Home General ମଶା ନିୟନ୍ତ୍ରଣରେ ୧୦୦ ଗ୍ରାମ ତେଲ

ମଶା ନିୟନ୍ତ୍ରଣରେ ୧୦୦ ଗ୍ରାମ ତେଲ

ଭୁବନେଶ୍ୱର : ମଶା ନିୟନ୍ତ୍ରଣ ପାଇଁ କର୍ମଚାରୀ ନିଯୁକ୍ତି ହେଉଛନ୍ତି । ରାତି ପାହିଲେ ଏହି କାମରେ ଲାଗି ପଡୁଛନ୍ତି । ହେଲେ ମଶା ନିୟନ୍ତ୍ରଣ ସକାଶେ ଜଣେ କର୍ମଚାରୀଙ୍କୁ ମିଳୁଛି ୧୦୦ ଗ୍ରାମ ମଶାମରା ତେଲ ଯାହାକୁ ନେଇ ସେମାନେ ବିଭିନ୍ନ ଅଞ୍ଚଳରେ ମଶା ଲାର୍ଭା ମାରିବାପାଇଁ ସିଞ୍ଚନ କରୁଛନ୍ତି ।

ଏଭଳି ମଶା ନିୟନ୍ତ୍ରଣ ବ୍ୟବସ୍ଥା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନୁହେଁ, ମଶା କାମୁଡାରେ କଲବଲ ହେଉଥିବା ଖୋଦ ରାଜଧାନୀରେ । ରାଜଧାନୀରେ ମଶାମାନଙ୍କୁ ନିୟନ୍ତ୍ରଣ ପାଇଁ କର୍ମଚାରୀଙ୍କୁ ମିଳୁଛି ଦୈନିକ ୧୦୦ ଗ୍ରାମର ମଶା ମରା ତେଲ । ଏଥିରେ ସେମାନେ ୧୦/୧୨ ଲିଟର ପାଣି ମିଶାଇ ମଶା ଅଣ୍ଡା ଦେଉଥିବା ସ୍ଥାନରେ ସିଞ୍ଚନ କରୁଛନ୍ତି ।

ହେଲେ ଖୋଦ୍‍ କିଛି କର୍ମଚାରୀଙ୍କ କହିବାକଥା ଯେ ଏତିକି ତେଲରେ ମଶା ବଂଶ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ । ସହରରେ ଏବେ ମଶା ହାଉ ଯାଉ ହେଉଥିବାବେଳେ ଦିନକୁ ଅତି କମ୍‍ରେ ୨୦୦ ଗ୍ରାମ ମଶାମରା ତେଲ ମିଳିବା କଥା । ହେଲେ ତେଲ ଦେଉଥିବା କର୍ମଚାରୀମାନେ ପଳାରେ ମାପ କରି ୧୦୦ ଗ୍ରାମର ତେଲ ଦେଉଛନ୍ତି । ଏତିକି ପରିମାଣ ତେଲ ସହିତ ସିଞ୍ଚନ ମେସିନଟିଏ ଧରାଇ ଦେଉଛନ୍ତି । କର୍ମଚାରୀମାନେ ଏଥିରେ ପାଣି ଭର୍ତ୍ତିକରି ବିଭିନ୍ନ ସ୍ଥାନରେ ସିଞ୍ଚନ କରୁଛନ୍ତି ।

