା ନିର୍ବାଚନର ଢେର ପୂର୍ବରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବିଜ୍ଞପ୍ତି ବଳରେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଗଠନ କରିଥିଲେ । ଏହା ପୂର୍ବରୁ ରାଉରକେଲା ଓ ସମ୍ବଲପୁରରେ ନିର୍ବାଚିତ ପୌର ପରିଷଦ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିଲା । ତେବେ ଅନ୍ୟ ମହାନଗର ନିଗମ ଓ ପୌରସଂସ୍ଥା ସହିତ ସମ୍ବଲପୁର ଓ ବ୍ରହ୍ମପୁରର ନିର୍ବାଚନ ହୋଇପାରିଲା ନାହିଁ ।
ନବଗଠିତ ଏହି ଦୁଇ ମହାନଗର ନିଗମ ଲାଗି ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସଂକ୍ରାନ୍ତରେ ବିବାଦ ଉପୁଜିବା ସଂଗେ ସଂଗେ ଆଇନ୍ ଅଦାଲତରେ ମାମଲା ରୁଜୁ ହେଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଏହି ମାମଲା ଆଳରେ ଏହି ଦୁଇ ମହାନଗର ନିଗମ ଲାଗି ନିର୍ବାଚନ ହେଉନାହିଁ କିମ୍ବା ସେଠାରେ ପୂର୍ବ ଭଳି ପୌର ପରିଷଦ ମଧ୍ୟ ଗଢାଯାଉ ନାହିଁ । ତେବେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଏହି ଦୁଇ ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି ।
ରାଜ୍ୟରେ ଅନ୍ୟ ତିନିଟି ମହାନଗର ନିଗମ ଲାଗି ୨୦୧୭ ମସିହାରେ ନିର୍ବାଚନ ହୋଇଥିଲା । ପରବର୍ତ୍ତୀ ସମୟରେ ଏଗୁଡିକ ପାଇଁ ମଧ୍ୟ ୨୦୨୨ରେ ନିର୍ବାଚନ ହୋଇଛି । ଅଥଚ ଦୁଇ ଦୁଇ ଥର ନିର୍ବାଚନ ସମୟରେ ସମ୍ବଲପୁର ଓ ରାଉରକେଲା ବାଦ୍ ପଡିଛି ।
ଏବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ରାଜ୍ୟ ସରକାରରେ ଜଣେ ଟାଣୁଆ ମନ୍ତ୍ରୀ ଅଛନ୍ତି । ପୂର୍ବରୁ ତାଙ୍କ ହାତରେ ବି ନଗର ଉନ୍ନୟନ ବିଭାଗ ଥିଲା । ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ଏବେ ସମ୍ବଲପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ଏ ଦୁଇଟି ଯାକ ମହାନଗର ନିଗମ ଯଥାକ୍ରମେ ସୁନ୍ଦରଗଡ ଓ ସମ୍ବଲପୁର ଲୋକସଭା କ୍ଷେତ୍ର ମଧ୍ୟରେ ଆସୁଛି ଏବଂ ଏହି ଦୁଇ ଆସନର ସାଂସଦ ବିଜେପିର ରହିଛନ୍ତି ।
ରାଉରକେଲା ଓ ସମ୍ବଲପୁରର ଚିନ୍ତାଶୀଳ ବ୍ୟକ୍ତିମାନେ କହୁଛନ୍ତି ଯେ ମାମଲା ଯୋଗୁଁ ଯଦି ଆଠବର୍ଷ ଧରି ଦୁଇଟି ମହାନଗର ନିଗମ ଅଞ୍ଚଳରେ ର୍ନିବାଚନ ହୋଇପାରୁ ନାହିଁ ତେବେ ମାମଲା ଫଏସଲା ଓ ଏହାର ରହିତାଦେଶ ଉଠାଇବା କ୍ଷେତ୍ରରେ ସରକାରୀ ପକ୍ଷର କିଛି ତ୍ରୁଟି ବିଚ୍ୟୁତି ରହୁଛି । ଯଦି ମହାନଗର ନିଗମ ର୍ନିବାଚନ କରାଯାଇ ପାରୁନାହିଁ ତେବେ ସରକାର ମହାନଗର ନିଗମ ବିଜ୍ଞପ୍ତି ପ୍ରତ୍ୟାହାର କରିନେଇ ପୂର୍ବଭଳି ଏଠାରେ ପୌର ପରିଷଦ ନିର୍ବାଚନ କରାଇବା ଆବଶ୍ୟକ ।
ଏହା ହେଉନଥିବା ଯୋଗୁଁ ନିର୍ବାଚିତ ପ୍ରତିନିଧି ଲୋକଙ୍କର ସମସ୍ୟା ଉଠାଇବା ସୁଯୋଗ ପାଉନାହାନ୍ତି । କୌଣସି ସ୍ଥାନରେ ବିଧାୟକ କି ସାଂସଦଙ୍କ ମୃତ୍ୟୁ ଘଟିଲେ କିମ୍ବା ଅନ୍ୟ କୌଣସି କାରଣରୁ ଆସନ ଖାଲି ହେଲେ ଯଦି ତ୍ୱରିତ ନିର୍ବାଚନ କରାଯାଇ ପାରୁଛି ତା ହେଲେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ଆଠବର୍ଷ ଧରି ନଗର ଉନ୍ନୟନ ବିଭାଗ କାହିଁକି ନିର୍ବାଚନ କରାଇ ପାରୁନାହିଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । (ତଥ୍ୟ)