Home Assembly ମଧ୍ୟାହ୍ନ ଭୋଜନରେ ୫୬ଲକ୍ଷ ଛାତ୍ରଛାତ୍ରୀ

ମଧ୍ୟାହ୍ନ ଭୋଜନରେ ୫୬ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ୫୬,୪୯,୫୨୪ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ମୁଣ୍ଡପିଛା ଦୈନିକ ଖାଦ୍ୟ ମୂଲ୍ୟ ୧୧ଟଙ୍କା ୧୫ ପଇସା ଅଟେ । ସେହିପରି ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରେ ଛାତଛାତ୍ରୀମାନଙ୍କର ଦୈନିକ ମୁଣ୍ଡପିଛା ଖାଦ୍ୟର ମୂଲ୍ୟ ୧୪ ଟଙ୍କା ୭୪ ପଇସା ଅଟେ ।

ଛାତ୍ରଛାତ୍ରୀମାନଙ୍କ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ ଦିଆଯାଉଥିବାବେଳେ ମଙ୍ଗଳବାର ଓ ଶନିବାର ଦିନ ଭାତ ଓ ସୋୟାବଡି ତରକାରୀ ସହିତ ପୁଷ୍ଟଯୁକ୍ତ ଲଡୁ ଦିଆଯାଉଛି । ଗୁରୁବାର ଦିନ ପିଲାଙ୍କୁ ଭାତ ଓ ଡାଲମା ସହିତ ପୁଷ୍ଟିକର ଲଡୁ ମିଳୁଛି । ଏହାଛହା ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଅଣ୍ଡା ଖାଉନଥିବା ଛାତ୍ରଛାତ୍ରୀଙ୍କୁ ଫଳ ଦିଆଯିବାର ବ୍ୟବସ୍ଥା ଅଛି ।