ଭୁବନେଶ୍ୱର : ସ୍ୱୟଂକ୍ରିୟ ଟ୍ରାଫିକ ଲାଇଟ୍ ମାଧ୍ୟମରେ ରାଜଧାନୀରେ ଗାଡିମୋଟର ନିୟନ୍ତ୍ରଣ ହେଉଥିବାବେଳେ ଏହି ଲାଇଟ୍ଗୁଡିକର କିନ୍ତୁ ଠିକଣା ଭାବେ ରକ୍ଷଣା ବେକ୍ଷଣ ହେଉନାହିଁ । ରକ୍ଷଣା ବେକ୍ଷଣ ତ ଦୂରରକଥା, ଅଚଳ ଲାଇଟ୍ଗୁଡିକୁ ଖୋଲି ନିଆଯିବାର ମାସ ମାସ ପରେ ଲଗାଯାଉ ନାହିଁ ।
ରାଜଧାନୀର ବିଭିନ୍ନ ଟ୍ରାଫିକ ଛକରେ ସ୍ୱୟଂକ୍ରିୟ ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ରହିଛି ଭୁବନେଶ୍ୱର ସ୍ମାର୍ଟସିଟ୍ ହାତରେ । ହେଲେ ଏହାର ଠିକଣା ମରାମତି ନହେବାରୁ ବିଭିନ୍ନ ଛକରେ ଗାଡିଚାଳକମାନେ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି ।
ପୁଲିସ୍ କମିଶନରଙ୍କ ଦପ୍ତରକୁ ଲାଗିଥିବା ପାୱାରହାଉସ୍ ଛକରେ ଅଚଳ ଟ୍ରାଫିକ ଲାଇଟ୍ଗୁଡିକୁ ବଦଳାଯାଇ ପାରୁନାହିଁ । ଏହି ଛକରେ ଅଚଳ ହୋଇପଡିଥିବା ଲାଇଟ୍କୁ ମାସାଧିକ କାଳ ହେଲା ଖୋଲି ନିଆଯାଇଥିଲେ ମଧ୍ୟ ତାହା ସ୍ଥାନରେ ନୂତନ ଲାଇଟ୍ ଲାଗୁ ନାହିଁ । ଫଳରେ ରାଜଭବନ ପଟୁ ଆସୁଥିବା ଗାଡିଚାଳକମାନେ ସମସ୍ୟାରେ ପଡୁଛନ୍ତି । ସେହି ପଟରୁ ଆସୁଥିବା ଗାଡିଗୁଡିକ ପାଇଁ ଉଦ୍ଦିଷ୍ଟ ଖୁଣ୍ଟରେ ଅଧା ଲାଇଟ୍ ଖୋଲିନିଆଯାଇଥିବାବେଳେ ଆଉ ଅଧା ଜଳୁନାହିଁ ।
ସେହିଭଳି ୧୨୦ ବାଟାଲିୟନ ସମ୍ମୁଖରେ ଥିବା ଟ୍ରାଫିକ ପୋଷ୍ଟରେ ଲାଗିଥିବା ଲାଇଟ୍ ଠିକଣା ଭାବେ ଜଳୁନାହିଁ । ଏକା ସମୟରେ ଦୁଇ ପଟୁ ନାଲି ଆଲୋକ ଜଳିବାରୁ ଚାଳକମାନେ ସମସ୍ୟାରେ ପଡୁଛନ୍ତି । ଏଭଳି ସମସ୍ୟା ଆଉ କିଛି ଛକରେ ଦେଖାଗଲେ ବି ତାହାର ମରାମତି କରାଯାଉ ନାହିଁ ।
ସ୍ମାର୍ଟ ଟ୍ରାଫିକ ଲାଇଟ୍ ବ୍ୟବସ୍ଥାରେ ଏଭଳି ତ୍ରୁଟି ଯୋଗୁଁ ଏବେ ଧୂ ଧୂ ଖରାରେ ଟ୍ରାଫିକ କର୍ମଚାରୀମାନେ ଛିଡାହୋଇ ଗାଡିମୋଟର ନିୟନ୍ତ୍ରଣ କରୁଛନ୍ତି । ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ଏବଂ ଏଥିପାଇଁ ବ୍ୟାପକ ଅର୍ଥ ବ୍ୟୟ ହେଉଥିବାବେଳେ କାହିଁକି ଏହାର ମରାମତି କରାଯାଉନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେହିଭଳି ଟ୍ରାଫିକ ଲାଇଟ୍ ସହିତ ସମୟ ସୂଚନା ରହୁନାହିଁ । କଳିଙ୍ଗ ହସ୍ପିଟାଲ ଛକକୁ ଛାଡିଦେଲେ ଅନ୍ୟ କୌଣସି ଠାରେ ଏହା ନଥିବାରୁ ଚାଳକମାନେ ବହୁ ସମୟ ଧରି ନିଜ ନିଜ ଗାଡିକୁ ଷ୍ଟାର୍ଟ ଅବସ୍ଥାରେ ରଖୁଛନ୍ତି । ଏହାଦ୍ୱାରା କେବଳ ଇନ୍ଧନ ଖର୍ଚ୍ଚ ହେଉନାହିଁ ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିବାରେ ଲାଗିଛି । ନିକଟରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଟ୍ରାଫିକ୍ ସୁସଜ୍ଜିତ ଫାଇବର ନିର୍ମିତ ଟ୍ରାଫିକ ପୋଷ୍ଟ ସ୍ଥାପନ କରିଥିବାବେଳେ ଏହା ନିକଟରେ ଅଚଳ ହୋଇ ରହିଥିବା ଲାଇଟ୍ ଗୁଡିକ ଉପରେ କିନ୍ତୁ ନଜର ଦେଉ ନାହାନ୍ତି ।
ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ସମୟରେ ଗାଡିମୋଟରଗୁଡିକ ପାଇଁ ସେନସରଯୁକ୍ତ କ୍ୟାମେରା ଖଞ୍ଜାଯାଇଥିଲା । କୌଣସି ପଟୁ ତୁରନ୍ତ ଗାଡିମୋଟର ଖାଲି ହୋଇଗଲେ ସ୍ୱୟକ୍ରିୟ ଭାବେ ଅପର ପଟରୁ ଗାଡି ଛାଡିବା ପାଇଁ ସବୁଜ ବତୀ ଜଳି ଉଠୁଥିଲା । ଏହାଦ୍ୱାରା ସମୟ ଅପଚୟକୁ ରୋକାଯିବା ସହିତ ରାସ୍ତାରେ ଗହଳି ମଧ୍ୟ କମ୍ ରହୁଥିଲା । ହେଲେ ଏବେ ସେହି ସେନସନର ବ୍ୟବସ୍ଥା ଅକାମୀ । ଗାଡି ଥାଉ କି ନଥାଉ ନିର୍ଦ୍ଦିଷ୍ଟ ସମୟରେ ଟ୍ରାଫିକ ଲାଇଟ୍ ଜଳୁଛି ।
ସେହିଭଳି ସହରରେ ଟ୍ରାଫିକ ଛକରେ ଲାଇଟ୍ ଜଳିବା ବା ବନ୍ଦ ହେବାର ନିର୍ଦ୍ଦିଷ୍ଟ କୌଣସି ମସୟ ନାହିଁ । କେଉଁଠାରେ ରାତି ୧୦ଟାରେ ବନ୍ଦ ହେଉଛି ତ ଆଉ କେଉଁଠାରେ ୧୧ଟାରେ । ସେହିଭଳି କେତେବେଳେ ସକାଳ ୬ଟାରୁ ଟ୍ରାଫିକ ଲାଇଟ୍ ଜଳୁଛି ତ ଆଉ କେତେବେଳେ ସକାଳ ୮ଟାରେ । ତେଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବାକୁ ମତପ୍ରପକାଶ ପାଉଛି । (ତଥ୍ୟ)