ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ ବେତନ ବଢ଼ାଇବା ପାଇଁ ସରକାରୀ ସ୍ତରରେ ପ୍ରସ୍ତାବ ରହିଛି । ତେବେ ବିଧି ବ୍ୟବସ୍ଥା ଅନୁଯାୟୀ ଏ ସଂକ୍ରାନ୍ତୀୟ ବିଧେୟକ ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ନେତାମାନଙ୍କ ବେତନ ଓ ଭତ୍ତା ଆଦି ବଢ଼ିପାରେ ।
ପୂର୍ବରୁ ବିଧାନସଭାର ଏକ କମିଟି ବିଧାୟକମାନଙ୍କ ମାସିକ ବେତନ ଓ ଭତ୍ତା ୧ଲକ୍ଷ ଟଙ୍କାରୁ ୨ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ କରିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଏକ କମିଟି ବିଧାୟକମାନଙ୍କ ବେତନ ଓ ଭତ୍ତା ଆଦିକୁ ମାସିକ ୨ଲକ୍ଷ ୭୫ ହଜାର ଟଙ୍କା କରିବା ପାଇଁ ସୁପାରିସ କରିଛନ୍ତି । ତେବେ ଦରଦାମ୍ ବୃଦ୍ଧି ଓ ଅନ୍ୟ କାରଣ ଦର୍ଶାଇ ଏହାର ପରିମାଣ ୩ଲକ୍ଷ ଟଙ୍କାରୁ ଅଧିକ କରିବା ପାଇଁ ବହୁ ବିଧାୟକ କହୁଛନ୍ତି । ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ ମାସିକ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଯେଉଁମାନେ ୫ବର୍ଷରୁ ଅଧିକ ସମୟ ଧରି ବିଧାୟକ ରହିଛନ୍ତି ସେମାନଙ୍କ ପାଇଁ ପ୍ରତିବର୍ଷ ଲାଗି ଆଉ ୩ ହଜାର ଟଙ୍କା କରି ପେନ୍ସନ୍ ଦେବାକୁ କୁହାଯାଇଛି । ଏହାଛଡ଼ା ପୂର୍ବତନ ବିଧାୟକମାନଙ୍କୁ ମାସିକ ୨୦ ହଜାର ଟଙ୍କା ଚିକିତ୍ସା ଭତ୍ତା ସହିତ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଏବଂ ଲକ୍ଷେ ଟଙ୍କାର ଯାତାୟାତ ଖର୍ଚ୍ଚ ଦେବା ଲାଗି ମଧ୍ୟ କମିଟିଙ୍କ ସୁପାରିସ ରହିଛି ।
ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ବୃଦ୍ଧି ପାଇଁ ବି ପ୍ରସ୍ତାବ ଅଛି । ଏଥିପାଇଁ ବିଧାନସଭାର ଅନୁମୋଦନ ଆବଶ୍ୟକ । ଏବେ ମୁଖ୍ୟମନ୍ତ୍ରୀ ମାସକୁ ବେତନ, ଗାଡ଼ି ବାବଦ ଭତ୍ତା ଓ ଅତିଥି ଚର୍ଚ୍ଚା ଭତ୍ତା ବାବଦରେ ୯୮ ହଜାର ଟଙ୍କା ପାଉଥିବା ବେଳେ ତାହାକୁ ୩ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ । ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ପ୍ରସ୍ତାବ ମୁତାବକ ଉପ ମୁଖ୍ୟମନ୍ତ୍ରୀଙ୍କ ବେତନ ଓ ଭତ୍ତା ମାସିକ ୯୮ ହଜାର ଟଙ୍କାରୁ ୩ଲକ୍ଷ ୨୩ ହଜାର ଟଙ୍କାକୁ ବୃଦ୍ଧି ସହିତ ଅନ୍ୟାନ୍ୟ ଭତ୍ତାର ବି ବ୍ୟବସ୍ଥା ଅଛି ।
କ୍ୟାବିନେଟ୍ ମନ୍ତ୍ରୀମାନେ ଏବେ ମାସିକ ବେତନ ଓ ଭତ୍ତା ଆକାରରେ ୯୮ ହଜାର ଟଙ୍କା ପାଉଥିବା ବେଳେ ତାହାକୁ ୩ଲକ୍ଷ ୨୦ ହଜାର ଟଙ୍କାକୁ ବଢ଼ାଇବା ସହିତ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ଲାଗି ବି ପ୍ରସ୍ତାବ ରହିଛି । ରାଷ୍ଟ୍ରମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ୯୮ ହଜାର ଟଙ୍କାରୁ ୩ଲକ୍ଷ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇପାରେ । ସେହିପରି ମୁଖ୍ୟ ସଚେତକଙ୍କ ମାସିକ ବେତନ ଓ ଭତ୍ତା ୯୮ ହଜାରରୁ ୩ଲକ୍ଷ ୨୦ ହଜାର ଟଙ୍କା ଏବଂ ଉପ ମୁଖ୍ୟ ସଚେତକଙ୍କ ୯୮ ହଜାର ଟଙ୍କାରୁ ୩ଲକ୍ଷ ୧୬ ହଜାର ଟଙ୍କାକୁ ବଢ଼ାଇବା ପାଇଁ ପ୍ରସ୍ତାବ ଥିବା ଜଣାପଡିଛି । ଏମାନଙ୍କ ଛଡ଼ା ବାଚସ୍ପତି ଓ ଉପ ବାଚସ୍ପତିଙ୍କ ବେତନ ଓ ଭତ୍ତା ବଢ଼ାଇବା ଲାଗି ମଧ୍ୟ ପ୍ରସ୍ତାବ ଥିବା କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୧୭ ମସିହାରେ ମନ୍ତ୍ରୀ ଓ ବିଧାୟକମାନଙ୍କର ବେତନ-ଭତ୍ତା ଆଦି ବୃଦ୍ଧି କରାଯାଇଥିଲା । ଏମାନଙ୍କ ଚିକିତ୍ସା ପାଇଁ ମାସିକ ଭତ୍ତା ବ୍ୟବସ୍ଥା ବି ରହିଛି । ଏହାଛଡ଼ା ପତ୍ର ପତ୍ରିକାଠାରୁ ଆରମ୍ଭ କରି ଟେଲିଫୋନ୍ ଓ ଗାଡ଼ି ଖର୍ଚ୍ଚ ବାବଦରେ ମଧ୍ୟ ସ୍ୱତନ୍ତ୍ର ଭତ୍ତା ସହିତ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ମଧ୍ୟ ଅଛି । ଏଠାରେ ଉଲ୍ଲେଖନୀୟ ଯେ ଏବେ ମନ୍ତ୍ରୀମାନେ ମାସିକ ଯେତିକି ପରିମାଣର ବେତନ ଓ ଭତ୍ତା ପାଉଛନ୍ତି ସେମାନଙ୍କ ସଚିବମାନଙ୍କ ବେତନ ଓ ଭତ୍ତା ପରିମାଣ ତାହାଠାରୁ ଢେର ଅଧିକ । (ତଥ୍ୟ)