ଭୁବନେଶ୍ୱର: ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟକୁ ତୁରନ୍ତ ୧ କୋଟି ୫୬ ଲକ୍ଷ ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ (ଏଲ୍ ଏଲ୍ ଆଇଆଇଏନ୍) ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଏଲ୍ ମାଣ୍ଡଭିୟାଙ୍କୁ ଚିଠି ଲେଖି ଶ୍ରୀ ପୂଜାରୀ କହିଛନ୍ତି ଯେ, ମୁଁ ଆପଣଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚାହୁଁଛି ଯେ ଭାରତ ସରକାର ୨୦୨୦–୨୧ ବର୍ଷରେ ଓଡ଼ିଶାକୁ ୧.୫୬ କୋଟି ଏଲ୍ ଏଲ୍ ଆଇଆଇଏନ୍ ଯୋଗାଇ ଦେଇଛନ୍ତି, ଯାହା ଦ୍ୱାରା ଅତି ସମ୍ବେଦନଶୀଳ ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା କରାଯାଇପାରିବ, ଯାହା ଫଳରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ରେ ଉଲ୍ଲେଖନୀୟ ହ୍ରାସ ଘଟିଛି।
ଏଲ୍ ଏଲ୍ ଆଇଆଇଏନ୍ ର କାର୍ଯ୍ୟକାରିତା ୩ ବର୍ଷ ପାଇଁ ରହିଛି ଏବଂ ୨୦୨୩ରେ ଏହି ଏଲ୍ ଏଲ୍ ଆଇଏନ୍ କୁ ଭାରତ ସରକାର ବଦଳାଇବାକୁ ଯାଉଥିଲେ। ତେବେ ଏଥିରେ ପ୍ରାୟ ବର୍ଷେ ବିଳମ୍ବ ହୋଇଥିବାରୁ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି ବୋଲି ସେ ଦର୍ଶାଇଛନ୍ତି।
ଏଭଳି ପରିସ୍ଥିତିରେ ମ୍ୟାଲେରିଆ ସଂକ୍ରମଣ କୁ ରୋକିବା ଏବଂ ଦେଶରେ ମ୍ୟାଲେରିଆ ବୋଝ ହ୍ରାସ ଦିଗରେ ରାଜ୍ୟ ସରକାର କରିଥିବା ପ୍ରୟାସକୁ ବଜାୟ ରଖିବା ପାଇଁ ରାଜ୍ୟକୁ ତୁରନ୍ତ ୧.୫୬ କୋଟି ଏଲ୍ ଆଇଆଇଏନ୍ ଯୋଗାଇଦେବାକୁ ଶ୍ରୀ ପୂଜାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ (ଏନସିଭିବିଡିସି) ଅନୁଯାୟୀ, ଦେଶର ମ୍ୟାଲେରିଆ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ିଶାର ୧୮.୭% ରହିଥିବା ବେଳେ ଛତିଶଗଡ଼ (୩୧,୭୧୩), ଝାଡ଼ଖଣ୍ଡ (୩୧,୧୪୦), ପଶ୍ଚିମବଙ୍ଗ (୨୬,୪୯୩), ତ୍ରିପୁରା (୨୨,୪୧୨), ମହାରାଷ୍ଟ୍ର (୧୬,୧୬୪) ଏବଂ ଉତ୍ତରପ୍ରଦେଶ (୧୩,୫୮୫)।
୨୦୨୩ମସିହାରେ ମ୍ୟାଲେରିଆ ରୋଗୀଙ୍କ କ୍ଷେତ୍ରରେ ଓଡ଼ିଶା ପ୍ରାୟ ୪୨ ହଜାର ଘଟଣା ସହ ଶୀର୍ଷରେ ରହିଥିଲା ଏବଂ ସରକାର ବିଭିନ୍ନ ପଦକ୍ଷେପ ନେଇ ଏହାକୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ରାଜ୍ୟରେ ପୁଣି ଥରେ ଫେରିଛି।
୨୦୨୨ରେ ରାଜ୍ୟରେ ୨୩,୭୭୦ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୪୧,୯୭୧କୁ ବୃଦ୍ଧି ପାଇଛି। ତେବେ ୨୦୨୨ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୪କୁ ଖସି ଆସିଛି।
୨୦୧୬ମସିହାରେ ରାଜ୍ୟରେ ସର୍ବାଧିକ ୪.୪୪ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବା ପରେ ୨୦୧୭ମସିହାରେ ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଓଡ଼ିଶା ଶାଖା ‘ଦୁର୍ଗାମା ଆଞ୍ଚଳରେ ମ୍ୟାଲେରିଆ ନିରାକରଣ‘ (କମ୍ ଉପଲବ୍ଧ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) ବା ‘ଡିଏମ୍ଏଏନ୍‘ ନାମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା।
ଡିଏଏମଏନ ୨୩ଟି ଜିଲ୍ଲାରେ ବ୍ୟାପିଥିବା ରାଜ୍ୟର ଦୁର୍ଗମ ଅଂଚଳରେ ଚିହ୍ନଟ ହୋଇଥିବା ହାଇ ଟ୍ରାନ୍ସମିସନ, ମ୍ୟାଲେରିଆ ‘ପକେଟ୍‘କୁ ଟାର୍ଗେଟ କରିଛି। ଡିଏଏମଏନରେ ଐତିହାସିକ ଭାବରେ ଅଧିକ ମ୍ୟାଲେରିଆ ବୋଝ ଥିବା ଦୁର୍ଗମ ଅଂଚଳର ଗାଁ ଏବଂ ବସ୍ତିରେ ରହୁଥିବା ଜନସଂଖ୍ୟାର ଅର୍ଦ୍ଧବାର୍ଷିକ ମ୍ୟାଲେରିଆ ସ୍କ୍ରିନିଂ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଲା ରାଜ୍ୟର ଜନସଂଖ୍ୟାର ଏକ ବୃହତ ଅଂଶକୁ ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ (ଏଲ୍ ଏଲ୍ ଡିଆଇଏନ୍) ବଣ୍ଟନ
ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଯକ୍ଷ୍ମା ବିଭାଗରୁ ଯକ୍ଷ୍ମା ନିରୋଧୀ ଔଷଧ ଯୋଗାଣ ପାଇଁ ଶ୍ରୀ ମାଣ୍ଡଭିୟାଙ୍କୁ ଚିଠି ଲେଖିଥିଲେ।