Home Health ମଶା ନିୟନ୍ତ୍ରଣ ଅଧାପନ୍ତରିଆ

ମଶା ନିୟନ୍ତ୍ରଣ ଅଧାପନ୍ତରିଆ

ଭୁବନେଶ୍ୱର : ରାଜଧାନୀରେ ଧିରେ ଧିରେ ଡେଙ୍ଗୁ ତାହାର କାୟା ବିସ୍ତାର କରୁଥିବାବେଳେ ମଶାବଂଶ ଦମନ ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ବର୍ଷାଦିନେ ସ୍ଥିତି ଅଣାୟତ ହୋଇପଡିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ସହରର କେତେକ ସ୍ଥାନରେ ଏବେ ଡେଙ୍ଗୁ ଚିହ୍ନଟ ହୋଇଛି । ମଶା କାମୁଡାରୁ ଏହି ରୋଗ ବ୍ୟାପୁଥିବାବେଳେ ମଶାବଂଶକୁ ଯେଭଳି ଭାବେ ଦମନ କରାଯିବା କଥା ତାହା ହେଉନାହିଁ । ବିଏମ୍‍ସିର ସ୍ୱାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ଏକ ପ୍ରକାର ନିଦାବିଷ୍ଣୁ । ଯଦି କେଉଁଠାରୁ ଅଭିଯୋଗ ଆସୁଛି ତେବେ ସେଠାରେ ମଶା ଲାର୍ଭାମରା ତେଲ ସିଞ୍ଚନ କରାଯାଉଛି । ହେଲେ ଏଥିରୁ କେତେ ସୁଫଳ ମିଳୁଛି ତାହାର ଉତ୍ତର କାହା ପାଖରେ ନାହିଁ ।

ସହରରେ ମଶାଧୁଆଁ ଛାଡିବା ବ୍ୟବସ୍ଥା ଏକ ପ୍ରକାର ବନ୍ଦ ହୋଇଯାଇଛି । ପୂର୍ବରୁ ଲୋକସେବାଭବନ, ରାଜଭବନ ଭଳି ଭିଭିଆଇପି ଅଞ୍ଚଳରେ ସଂଧ୍ୟା ସମୟରେ ମଶାଧୁଆଁ ଛଡା ଯାଉଥିଲା । ହେଲେ କିଛିଦିନ ଧରି ତାହା ବି ବନ୍ଦ ରହିଛି । ଫଳରେ ମଶାବଂଶ ଧିରେ ଧିରେ ବଢିବାରେ ଲାଗିଛି । ଅସରାଏ ବର୍ଷା ଆରମ୍ଭ ହେଲେ ମଶା ବଂଶ ହୁ ହୁ ହୋଇ ବଢିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତେବେ ସହରରେ ଥିବା ନାଳଗୁଡିକ ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ପାଲଟିଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ସହର ଭିତର ଦେଇ ଯାଇଥିବା ବଡ ବଡ ୧୧ଟି ନାଳ ଏବେ ନର୍ଦ୍ଦମା ପାଲଟିଛି । ବର୍ଷାଜଳ ନିଷ୍କାସନ ପାଇଁ ଥିବା ଏହି ନାଳଗୁଡିକ ଏବେ ବସ୍ତିବାସିନ୍ଦାମାନଙ୍କ ସ୍ୱରେଜ ଲାଇନ୍‍ ଭାବେ କାର୍ଯ୍ୟ କରୁଛି । ଖୋଲାଖୋଲି ଭାବେ ଏହା ଭିତରକୁ ଶୌଚାଳୟ ଜଳକୁ ଛାଡି ଦିଆଯାଉଛି । ଏହାଛଡା ଆଖପାଖର ଆବର୍ଜନାକୁ ମଧ୍ୟ ଲୋକେ ଏହିସବୁ ନାଳ ଭିତରେ ଫୋପାଡି ଦେଉଛନ୍ତି ।

ସେହିଭଳି ବସ୍ତିଗୁଡିକର ବର୍ଜ୍ୟଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ତାହା ମଧ୍ୟ ମଶାବଂଶ ବୃଦ୍ଧିର କାରଣ ପାଲଟିଛି । ବେଆଇନ୍‍ ଭାବେ ଗଢି ଉଠୁଥିବା ବସ୍ତିକୁ କର୍ତ୍ତୃପକ୍ଷ ରାତାରାତି ଜଳ ସଂଯୋଗ ଦେଉଥିବାବେଳେ ବର୍ଜ୍ୟଜଳଗୁଡିକ କୁଆଡେ ଯିବ ତାହାର କୌଣସି ବ୍ୟବସ୍ଥା କରୁନାହାନ୍ତି । ଫଳରେ ଲୋକେ ନିଜ ନିଜ ବାଡି ଅଗଣାରେ ବର୍ଜ୍ୟଜଳକୁ ଜମା କରୁଛନ୍ତି । ଏହା ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି । ସେହିଭଳି ବର୍ଷାଋତୁ ପୂର୍ବରୁ ସହର ଭିତରୁ ଘାସକାଟିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଉନାହିଁ । ବିଭିନ୍ନ ୟୁନିଟ୍‍ରେ ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ଘାସ କାଟିବାକଥା । ହେଲେ ଅର୍ଥ ସଞ୍ଚୟ ପାଇଁ ସେମାନେ ବି ଏହାକୁ ଅଣଦେଖା କରୁଛନ୍ତି । ଯଦି କୌଣସି ଠାରେ କେହି ଅଭିଯୋଗ କରୁଛି ତେବେ ସେଠାରେ ଆସି ଘାସ କାଟୁଛନ୍ତି । ବହୁ ସ୍ଥାନରେ ଏବେ ସୃଷ୍ଟି ହେଉଥିବା ଘାସ ବଣ ମଶାବଂଶ ବୃଦ୍ଧିରେ ସହାୟକ ହେଉଛି ।

ସହରରେ ଥିବା ଜଳାଶୟଗୁଡିକରେ ମଶା ବଂଶବୃଦ୍ଧିକୁ ରୋକିବାପାଇଁ ଗମ୍ବୁସିଆ ମାଛ ଛାଡିବା ଯୋଜନା ମଧ୍ୟ ବହୁ ଦିନରୁ ବନ୍ଦ ହୋଇଯାଇଛି । ଏହି ମାଛମାନେ ମଶା ଲାର୍ଭାକୁ ଖାଇ ଯାଉଥିଲେ । ହେଲେ କୌଣସି କାରଣରୁ କର୍ତ୍ତୃପକ୍ଷ ଏହି ଯୋଜନାକୁ ଶୀତଳଭଣ୍ଡାରରେ ରଖିଛନ୍ତି । ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବେଶ କରିଥିବାବେଳେ ଅଳ୍ପଦିନ ମଧ୍ୟରେ ରାଜଧାନୀ ଓ ଏହାର ଆଖପାଖରେ ବର୍ଷା ଆରମ୍ଭ ହୋଇଯିବ । ବର୍ତ୍ତମାନ ଠାରୁ ମଶାବଂଶର ପ୍ରତିକାର ନକଲେ ସହରରେ ଡେଙ୍ଗୁ ପ୍ରକୋପ ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । (ତଥ୍ୟ)