ଭୁବନେଶ୍ୱର : ରାଜଧାନୀରେ ମଶା ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ କିସମର ହଜାର ହଜାର ଲିଟର ମଶାମରା ତେଲ କିଣୁଛନ୍ତି । ହେଲେ ଏହି ତେଲକୁ ପକାଇବାପାଇଁ ଆବଶ୍ୟକ କର୍ମଚାରୀ କିମ୍ବା ସାଜ ସରଞ୍ଜାମ ନାହିଁ । ଯାହା ଫଳରେ ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ୱେ ସହରରେ ମଶାଙ୍କ ପ୍ରାର୍ଦୁଭାବ କମିବା ବଦଳରେ ବଢିବାରେ ଲାଗିଛି ।
ସହରରୁ ମଶା ମାରିବାପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଏବେ ୪୩୭୫ ଲିଟର ମଶା ଲାର୍ଭା ମାରିବାପାଇଁ ପଡୁଥିବା ତେଲ ଥିବାବେଳେ ୧୩୫୦ ଲିଟର ଟେମେଫୋସ୍, ୨୨୫୦ଲିଟର କିନ୍ଫଗ୍ ଏବଂ ୮୨୫ ଲିଟର ପାଇରେଥିରମ ରହିଛି । ଏହି ସମସ୍ତ ତେଲ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗାଇ ଦେଇଛନ୍ତି ।
ତେବେ ରାଜଧାନୀର ବିଭିନ୍ନ ୱାର୍ଡରେ ତେଲ ପକାଇବାପାଇଁ ଆବଶ୍ୟକ ସଂଖ୍ୟକ ମାନବସମ୍ବଳ ନାହାନ୍ତି । ମଶାଲାର୍ଭା ବିନା ପାଇଁ ରାଜଧାନୀର ୬୭ଟି ୱାର୍ଡ ପାଇଁ ୧୭୦ଜଣ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରେ ୨୦ଜଣ ସୁପରଭାଇଜର ରହିଛନ୍ତି । ମାତ୍ର ୧୫୦ କର୍ମଚାରୀ ୬୭ଟି ୱାର୍ଡରେ ବୁଲି ବୁଲି ତେଲ ପକାଇବା ଏତେଟା ସହଜ ନୁହେଁ । ସେହିଭଳି ମଶା ତେଲ ସିଞ୍ଜନ ପାଇଁ ରହିଛି ୭୦ଟି ବ୍ୟାଟେରୀ ଚାଳିତ ସ୍ପ୍ରେୟର ମେସିନ ।
ବିଏମସି ନିକଟରେ ମଶାତେଲ ସିଞ୍ଚନ ପାଇଁ ଯେତିକି ମାନବସମ୍ବଳ ରହିଛନ୍ତି ସେମାନେ ସାଇକେଲରେ ବୁଲି ବୁଲି ତେଲ ସିଞ୍ଚନ କରିବା ଏତେ ସହଜ ହେଉନାହିଁ । ଯେତିକି କର୍ମଚାରୀ ରହିଛନ୍ତି ସେମାନଙ୍କର ଅଧିକାଂଶ ସମୟ ଭିଆଇପି ଓ ଭିଭିଆଇପି ଅଞ୍ଚଳରେ ବିତୁଛି । ତେଣୁ ମଶାଙ୍କ ଉତ୍ସ ସ୍ଥାନରେ ଲାର୍ଭାମରା ତେଲ ପକାଇବାକୁ ସେମାନେ ସମୟ ପାଉ ନାହାନ୍ତି । ସେହିଭଳି ମଶାଧୂଆଁ ଯନ୍ତ୍ର ମଧ୍ୟ ଅଧିକାଂଶ ସମୟରେ କେବଳ ଭିଆଇପି ଓ ଭିଭିଆଇପି ଅଞ୍ଚଳରେ ଚକ୍କର କାଟୁଥିବା ଦେଖିବାକୁ ମିଳୁଛି ।
ନିକଟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜଧାନୀରେ ମଶା କାମୁଡା ସ୍ଥିତି ସମୀକ୍ଷା ସମୟରେ କର୍ମଚାରୀ ଅଭାବ ତାଙ୍କ ଦୃଷ୍ଟିକୁ ଆସିବାପରେ ଏବେ ଅଧିକ ମାନବ ସମ୍ବଳ ନିୟୋଜନ ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ଠିକା କର୍ମଚାରୀଙ୍କ ହାତରେ ମଶା ନିୟନ୍ତ୍ରଣରେ ଅଭ୍ୟସ୍ତ ଥିବା ବିଏମ୍ସିର ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କି ପ୍ରକାର ଗ୍ରହଣ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ରାଜ୍ୟରେ ନୂଆ ସରାକର ଆସିବା ପରେ ରାଜଧାନୀରେ ଏବେ ଗୋଟିଏ ପରେ ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ ହେଉଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସୁଥିବାବେଳେ ଏମାନଙ୍କୁ ମଶା କାମୁଡାରୁ ଦୂରରେ ରଖିବା କର୍ତ୍ତୃପକ୍ଷଙ୍କ ପାଇଁ କାଠିକର ପାଠ ହେଲାଣି । ତେଣୁ ମଶାବଂଶ ନିୟନ୍ତ୍ରଣ ପାଇଁ ଆଗାମୀ ଦିନରେ ଯେଉଁସବୁ ପଦକ୍ଷେପ ଗ୍ରହଣ ପାଇଁ ସମୀକ୍ଷା ବୈଠକରେ ସ୍ଥିର ହେଉଛି ତାହାକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)