Home Administration ମନ୍ତ୍ରୀଙ୍କ ପାଖରେ ନିଯୁକ୍ତି ପାଇଁ ଲବି

ମନ୍ତ୍ରୀଙ୍କ ପାଖରେ ନିଯୁକ୍ତି ପାଇଁ ଲବି

ଭୁବନେଶ୍ୱର: ଓଡିଶାରେ ନବ ନିଯୁକ୍ତି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇନାହିଁ କି ସେମାନଙ୍କ ଲାଗି ମନ୍ତ୍ରୀ କରିଡରରେ ଦପ୍ତର ଆବଣ୍ଟନ ହୋଇନାହିଁ । ଏହା ସତ୍ୱେ ମନ୍ତ୍ରୀମାନଙ୍କ ଦପ୍ତରରେ ନିଯୁକ୍ତି ପାଇବା ଲାଗି ବହୁ ସଂଖ୍ୟକ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ବ୍ୟାପକ ଲବି ଚଳାଇଛନ୍ତି ।

ମନ୍ତ୍ରୀ ପରିଷଦର ୧୬ଜଣଙ୍କ ମଧ୍ୟରୁ କନକ ବର୍ଦ୍ଧନ ସିଂହଦେଓଙ୍କ ଛାଡିଦେଲେ ପୂର୍ବରୁ କେହି କେବେ ମନ୍ତ୍ରୀ ହୋଇନଥିଲେ । ଏହାଛଡା ସଂଖ୍ୟାଧିକ ମନ୍ତ୍ରୀ ପ୍ରଥମଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ଏ ପରିପ୍ରେକ୍ଷୀରେ ପୂର୍ବରୁ ବିଭିନ୍ନ ମନ୍ତ୍ରୀଙ୍କ ଦପ୍ତରରେ ବ୍ୟକ୍ତିଗତ ସଚିବ, ବ୍ୟକ୍ତିଗତ ସହାୟକ ସମେତ ଅନ୍ୟାନ୍ୟ ପଦବୀରେ କାମ କରିବାର ଅଭିଜ୍ଞତା ରଖିଥିବା ବହୁ ବ୍ୟକ୍ତି ନୂଆ ମନ୍ତ୍ରୀମାନଙ୍କ ପିଛା ପଡିଯାଇଛନ୍ତି ।

ନୂଆ ମନ୍ତ୍ରୀମାନଙ୍କ ନିକଟରେ ସମ୍ବର୍ଦ୍ଧନା ଜଣାଇବାପାଇଁ ଏବେ ବ୍ୟାପକ ଗହଳି ହେଉଥିବା ପରିପ୍ରେକ୍ଷୀରେ ଦଳୀୟ ନେତା ଓ ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କରେ ରହିଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ଏମାନଙ୍କ ଲବି ଦେଖିବାକୁ ମିଳୁଛି । ତେବେ ବିଜେଡି ସରକାରର ମନ୍ତ୍ରୀମାନଙ୍କ ନିକଟରେ ଯେଉଁମାନେ କାମ କରୁଥିଲେ ସେମାନଙ୍କୁ ନେବାଲାଗି ଅଧିକାଂଶ ମନ୍ତ୍ରୀ ନାକ ଟେକୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିବାଲାଗି ଅନେକ ପଦସ୍ଥ ଅଧିକାରୀ ଗୋଡଟେକି ବସିଛନ୍ତି । ତେବେ ଏଯାବତ୍‍ ନୂଆ ମୁଖ୍ୟମନ୍ତ୍ରୀ କାହାକୁ ସବୁଜ ସଙ୍କେତ ଦେଇନାହାନ୍ତି । ଜଣେ ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳ ବଦଳିବା ପରେ ମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି ପାଇଁ ଏଭଳି ଚାପ ସୃଷ୍ଟିହେବା କିଛି ନୂଆକଥା ନୁହେଁ । ତେବେ ମନ୍ତ୍ରୀଙ୍କ ଦପ୍ତରର କର୍ମଚାରୀମାନଙ୍କ ଦକ୍ଷତା, ସାଧୁତା, କର୍ମନିଷ୍ଠତା ଆଦି ଉପରେ ମନ୍ତ୍ରୀମଣ୍ଡଳର ସୁନାମ ନିର୍ଭର କରିଥାଏ । ଏହାକୁ ଆଖିଆଗରେ ରଖି ଉପଯୁକ୍ତ ବ୍ୟକ୍ତିମାନଙ୍କୁ ସରକାରୀ ବିଧିବ୍ୟବସ୍ଥା ମୁତାବକ ଚୟନ କରାଯିବ ।

