ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ଅଧା ଜିଲ୍ଲାର ପ୍ରତିନିଧିତ୍ୱ ରାଜ୍ୟ ମନ୍ତ୍ରିମଣ୍ଡଳରେ ନାହିଁ । କେଉଁ ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି ତେଣୁ ସେହି ଜିଲ୍ଲାର ଅନେକ ବିଜେପି ଓ ସ୍ୱାଧୀନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଆଶା ରଖିବା ସ୍ୱଭାବିକ । ଏହାଛଡ଼ା ବର୍ଷକର ରିପୋର୍ଟ କାର୍ଡ ଆଧାରରେ ଏବଂ ସାଂଗଠନିକ ଦୃଷ୍ଟିକୋଣରୁ କେତେକ ମନ୍ତ୍ରୀଙ୍କୁ ବଦଳାଇ ସେମାନଙ୍କ ସ୍ଥାନରେ ନୂଆ ମନ୍ତ୍ରୀ ନେବା ଲାଗି ମଧ୍ୟ ଆଶାୟୀମାନେ ଯୁକ୍ତି ବାଢ଼ୁଛନ୍ତି ।
ଏବେ କଟକ, କେନ୍ଦ୍ରାପଡ଼ା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା ଆଦି ଜିଲ୍ଲାରେ ପ୍ରତିନିଧିତ୍ୱ ମନ୍ତ୍ରିମଣ୍ଡଳରେ ନାହାନ୍ତି । ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର ଆଦି ଜିଲ୍ଲାର ପ୍ରତିନିଧି ମନ୍ତ୍ରିମଣ୍ଡଳରେ ରହିଥିଲେ ମଧ୍ୟ ଏହି ଜିଲ୍ଲାଗୁଡ଼ିକରେ ଆଉ ଅନେକ ବିଧାୟକଙ୍କ ନାଁ ମଧ୍ୟ ରାଜନୈତିକ ସ୍ତରରେ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି ।
ଗତ ସରକାର ସମୟରେ ବିରୋଧୀ ଦଳ ନେତା ଥିବା ଜୟନାରାୟଣ ମିଣ୍ରଙ୍କୁ ବିଜେପି ସରକାରରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ । ଜୟନାରାୟଣ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ରହିଥିଲେ । ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଯେଉଁ ୧୬ଜଣ ମନ୍ତ୍ରୀ ଅଛନ୍ତି ସେମାନଙ୍କ ଭିତରୁ କେବଳ କନକବର୍ଦ୍ଧନ ସିଂହଦେଓଙ୍କର ପୂର୍ବରୁ ମନ୍ତ୍ରୀ ଭାବେ ଅଭିଜ୍ଞତା ଥିବାବେଳେ ଅନ୍ୟ ୧୫ଜଣ ପ୍ରଥମଥର ଲାଗି ମନ୍ତ୍ରୀ ହୋଇଛନ୍ତି ।
ପ୍ରଚଳିତ ପରମ୍ପରା ଅନୁଯାୟୀ ବିଧାନସଭା ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିପାରିବେ । ଅବଶ୍ୟ ଏହି ପ୍ରଥାକୁ ପୂର୍ବରୁ ଅନେକବାର ଉଲ୍ଲଂଘନ କରାଯାଇଛି । ରାଜ୍ୟ ବିଧନାନସଭାର ସଦସ୍ୟ ସଂଖ୍ୟା ୧୪୭ ଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ଜଣ ପର୍ଯ୍ୟନ୍ତ ପ୍ରଥା ଅନୁଯାୟୀ ମନ୍ତ୍ରିମଣ୍ଡଳରେ ରହିବା କଥା । ୨୦୨୪ ଜୁନ୍ ୧୨ ତାରିଖରେ ଗଢ଼ାଯାଇଥିବା ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ଶପଥ ଗ୍ରହଣ ଉତ୍ସବ ସମୟରେ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଯେଉଁମାନଙ୍କ ନାଁ ଆଲୋଚିତ ହେଉଥିଲା ସେମାନଙ୍କ ଭିତରେ କଣ୍ଟାବାଞ୍ଜିରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିବା ଲକ୍ଷ୍ମଣ ବାଗଙ୍କ ନାମ ଚର୍ଚ୍ଚାରେ ଥିଲା । ଏମିତିକି ଗଣମାଧ୍ୟମରେ ବି ତାଙ୍କ ନାମ ମନ୍ତ୍ରିମଣ୍ଡଳ ତାଲିକାରେ ପ୍ରକାଶ ପାଇଥିଲା । ଏ ପରିପ୍ରେକ୍ଷୀରେ ସମ୍ବଲପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଓ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରିମଣ୍ଡଳର ଆଗାମୀ ସଂପ୍ରସାରଣରେ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ଓ କଂଗ୍ରେସ ଠାରୁ ଯେଉଁମାନେ ବିଜେପିରେ ଯୋଗଦେଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ଭିତରୁ ଜଣେ ହେଲେ କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ । ଏହାଛଡ଼ା ଯେଉଁ ୩ଜଣ ସ୍ୱାଧୀନ ବିଧାୟକ ବର୍ତ୍ତମାନର ସରକାରକୁ ସର୍ଥନ ଦେଉଛନ୍ତି ଏବଂ ଅତୀତରେ ବିଜେପି ସହ ଯୋଡ଼ି ହୋଇଥିଲେ ସେମାନଙ୍କୁ ବି ମନ୍ତ୍ରିମଣ୍ଡଳରେ ନିଆଯିବାର ସମ୍ଭାବନା ରହିଛି । ବିଜେପି ଓ ସରକାର ମହିଳମାନଙ୍କ ଉପରେ ବିଶେଷ ଗୁରୁତ୍ୱାରୋପ କରୁଥିବା ବେଳେ ମନ୍ତ୍ରୀ ପରିଷଦରେ କେବଳ ଏବେ ଜଣେ ମାତ୍ର ମହିଳା ସଦସ୍ୟା ଅଛନ୍ତି । ରାଜ୍ୟ ଜନସଂଖ୍ୟାର ପ୍ରାୟ ଅଧା ମହିଳା ହୋଇଥିବା ଏବଂ କେନ୍ଦ୍ର ସରକାର ସଂସଦ ଓ ବିଧାନସଭା ପାଇଁ ମହିଳାଙ୍କ ଲାଗି ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଆଇନ୍ ପ୍ରଣନୟ କରିଥିବାବେଳେ ଓଡ଼ିଶା ମନ୍ତ୍ରିମଣ୍ଡଳର ଆଗାମୀ ସଂପ୍ରସାରଣ ବେଳେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିପାରେ ।
ଗୋଟିଏ ଗୋଟିଏ ଜଲ୍ଲାରୁ ଏବେ ଏକାଧିକ ମନ୍ତ୍ରୀ ଥିବାବେଳେ ଆଉ କେତେକ ଜିଲ୍ଲାରୁ ଆଦୌ କେହି ମନ୍ତ୍ରୀ ନାହାନ୍ତି । ଏ ପରିପ୍ରେକ୍ଷୀରେ ୨୧ଟି ଯାକ ସଂସଦୀୟ କ୍ଷେତ୍ରରୁ ଜଣେ ଜଣେ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ରଖାଗଲେ କ୍ଷେତ୍ର ପ୍ରତିନିଧିତ୍ୱ ସମତୁଲ ରହିବ ଏବଂ ଆଗାମୀ ସଂପ୍ରସାରଣରେ ପଛୁଆ ବର୍ଗ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ମନ୍ତ୍ରିମଣ୍ଡଳରେ କିଛି ସଦସ୍ୟଙ୍କୁ ଦଳ ସାଂଗଠନିକ କାର୍ଯ୍ୟରେ ଲଗାଇପାରେ । (ତଥ୍ୟ)