ଭୁବନେଶ୍ୱର : ମଶା ଦାଉରୁ ରକ୍ଷା ପାଇବାପାଇଁ ରାଜଧାନୀବାସୀଙ୍କୁ ଯେତେ ସଚେତନ କଲେ ବି ସେମାନଙ୍କର ସ୍ୱଭାବରେ ସେଭଳି କିଛି ପରିବର୍ତ୍ତନ ହେଉନାହିଁ । ଗତବର୍ଷ ସହରରୁ ୮୫ ଟ୍ରିପ୍ ଅବ୍ୟବହୃତ ଟାୟାର ସଂଗ୍ରହ କରାଯିବା ତାହାର ଏକ ଉଦାହରଣ ।
ସହରବାସୀ ମଶା କାମୁଡାରେ କଲବଲ ହେଉଥିବାରୁ ମଶାବଂଶକୁ ରୋକିବାପାଇଁ ବିଏମ୍ସି ପକ୍ଷରୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ଗଣମାଧ୍ୟମରେ ବିଜ୍ଞାପନ, ଭ୍ରାମ୍ୟମାଣ ପ୍ରଦର୍ଶନୀ ସମେତ ରାତି ପାହିଲେ ଅଳିଆ ବୁହା ଗାଡିରେ ଲୋକଙ୍କ ଘର ଦୁଆର ମୁହଁରେ ସଚେତନତା ଗୀତ ବାଜୁଛି । ହେଲେ ମଶା କାମୁଡା ଖାଉଥିବା ଲୋକେ କିନ୍ତୁ ଆଦୌ ସଚେତନ ହେଉନାହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବିଏମ୍ସି କର୍ତ୍ତୃପକ୍ଷ ଗତବର୍ଷ ସହରରୁ ୮୫ ଟ୍ରିପ୍ ଅବ୍ୟବହୃତ ଟାୟାର ସଂଗ୍ରହ କରିଛନ୍ତି । ଟାୟାରଗୁଡିକୁ ଏଣେ ତେଣେ ନଫିଙ୍ଗିବାପାଇଁ ବାରମ୍ବାର ଲୋକଙ୍କୁ କୁହାଯାଉଛି । କାରଣ ଟାୟାର ଭିତରେ ସହଜରେ ବର୍ଷାପାଣି ଜମି ରହିବା ସହିତ ସେଠାରେ ମଶାବଂଶ ବୃଦ୍ଧି ହୋଇଥାଏ । କେବଳ ଟାୟାର ନୁହେଁ ପଇଡର ଅଧା ଅଂଶ, ଅବ୍ୟବହୃତ ହାଣ୍ଡି ମାଠିଆ ଆଦି ବାହାର ନଫିଙ୍ଗିବାପାଇଁ କୁହାଯାଉଛି । ହେଲେ ଲୋକେ ସେଥିପ୍ରତି କର୍ଣ୍ଣପାତ କଲାଭଳି ଲକ୍ଷ୍ୟ କରାଯାଉ ନାହିଁ ।
ସେହିଭଳି ନିଜ ନିଜ ଘର ଆଖପାଖରେ ପାଣି ନଜିବାପାଇଁ ପଦକ୍ଷେପ ନେବାକୁ କୁହାଯାଉଥିଲେ ମଧ୍ୟ ବସ୍ତି ଅଞ୍ଚଳର ଲୋକେ ଆଦୌ ଶୁଣୁ ନାହାନ୍ତି । ସହର ମଝିରେ ଥିବା ଶତାଧିକ ଗୁହାଳ ସମେତ ବସ୍ତିରେ ରହୁଥିବା ଲୋକେ ନିଜର ବର୍ଜ୍ୟ ଜଳକୁ ଘର ଆଖପାଖରେ ଜମା କରୁଛନ୍ତି । ଏହା ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ପାଲିଛି । ଏକଥା ବିଏମ୍ସି ଠାରୁ ଆରମ୍ଭକରି ସମସ୍ତେ ଜାଣିଛନ୍ତି । ହେଲେ ଗୁହାଳ ହଟାଇବା କିମ୍ବା ବସ୍ତିରେ ପାଣି ଜମିବାକୁ ରୋକିବା କ୍ଷେତ୍ରରେ ସେଭଳି କୌଣସି ପଦେକ୍ଷପ ଗ୍ରହଣ କରୁନାହାନ୍ତି । ଫଳରେ ମଶା ନିୟନ୍ତ୍ରଣ ପାଇଁ ଯେତେ ପଦକ୍ଷେପ ଗ୍ରହଣ କରାଗଲେ ବି ସେଥିରୁ ସୁଫଳ ମିଳିପାରୁ ନାହିଁ । ସହରରେ ମଶାବଂଶ କମିବା ପରିବର୍ତ୍ତେ ବଢିବାରେ ଲାଗିଛନ୍ତି ।
ଅନ୍ୟ ପକ୍ଷରେ ସହରର କଳେବର ବୃଦ୍ଧି ପାଉଥିବାବେଳେ ମଶା ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଯନ୍ତ୍ରପାତି କିମ୍ବା ମାନବସମ୍ବଳ ବଢିପାରୁ ନାହିଁ । ବିଏମ୍ସି ଅଧିନରେ ଥିବା ୬୭ଟି ୱାର୍ଡରେ ୭୦ଟି ଔଷଧ ସିଞ୍ଚନ ଯନ୍ତ୍ର ରହିଛି । କର୍ମଚାରୀମାନେ ଏହାକୁ କାନ୍ଧରେ ପକାଇ ଔଷଧ ସିଞ୍ଚନ କରୁଛନ୍ତି । ଜଣେ କର୍ମଚାରୀ ଗୋଟିଏ ଦିନରେ କେଉଁଠି କେତେ ପରିମାଣରେ ମଶା ଔଷଧ ପକାଉଥିଲେ ତାହା ଏଥିରୁ ସହଜରେ ଅନୁମେୟ । ସେହିଭଳି ବିଏମ୍ସି ନିକଟରେ ଅଟୋ ରିକ୍ସାରେ ଲଦା ହୋଇ ଧୂଆଁ ଛାଡୁଥିବା ୨୦ଟି ମେସିନ୍ ଥିବାବେଳେ ହାତରେ ଧର ଧୂଆଁ ଛଡାଯାଇ ପାରୁଥିବା ୩୦ଟି ମେସିନ୍ ରହିଛି । ଟ୍ରାକ୍ଟଟରେ ଲଦାହୋଇ ଧୂଆଁ ଛାଡୁଥିବା ୨ଟି ବଡ ମେସିନ୍ ବି ରହିଛି । ହେଲେ ଏଗୁଡିକ ସାଧାରଣତଃ ଭିଭିଆଇପି ଓ ଭିଆଇପି ଅଞ୍ଚଳରେ ପଇଁତରା ମାରୁଥିବାବେଳେ ସହରତଳି କିମ୍ବା ବସ୍ତି ଅଞ୍ଚଳକୁ ଯାଉନଥିବା ଅଭିଯୋଗ ହେଉଛି ।
ତେବେ ମଶା ନିୟନ୍ତ୍ରଣ ସଚେତନତା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଓ ପ୍ରତି ୱାର୍ଡରେ ଜଣେ ଜଣେ ୱାର୍ଡ ଅଫିସର ଦପ୍ତର ଖୋଲି ବସିଥିବାବେଳେ ସହରର ଶିକ୍ଷିତ ଲୋକେ କାହିଁକି ସଚେତନ ହେଉନାହାନ୍ତି ତାହା ଏବେ ରାଜଧାନୀରେ ବଡ ପ୍ରଶ୍ନବାସୀ ହୋଇଛି (ତଥ୍ୟ)