ଅଧିକାଂଶ ମନ୍ତ୍ରୀ ଦପ୍ତରର କର୍ମଚାରୀ ନିଯୁକ୍ତି ଉପରେ ଏବେ ବିଶେଷ ଗୁରୁତ୍ୱଆରୋପ ନକରି କାହାକୁ କେଉଁ ବିଭାଗ ମିଳୁଛି ତାହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ବିଭାଗ ଆବଣ୍ଟନ ପରେ ନିଯୁକ୍ତି କଥା ଉଠିବ । ତେବେ ମନ୍ତ୍ରୀମାନଙ୍କ ଦପ୍ତରରେ ସରକାରୀ କର୍ମଚାରୀଙ୍କ ଛଡା ଅନ୍ୟ କେତେଜଣଙ୍କୁ ରାଜନୈତିକ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି । ଏ ପରିପ୍ରେକ୍ଷୀରେ ବିଜେପି ସହ ସମ୍ପୃକ୍ତ କିଛି ବ୍ୟକ୍ତିବିଶେଷ ମଧ୍ୟ ଏଭଳି ନିଯୁକ୍ତି ପାଇଁ ମନ୍ତ୍ରୀମାନଙ୍କ ଚାରିପଟେ ଚକ୍କର କାଟୁଛନ୍ତି ।

ଏଯାବତ୍‍ କେଉଁ ମନ୍ତ୍ରୀଙ୍କୁ କେଉଁ ସରକାରୀ ବାସଗୃହ ଦିଆଯିବ ସେଥିଘେନି ନିଷ୍ପତ୍ତି ନିଆଯାଇ ନାହିଁ । ପୂର୍ବ ସରକାରର ମନ୍ତ୍ରୀ ଓ ବହୁ ପୂର୍ବତନ ବିଧାୟକ ବଡ ବଡ ବଙ୍ଗଳାମାନ ମାଡି ବସିଛନ୍ତି । ଏମିତିକି ମନ୍ତ୍ରୀ, ବିଧାୟକ ନଥାଇ ବି ଆଉ କେତେକ ଦଳୀୟ ନେତାଙ୍କ କବ୍‍ଜାରେ ଅନେକ ସରକାରୀ କ୍ୱାଟର୍ସ ରହିଛି । ବିଭିନ୍ନ ନିଗମ ଓ ଅନ୍ୟାନ୍ୟ ସରକାରୀ ପଦ ପଦବୀରେ ପୂର୍ବ ସରକାର ସମୟରେ ଥଇଥାନ ହୋଇଥିବା ରାଜନେତା ଓ ଅବସରପ୍ରାପ୍ତ ଅଫିସରମାନେ ଇତି ମଧ୍ୟରେ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ କ୍ୱାଟର୍ସ ଛାଡି ନାହାନ୍ତି ।

ଏ ପରିପ୍ରେକ୍ଷୀରେ କ୍ୱାଟର୍ସ ଖାଲି ହୋଇନଥିବାବେଳେ କେଉଁ ମନ୍ତ୍ରୀ ଓ ବିଧାୟକ କେଉଁ କ୍ୱାଟର୍ସକୁ ନେବେ ସେଥିଘେନି ସେମାନଙ୍କ ଶୁଭଚିନ୍ତକ କୁହାଯାଉଥିବା କିଛି ବ୍ୟକ୍ତି ବୁଲି ବୁଲି କ୍ୱାଟର୍ସ ଖୋଜିବାରେ ଲାଗିଛନ୍ତି । ତେବେ ବିଧାନସଭା ସଚିବାଳୟ, ସଂସଦୀୟ ବ୍ୟାପାର ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ଖୁବ୍‍ଶୀଘ୍ର ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡିଛି । ନବ ନିର୍ବାଚିତ ବିଧାୟକ ଓ ନୂଆ ମନ୍ତ୍ରୀଙ୍କ ପାଇଁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ଅତିଥିଶାଳାରେ ପ୍ରକୋଷ୍ଠ ରଖାଯାଉଛି । ଏମିତିକି ଖୋଦ୍‍ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥିଭବନରେ ତାଙ୍କ ଦପ୍ତର ଚଳାଉଛନ୍ତି । (ତଥ୍ୟ)