ଭୁବନେଶ୍ୱର : ବଜାରରେ ଗୋଟାଏ ଅଣ୍ଡାର ଦାମ୍ ୭ ଟଙ୍କାରୁ ଅଧିକ ହୋଇଥିବା ବେଳେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର କିନ୍ତୁ ଦେଉଛନ୍ତି ୫ଟଙ୍କା ୩୦ ପଇସା । ପ୍ରତି ଅଣ୍ଡା ପିଛା ଆଉ ଟଙ୍କାଏ ୭୦ ପଇସା କେଉଁଠୁ ଆସୁଛି ସେ ସଂକ୍ରାନ୍ତରେ କେହି ସ୍ପଷ୍ଟ ଭାବେ କିଛି ଉତ୍ତର ଦେଇପାରୁ ନାହାନ୍ତି ।
ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିଲା ଏବଂ ଏଥିରେ ପ୍ରାୟ ୪୪ଲକ୍ଷ ପିଲା ସାମିଲ ଥିଲେ । ଏବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଲାଗି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଛି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ଲାଗି ଦିନକୁ ହାରାହାରି ୭ ଟଙ୍କା ୬୪ପଇସା ଓ ଷଷ୍ଠରୁ ଦଶମ ପିଲାମାନଙ୍କ ଲାଗି ୧୦ ଟଙ୍କା ୯୪ ପଇସା ସରକାରୀ ବ୍ୟବସ୍ଥା କରିଛନ୍ତି । ଏହାଛଡ଼ା ମାଗଣାରେ ଚାଉଳ ବି ଦିଆଯାଉଛି । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସପ୍ତାହରେ ଦୁଇଦିନ ପିଲାମାନଙ୍କୁ ଅଣ୍ଡା ଖୁଆଇବା ପାଇଁ ବ୍ୟବସ୍ଥା ଅଛି । ବିଦ୍ୟାଳୟରେ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ପାଚିକା ଓ ସହାୟିକାଙ୍କ ଦ୍ୱାରା ପ୍ରସ୍ତୁତ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେଲେ ଲୋକେ ବିରୋଧ କରୁଛନ୍ତି ଏବଂ ଅଣ୍ଡା ବ୍ୟବସ୍ଥା କରିବା ବେଳକୁ ସରକାର ଦେଉଥିବା ପଇସାରେ ବଜାରରେ ଶସ୍ତା ଅଣ୍ଡା ମିଳୁନାହିଁ ।
ମଧ୍ୟାହ୍ନ ଭୋଜନ ପାଇଁ ଯେତିକି ଅର୍ଥ ଆସୁଛି ସେଥିରେ ଡାଲି, ତେଲ ଓ ଅନ୍ୟ ପନିପରିବା କିଣିବା ମୁସ୍କିଲ୍ । ଏବେ ଡାଲି କେଜି ପାଖାପାଖି ୧୫୦ ଟଙ୍କାରେ ପହଞ୍ôଚଥିବାବେଳେ ଲୁଣ କିଲୋ ୩୦ ଟଙ୍କା । ତେଲ ଲିଟର ୧୫୦ରୁ ୨୦୦ ଟଙ୍କା । ପନିପରିବା ଭିତରେ ଆଳୁ କିଲୋ ୨୦ଟଙ୍କା ଥିବାବେଳେ ୩୦ ଟଙ୍କା ଓ ଅଦା କିଲୋ ବି ୧୫୦ରୁ ଅଧିକ । କଖାରୁ, ଅମୃତଭଣ୍ଡା ଭଳି ପରିବାର ଦର କିଲୋ ପିଛା ୩୦ ଟଙ୍କା ଥିବାବେଳେ ସଜନା ଛୁଇଁ କିଲୋ ବି ୧୫୦ ଟଙ୍କାରୁ ଅଧିକ । ମୂଳ ଗୋଟାକୁ ୧୦ଟଙ୍କା ହୋଇଥିବାବେଳେ ପୋଟଳ, ବିନ୍ ଆଦି ପନିପରିବା ଦର କିଲୋ ପିଛା ୧୦୦ରୁ ୧୫୦ ଟଙ୍କା । ଏହାଛଡ଼ା ଜାଳେଣୀ ବାବଦ ବ୍ୟୟ ଅଛି । ଏ ପରିପ୍ରେକ୍ଷୀରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଯେତିକି ପଇସା ବ୍ୟବସ୍ଥା କରୁଛନ୍ତି ସେଥିରେ ଭାତ ସହ ମଧ୍ୟମ କିସମର ଡାଲମା ପ୍ରସ୍ତୁତ କରିବା ମୁସ୍କିଲ । ଏ ପରିପ୍ରେକ୍ଷୀରେ ସପ୍ତାହରେ ପିଲାମାନଙ୍କୁ ଦୁଇଦିନ ଅଣ୍ଡା ଖୁଆଇବା ଶିକ୍ଷକମାନଙ୍କ ପକ୍ଷେ ଦୂରହ ବ୍ୟାପାର ହୋଇପଡୁଛି ।
ଓଡ଼ିଶାରେ ପାଖାପାଖି ୫୦ଲକ୍ଷ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବରାଦ ଅଛି । ଅର୍ଥାତ୍ ସପ୍ତାହରେ କୋଟିଏ ଅଣ୍ଡା ଦରକାର । ରାଜ୍ୟରେ ଉତ୍ପାଦିତ ହେଉଥିବା ଅଣ୍ଡା ପର୍ଯ୍ୟାପ୍ତ ହେଉନଥିବାରୁ ଅନ୍ୟ ରାଜ୍ୟରୁ ଅଣ୍ଡା ଆମଦାନି କରିବାକୁ ପଡୁଛି । ଅନେକ ଶିକ୍ଷକ ଶିକ୍ଷୟିତ୍ରୀ କହୁଛନ୍ତି ଯେ ପ୍ରତି ସପ୍ତାହରେ କେବଳ ଅଣ୍ଡା ବାବଦରେ ସାରା ରାଜ୍ୟରେ ୭ କୋଟି ଟଙ୍କ ଦରକାର ଥିବାବେଳେ ସରକାରୀ ବ୍ୟବସ୍ଥାରେ ପ୍ରାୟ ୫ କୋଟି ୩୦ଲକ୍ଷ ଟଙ୍କା ମିଳୁଛି । ଅବଶିଷ୍ଟ କୋଟିଏ ୭୦ଲକ୍ଷ ଟଙ୍କା ପ୍ରତି ସପ୍ତାହରେ କୁଆଡୁ ଆସୁଛି ଏବଂ ୭ଟଙ୍କାରେ ଅଣ୍ଡା କିଣି ୫ଟଙ୍କା ୩୦ ପଇସାରେ ତାହା କିପରି ଭରଣା ହେଉଛି ସେ ଗଣିତ ଶିକ୍ଷକମାନେ କରିପାରୁନଥିବାବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାହାର ହିସାବ ପାଉନାହାନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରକ୍ତହୀନିତା ଓ ପୁଷ୍ଟିହୀନତା ଦୂରିକରଣ ପାଇଁ ଅଭିଯାନ ଚଳାଉଛନ୍ତି । ଅଙ୍ଗନବାଡ଼ିରେ ଏଥିଲାଗି ମଧ୍ୟ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା ହେଉଛି । ଏହାଛଡ଼ା କିଶୋରୀମାନଙ୍କ ପାଇଁ ବି ଅଣ୍ଡା, ବୁଟ, ଛତୁଆଠାରୁ ଆରମ୍ଭ କରି ଆଇରନ୍ ବଟିକା ପର୍ଯ୍ୟନ୍ତ ମାଗଣାରେ ବଣ୍ଟା ଯାଉଛି । ଏ ପରିପ୍ରେକ୍ଷୀରେ ବଜାର ଦରକୁ ଆଖି ଆଗରେ ରଖି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରିବା, ପ୍ରତି ସ୍କୁଲରେ ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ ଭଳି ପନିପରିବା କିପରି ଉତ୍ପାଦନ କରାଯାଇପାରିବ ତାହା ଉପରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)

