Home General ମଧ୍ୟାହ୍ନ ଭୋଜନ ଚିନ୍ତା ବଢିଲା

ମଧ୍ୟାହ୍ନ ଭୋଜନ ଚିନ୍ତା ବଢିଲା

ଭୁବନେଶ୍ୱର : ଗ୍ରୀଷ୍ମ ଛୁଟିପରେ ରାଜ୍ୟରେ ବିଦ୍ୟାଳଗୁଡିକ ଖୋଲିଥିବାବେଳେ ବଜାର ଦରକୁ ଦେଖି ଏବେ କର୍ତ୍ତୃପକ୍ଷଙ୍କୁ ମଧ୍ୟାହ୍ନଭୋଜନ ଚିନ୍ତା ଘାରିଛି । ଡାଲି ଠାରୁ ଆରମ୍ଭକରି ଆଳୁ, ପିଆଜ ଓ ପନପରିବା ଦର ଯେଭଳି ବୃଦ୍ଧି ପାଇଛି ସେଥିରେ ପିଲାଙ୍କୁ ସରକାରଙ୍କ ଧାର୍ଯ୍ୟ ଦରରେ କିଭଳି ମଧ୍ୟାହ୍ନଭୋଜନ ଯୋଗାଯିବ ତାହାକୁ ନେଇ ସମସ୍ୟା ଦେଖାଦେଇଛି ।

ରାଜ୍ୟରେ ଏବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମୁଣ୍ଡପିଛା ୫ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ୮ଟଙ୍କା ୮୨ ପଇସା କରି ସରକାର ଯୋଗାଇ ଦେଉଛନ୍ତି । ଏହି ଅର୍ଥରେ ପିଲାମାନଙ୍କୁ ସପ୍ତାହରେ ଦୁଇଦିନ ଭାତ ସହିତ ଅଣ୍ଡା ତରକାରୀ, ଦୁଇ ଦିନ ସୋୟାବଡି ତରକାରୀ ଓ ଆଉ ଦୁଇଦିନ ଡାଲମା ଦେବାର ବ୍ୟବସ୍ଥା ରହିଛି ।

ତେବେ ବର୍ତ୍ତମାନ ବଜାର ଦରରେ କିଭଳି ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ ତାହାକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି । ବଜାରରେ ଏବେ ଆଳୁ କିଲୋ ୩୦ରୁ ୩୫ ଟଙ୍କା ହୋଇଥିବାବେଳେ ପିଆଜ କିଲୋ ୪୦ଟଙ୍କା ଛୁଇଁଲାଣି । ହରଡଡାଲି କିଲୋ ୧୭୦ ଟଙ୍କା ଟପିଥିବାବେଳେ ଅନ୍ୟାନ୍ୟ ରୋଷେଇ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ସେହିଭଳି ଅଣ୍ଡା ଗୋଟିକୁ ବଜାରରେ ୮ ଟଙ୍କାରେ ବିକ୍ରି ହେଉଛି । ଏହା ସାଙ୍ଗକୁ ପନିପରିବାର ଦର ଆକାଶଛୁଆଁ ହୋଇଛି । କଖାର ଓ ଅମୃତଭଣ୍ଡାକୁ ବାଦ୍‍ଦେଲେ ଅନ୍ୟ ସମସ୍ତ ପନିପରିବାର ଦର ପ୍ରାୟ ୮୦ ଟଙ୍କା ରହିଛି ।

ରାଜ୍ୟ ସରକାର ପିଲାଙ୍କ ପାଇଁ ଚାଉଳ ଯୋଗାଇ ଦେଉଥିବାବେଳେ ଅନ୍ୟାନ୍ୟ ସାମଗ୍ରୀ ଖରିଦ କରିବାକୁ ପଡୁଛି । ତେଣୁ ଏଭଳି ସ୍ଥିତିରେ ପିଲାଙ୍କୁ କିଭଳି ମଧ୍ୟାହ୍ନଭୋଜନ ପ୍ରଦାନ କରାଯିବ ତାହାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଚିନ୍ତାରେ ପଡିଛନ୍ତି । ଭାତ ସହିତ ପାଣିଆ ଡାଲମା କୌଣସି ପ୍ରକାରେ ପ୍ରସ୍ତୁତ ହୋଇଯାଉଥିବାବେଳେ ଅଣ୍ଡା ତରକାରୀକୁ ନେଇ ଚିନ୍ତା ବଢିଛି । କାରଣ ପିଲାଙ୍କ ପାଇଁ ମିଳୁଥିବା ଅର୍ଥରେ ଗୋଟିଏ ଅଣ୍ଡା ଖରିଦ କରିବା ମୁସ୍କିଲ । ଏହା ସହିତ ଅଣ୍ଡା ତରକାରୀ ପାଇଁ ତେଲ, ପିଆଜ, ରସୁଣ, ଅଦା ଆଦି ଆବଶ୍ୟକ । ସେହିଭଳି ସେୟାବଡି ତରକାରୀ ପାଇଁ ମଧ୍ୟ ଏହିସବୁ ସାମଗ୍ରୀ ଦରକାର ପଡୁଛି ।

ତେଣୁ ରାଜ୍ୟ ସରକାର ତୁରନ୍ତ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାପାଇଁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ମତ ଦେଉଛନ୍ତି । ପୂର୍ବରୁ ଅଣ୍ଡା ଦର ବୃଦ୍ଧି ସମୟରେ ଏଭଳି ଦାବି ହୋଇଥିବାବେଳେ ସରକାର ଏହାକୁ ବିଚାରକୁ ନେବେ ବୋଲି ଆଶ୍ୱାସନା ଦେଇଥିଲେ । ତେବେ ୨୦୨୨ ମସିହାରୁ ମଧ୍ୟାହ୍ନ ଭୋଜନ ଦରରେ ସଂଶୋଧନ ହୋଇନଥିବାରୁ ବଜାର ଦରକୁ ଦୃଷ୍ଟିରେ ରଖି ତୁରନ୍ତ ଏହାକୁ ସଂଶୋଧନ ପାଇଁ ମତ ପ୍ରକାଶ ପାଉଛି ।

ଦର ସଂଶୋଧନ ନହେଲେ ଯେଉଁ ସବୁ ବିଦ୍ୟାଳୟରେ ବିଭିନ୍ନ ସଂସ୍ଥାମାନେ ଖାଦ୍ୟ ଯୋଗାଉଛନ୍ତି ସେମାନେ କୌଣସି ପ୍ରକାରେ କାମ ଚଳାଇ ନେଉଥିବାବେଳେ ଯେଉଁଠାରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଗ୍ରାମ କମିଟି ହାତରେ ଏହା ନ୍ୟସ୍ତ କରାଯାଇଛି ସେଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ସମ୍ଭବପର ନୁହେଁ ବୋଲି ଖୋଲିଖୋଲି ଭାବେ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ କହୁଛନ୍ତି । (ତଥ୍ୟ)