ଭୁବନେଶ୍ୱର : ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତିକୁ ଯୋରଦାର କରାଯାଇଛି । ଏଥି ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।
‘’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱରର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟାଦା ସହ ପାଳନ କରିବାକୁ’’ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ୱର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଶଣୀୟ ଜନ-ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସୂଚନା ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ପୋଲିସ୍ କମିଶନରେଟକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ଦିନ ମିଳିତ ପ୍ୟାରେଡ୍ ଅଭ୍ୟାସ କରାଯିବ । ୧୩ ତାରିଖ ସକାଳ ୮ ଘଟିକା ସମୟରେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବେ ।
ଏହି ପ୍ୟାରେଡ୍ ବିଧାନସଭା ସୌଧ ସମ୍ମୁଖ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖ ରାସ୍ତାରେ ରବୀନ୍ଦ୍ରମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସଂଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନମାନଙ୍କୁ ଏଥିରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୁର୍ତ୍ତୀ ହେଉଥିବାରୁ ଏହାକୁ ଏକ ମହୋତ୍ସବଭାବେ ପାଳନ କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ଜେନା ବି.ଏମ୍.ସିଙ୍କୁ ପରାମର୍ଶ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିର ବିକ୍ରମ ଯାଦବ, ବି.ଏମ୍.ସି.ର କମିଶନର ଶ୍ରୀ ସଂଜୟ କୁମାର ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ଼ଃ ସନ୍ତୋଷ ବାଳା, ସୂଚନା ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଡ଼ି.ସି.ପି ଶ୍ରୀ ଉମାଶଙ୍କର ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ଶ୍ରୀ ପ୍ରଦ୍ୟୋଷ ପଟ୍ଟନାୟକ, ସଂପାଦକ ଶ୍ରୀ ସନତ୍ ମିଶ୍ର ଏବଂ ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ପୂର୍ବ ବର୍ଷମାନଙ୍କରେ ଏହି ଦିବସ ପାଳନ ସଂପର୍କିତ ସବିଶେଷ ସୂଚନା ଦେଇଥିଲେ ।