ସହରରେ ଏବେ ମଶାଙ୍କ ଦାଉ ଏଭଳି ହେଉଛି ଯେ ସଞ୍ଜ ପହର ତ ଦୂରରକଥା ଦିନ ବେଳା ବି ଲୋକେ ମଶା କାମୁଡାରେ ନୟାନ୍ତ ହେଲେଣି । ଘରେ ବାହାରେ ଚାରିଆଡେ ମଶା ଭଣ ଭଣ । ଏମାନଙ୍କୁ ନିୟନ୍ତ୍ରଣ କରିବାର ପ୍ରମୁଖ ଉପାୟ ହେଉଛି ବଂଶ ବିସ୍ତାରକୁ ରୋକିବା । ତେଣୁ ମଶାମରା ତେଲ ବିଭିନ୍ନ ସ୍ଥାନରେ ଠିକଣା ଭାବେ ସିଞ୍ଚନ ହେଲେ ମଶା ମାନକୁ କାବୁ କରାଯାଇ ପାରିବ । ହେଲେ କର୍ତ୍ତୃପକ୍ଷ ଯେତିକି ପରିମାଣ ତେଲ ଦେଉଛନ୍ତି ଓ ତାହାର ଯେଉଁ ପରିମାଣର ପାଣିରେ ମିଶୁଛି ସେଥିରେ ମଶା ଲାର୍ଭାଙ୍କୁ ନିପାତ କରିବା ସମ୍ଭବପର ହେଉନାହିଁ ।

ବିଏମ୍‍ସି ଅଧିନରେ ଏବେ ମଶା ନିୟନ୍ତ୍ରଣ ପାଇଁ ୪ଜଣ ଫାଇଲେରିଆ ଇନ୍ସପେକ୍ଟର ଥିବାବେଳେ ଦେଢଶହରୁ ଅଧିକ ଅନ୍ୟାନ୍ୟ କର୍ମଚାରୀ ଅଛନ୍ତି । ବର୍ଷ ବର୍ଷ ଧରି ଏଠାରେ କାର୍ଯ୍ୟ କରୁଥିବା ଅଧିକାରୀମାନେ କିଭଳି ମଶାବଂଶ ନିୟନ୍ତ୍ରଣ କରିପାରୁ ନାହାନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । ସଞ୍ଚ ହେଲେ କେତେକ ସ୍ଥାନରେ ମଶା ଘଉଡାଇବାପାଇଁ ଧୂଆଁ ଛଡା ଯାଉଛି । ହେଲେ ଯେତିକି ପରିମାଣରେ ଧୂଆଁ ଛଡାଯାଉଛି ତାହା ରାଜଧାନୀ ପାଇଁ ପର୍ଯ୍ୟାପ୍ତ ହେଉନାହିଁ ।

ପୂର୍ବରୁ ନାଳ ନର୍ଦ୍ଦମା ସଫା ସହିତ ମଶା ଲାର୍ଭା ନିପାତ ପାଇଁ ଗମ୍ବୁସିଆ ମାଛ ଛାଡିବା ଭଳି ଯୋଜନା କାର୍ଯ୍ୟକାରୀ ହେଉଥିଲା । ହେଲେ ତାହା ଏବେ ଆଉ ନାହିଁ । ରାଜଧାନୀ ଚାରିପଡେ ଯାଇଥିବା ନାଳ ଓ ସହର ଭିତରେ ଥିବା ୧୧ଟି ନାଳ ଏବେ ମଶାବଂଶ ବୃଦ୍ଧିର କାରଣ ହେଉଥିବାବେଳେ ବିଭିନ୍ନ ବସ୍ତିରେ ଜମୁଥିବା ପାଣି ବି ଅନ୍ୟତମ କାରଣ ହୋଇଛି । ହେଲେ ମଶା ନିବାରଣ ପାଇଁ କର୍ତ୍ତୃପକ୍ଷ ରାତି ପାହିଲେ କର୍ମଚାରୀଙ୍କୁ ଯେଭଳି ୧୦୦ ଗ୍ରାମ ମଶାମରା ତେଲ ଧରାଇ ଛାଡୁଛନ୍ତି ସେଥିରେ ମଶାବଂଶ କିଭଳି ନିୟନ୍ତ୍ରଣ ହେଉଛନ୍ତି ତାହା ରାଜଧାନୀବାସୀ ଖୋଦ୍‍ ଦେଖୁଛନ୍ତି ବୋଲି କର୍ମଚାରୀମାନେ ମତ ଦେଉଛନ୍ତି । (ତଥ୍ୟ)