Home Health ମଶା କାମୁଡାରେ କଲ ବଲ

ମଶା କାମୁଡାରେ କଲ ବଲ

ଭୁବନେଶ୍ୱର : ରାଜଧାନୀରେ ତାତି ଧିରେ ଧିରେ ବଢୁଥିବାବେଳେ ଲୋକେ ଗରମ ସହିତ ମଶା କାମୁଡାରେ କଲ ବଲ ହେଉଛନ୍ତି । ମଶା ହ୍ରାସ ପାଇଥିବା ଦର୍ଶାଇ ଆଉ ମଶାଧୂଆଁ ଛଡାଯାଉନଥିବାବେଳେ ମଶା କିନ୍ତୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିବାରେ ଲାଗିଛନ୍ତି ।

ସହରର ବିଭିନ୍ନ ସ୍ଥାନରେ ଏବେ ମଶା ଭଣ ଭଣ ସ୍ଥିତି । ହାଟ ବଜାର ହେଉ କିମ୍ବା ଘରେ ଲୋକେ ଶାନ୍ତିରେ ରହିପାରୁ ନାହାନ୍ତି । ସହରର ପ୍ରମୁଖ ଭିଭିଆଇପି ଅଞ୍ଚଳରେ ବି ରାସ୍ତାଘାଟରେ ସଂଧ୍ୟା ସମୟରେ ଛିଡା ହେବା ମୁସ୍କିଲ ହେଉଛି । ଲୋକସେବାଭନ, ରାଜଭବନ, ବିଧାନସଭା, ମାଷ୍ଟରକ୍ୟାଣ୍ଟିନ, ରାଜମହଲ ଆଦି ଅଞ୍ଚଳରେ ମଶାଙ୍କ କାମୁଡାରେ ଲୋକେ ଅତିଷ୍ଠ । ସଂଧ୍ୟା ସମୟରେ କୌଣସି ଠାରେ ଛିଡା ହୋଇଗଲେ ମଶା ଘେରି ଯାଉଛନ୍ତି ।

ଏହିସବୁ ଅଞ୍ଚଳରେ ଥିବା ବକ୍ସ ଡ୍ରେନଗୁଡିକ ଠିକଣା ଭାବେ ସଫା ହେଉନଥିବା ଓ ବିଭିନ୍ନ ସ୍ଥାନରେ ଆଖପାଖର ପାଣି ଜମି ରହୁଥିବାରୁ ମଶାବଂଶ ବୃଦ୍ଧି ପାଉଛି । ସେହିସବୁ ଡ୍ରେନରେ ଥିବା ଖୋଲା ଫାଙ୍କ ଦେଇ ମଶାମାନେ ବାହାରକୁ ଆସି ଲୋକଙ୍କୁ କାମୁଡୁଛନ୍ତି । ଯେହେତୁ ନିବୁଜ ଡ୍ରେନ ରହିଛି ତେଣୁ ସେଠାରେ ମଶା ତେଲ ପକାଯାଉ ନାହିଁ ।

ସେହିଭଳି ସହରର ବିଭିନ୍ନ ସ୍ଥାନରେ ଏବେ କୁଢ କୁଢ ଅଳିଆ ରାସ୍ତା ଉପରେ ଗଦାହୋଇ ରହୁଛି । ସଫେଇ କର୍ମଚାରୀମାନେ ଏଠାକୁ ଉଠାଇ ନେଉଥିଲେ ମଧ୍ୟରେ କେତେକ ସ୍ଥାନରେ ଅବଶିଷ୍ଟାଂଶ ଆବର୍ଜନା ଗଦାହୋଇ ତାହା ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ସାଜୁଛି । ସେହିଭଳି ବିଭିନ୍ନ ବସ୍ତି ଅଞ୍ଚଳରେ ଖୋଳା ନାଳ ସହିତ ଜଳ ଜମି ରହୁଥିବାରୁ ସେଠାରେ ମଧ୍ୟ ମଶାବଂଶ ବଢୁଛନ୍ତି । ସହରର ବିଭିନ୍ନ ଗଳି କନ୍ଦିରେ ଗଢି ଉଠିଥିବା ବସ୍ତିଗୁଡିକୁ ରାତାରାତି ପାନୀୟଜଳ ସଂଯୋଗ ଦିଆଯାଉଥିବାବେଳେ ଲୋଙ୍କ ବ୍ୟବହୃତ ବର୍ଜ୍ୟଜଳ ନିଷ୍କାସନ ପାଇଁ ସେଭଳି କୌଣସି ସୁବିଧା ନାହିଁ ।

ମଶା ନିୟନ୍ତ୍ରଣପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ମଶାଧୂଆଁ ଛଡାଯିବା ସହିତ ମଶାତେଲ ସିଞ୍ଚନ କରାଯାଉଥିଲା । ବର୍ତ୍ତମାନ ସହରରେ ଆଉ ମଶାଧୂଆଁ ଛଡାଯାଉଥିବା ଦେଖିବାକୁ ମିଳୁନାହିଁ । ଏପଟେ କିନ୍ତୁ ମଶା କାମୁଡାରେ କଲବଲ ଲୋକେ ମଶାଧୂପ ଠାରୁ ଆରମ୍ଭ କରି ଇଲୋକଟ୍ରୋନିକ ର‌୍ୟାକେଟ କିଣିବାରେ ବ୍ୟସ୍ତ ।

ମଶା ନିବାରଣ ପାଇଁ ବିଏମସିର ସମସ୍ତ ପ୍ରୟାସ ସତ୍ୱେ ରାଜଧାନୀବାସୀ ମଶା କାମୁଡାରୁ ନିସ୍ତାର ନପାଇବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସହରରେ ଏବେ ବି ଥିବା ଏକାଧିକ ଖୋଲା ନାଳ ଓ ମଶା ନିୟନ୍ତ୍ରଣ ପାଇଁ ନିମ୍ନମାନର ଓ କମ୍‍ ପରିମାଣର ଲାର୍ଭାନାଶକ ତୈଳ ପ୍ରୟୋଗ ଯୋଗୁଁ ମଶାଙ୍କୁ ଠିକଣା ଭାବେ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ତେବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ମଶା କାମୁଡାରୁ କିଛି ନିସ୍ତାର ମିଳିବ ବୋଲି କୁହାଯାଉଛି । (ତଥ୍ୟ)