ଭୁବନେଶ୍ୱର : ନବ ନିର୍ବାଚିତ ବିଧାୟକମାନଙ୍କ ପାଇଁ ଏବେ ରାଜଧାନୀରେ ରହଣି ଚିନ୍ତା । ବିଧାୟକ ଭାବେ ଶପଥ ନେବାପରେ ସେମାନଙ୍କୁ କେଉଁଠାରେ ରଖାଯିବ ସେଥିପାଇଁ ଏବେ ସଂସଦୀୟ ବ୍ୟାପାର ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।
ସଦ୍ୟ ସମାପ୍ତ ନିର୍ବାଚନରେ ନିର୍ବାଚିତ ହୋଇଥିବା ଅଧିକାଂଶ ବିଧାୟକ ହେଉଛନ୍ତି ନୂଆ । ସେମାନେ ଆସି ଶପଥ ନେବାପରେ ରାଜଧାନୀରେ ସେମାନଙ୍କୁ ରହିବାପାଇଁ ବାସଗୃହ ଯୋଗାଇ ଦିଆଯିବା କଥା । ତେବେ ବିଧାୟକମାନଙ୍କ ପାଇଁ ଯେତିକି ବାସଗୃହ ରହିଛି ତାହା ପର୍ଯ୍ୟାପ୍ତ ନୁହେଁ । ଏହାଛଡା ନିର୍ବାଚନରେ ପରାଜିତ ହୋଇଥିବା ଅନେକ ବିଧାୟକ ଏବେ ବି ବିଧାୟକଙ୍କ ଉଦ୍ଦିଷ୍ଟ ବାସଗୃହରେ ରହିଛନ୍ତି । ସେମାନେ ଘର ଛାଡିବାକୁ କିଛି ସମୟ ଲାଗିଯିବ ।
ତେବେ ବିଧାନସଭା ସମ୍ମୁଖରେ ଥିବା ବିଧାୟକ କଲୋନୀକୁ ଭାଙ୍ଗି ସେଠାରେ ସୁଉଚ୍ଚ ବିଧାୟକ ସୌଧ ନିର୍ମାଣ ଚାଲିଥିଲେ ମଧ୍ୟ ତାହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏହା କେବେ ସରିବ କହିବା ମୁସ୍କିଲ । କିଛି ବିଧାୟକ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଛୋଟ କ୍ୱାଟର୍ସରେ ମଧ୍ୟରେ ରହୁଛନ୍ତି ।
ନୂତନ ଭାବେ ନିର୍ବାଚିତ ହୋଇ ଆସୁଥିବା ବିଧାୟକମାନଙ୍କୁ ପ୍ରଥମେ ଅତିଥି ଭବନରେ ରହିବାର ସୁଯୋଗ ମିଳିବ । ତେବେ ସେଠାରେ ସେମାନେ ନିଜର ଦଳ ଦଳ ସହ ରହିବାକୁ କେତେଦୂର ପସନ୍ଦ କରିବେ ତାହା ଚିନ୍ତାର ବିଷୟ । କାରଣ ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାଟର୍ସରେ ଏକାଧିକ କୋଠରୀ ଥିବାରୁ ସେମାନଙ୍କ ସହିତ ଆସିଥିବା ନିଜ ନିଜ ସମର୍ଥକମାନେ ସେଠାରେ ରହିଥାନ୍ତି । କିନ୍ତୁ ଅତିଥିଭବନରେ ସେମାନଙ୍କୁ ଗୋଟିଏ କୋଠରୀ ଯୋଗାଇ ଦିଆଯିବ ।
ସେହିଭଳି ନୂଆ ସରକାରର ମନ୍ତ୍ରୀମାନଙ୍କ ପାଇଁ ଘର ଚିନ୍ତା ମଧ୍ୟ ବିଭାଗକୁ ଘାରିଲାଣି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପ୍ରାୟ ୨୦ଜଣ ମନ୍ତ୍ରୀ ଶପଥ ନେବାକୁ ଥିବାରୁ ସେମାନଙ୍କୁ ବଡ ବଡ କ୍ୱାଟର୍ସ ଯୋଗାଇ ଦିଆଯିବା ଜରୁରୀ ହୋଇପଡିଛି । ସରକାର ବଦଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତେ ନୂଆ । ସମସ୍ତଙ୍କ ପାଇଁ କ୍ୱାଟର୍ସ ଆବଶ୍ୟକ । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦିଷ୍ଟ କ୍ୱାଟର୍ସଟି ଖାଲି ପଡିଥିବାରୁ କୌଣସି ଅସୁବିଧା ହେବନାହିଁ । ହେଲେ ଅଧିକାଂଶ ମନ୍ତ୍ରୀ କ୍ୱାଟର୍ସରେ ଏବେ ପୁରୁଣା ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ରହିଛନ୍ତି । ସେହିଭଳି ମନ୍ତ୍ରୀଙ୍କ ପାଇଁ ତିଆରି ହୋଇଥିବା ବଡ ବଡ ସରକାରୀ ବଙ୍ଗଳାକୁ ଅଫିସର ଓ ଅନ୍ୟ ଅଧିକାରୀମାନେ ମାଡି ବସିଛନ୍ତି । ଯେଉଁଥି ପାଇଁ ବିଜେଡି ସରକାରର କେତେକ ମନ୍ତ୍ରୀ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାଟର୍ସରେ ରହିବାକୁ ବାଧ୍ୟ ହେଉଛନ୍ତି ।
ସରକାରୀ କ୍ୱାଟର୍ସରେ ଥିବା ସଂଖ୍ୟାଧିକ ମନ୍ତ୍ରୀ ଓ ବିଧାୟକ ନିର୍ବାଚନରେ ହାରି ଯାଇଥିବାରୁ ସେମାନେ କିଭଳି ଶୀଘ୍ର ଘର ଛାଡିବେ ଓ ତାହାକୁ ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କ ପାଇଁ ପ୍ରସ୍ତୁତ କରାଯିବ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଯେଉଁ ମନ୍ତ୍ରୀ ଓ ବିଧାୟକମାନେ ପୁର୍ନବାର ନିର୍ବାଚିତ ହୋଇଛନ୍ତି ଓ ସେମାନଙ୍କ ଦଖଲରେ ସରକାରୀ କ୍ୱାଟର୍ସ ରହିଛି ସେମାନଙ୍କ ପାଇଁ କିଛି ଅସୁବିଧା ଉପୁଯିବ ନାହିଁ । ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଯେଭଳି ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ବାସଗୃହ ଯୋଗାଇ ଦିଆଯିବ ସେଥିପାଇଁ ଏବେ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)