Home Education ମଧ୍ୟାହ୍ନଭୋଜନକୁ ପରିବା ଦର ଚିନ୍ତା

ମଧ୍ୟାହ୍ନଭୋଜନକୁ ପରିବା ଦର ଚିନ୍ତା

ଭୁବନଶ୍ୱେର : ରାଜ୍ୟରେ ପନି ପରିବାର ଅହେତୁକ ଦରବୃଦ୍ଧି ଏବେ ଛୋଟ ଛୋଟ ପିଲା ଖାଉଥିବା ମଧ୍ୟାହ୍ନଭୋଜନକୁ ପ୍ରଭାବିତ କରିଛି । ସସପ୍ତାହରେ ଦୁଇ ରୁ ତିନି ଦିନ ଭାତ ସହିତ ଡାଲମା ଦିଆଯାଉଥିବାବେଳେ ସେହି ଡାଲମାରେ ପରିବା ପକାଇବା ମୁସ୍କିଲ ହୋଇଗଲାଣି ।

ରାଜ୍ୟରେ ଏବେ ପରିବା ଦର ଆକାଶଛୁଆଁ ହୋଇଛି । ଅମୃତଭଣ୍ଡା, କଖାରୁ ଭଳି ପରିବାର ଦର କିଲୋପ୍ରତି ୩୦ ଟଙ୍କାରେ ବିକ୍ରି ହେଉଛି । ସହରାଞ୍ଚଳରେ ଅମୃତଭଣ୍ଡା କିଲୋ ୪୦ ଟଙ୍କା ହୋଇଥିବାବେଳେ କଞ୍ଚାକଦଳୀ ଗୋଟିକୁ ୧୦ ଟଙ୍କାରେ ବିକ୍ରି ହେଉଛି । ଆଳୁ କିଲୋ ୨୦ ରୁ ୨୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ଦର ବଢିବ ବୋଲି ବ୍ୟବସାୟୀମାନେ ସୂଚନା ଦେଲେଣି । ସେହିଭଳ ଡାଲମା ପାଇଁ ଆବଶ୍ୟକ ହେଉଥିବା ହରଡଡାଲି କିଲୋ ୧୭୦ ଟଙ୍କା ଉପରେ ରହିଛି ।

ଏଭଳି ସ୍ଥିତିରେ ପିଲାଙ୍କୁ ଭାତ ସହିତ କିଭଳି ଡାଲମା ପ୍ରଦାନ କରାଯିବ ତାହା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ଚିନ୍ତାର ହୋଇଛି । ଯେଉଁସବୁ ବିଦ୍ୟାଳୟରେ ବିଭିନ୍ନ ସଂସ୍ଥା ମଧ୍ୟାହ୍ନ ଭୋଜନ ଯୋଗାଣ କରୁଛନ୍ତି ସେଠାରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଚିନ୍ତାରେ ଥିବାବେଳେ ଗାଁ ଗହଳରେ ଏବେ ମଧ୍ୟାହ୍ନଭୋଜନ ପାଇଁ ଶିକ୍ଷକମାନେ ଅକଳରେ ପଡୁଥିବା ଦେଖିବାକୁ ମିଳୁଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀପର୍ଯ୍ୟନ୍ତ ୪୧ଲକ୍ଷ ୭୪ହଜାରରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ମୁଣ୍ଡପିଛା ୭ଟଙ୍କା ୬୪ ପଇସାକରି ଯୋଗାଇ ଦିଆଯାଉଥିବାବେଳେ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ୧୦ ଟଙ୍କା ୯୪ ପଇସା କରି ଯୋଗାଯାଉଛି ।

ଇତି ମଧ୍ୟରେ ରାଜ୍ୟ ସରକାର ମଧ୍ୟାହ୍ନଭୋଜନ ଯୋଜନାରେ ନବମ ଓ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାମିଲ କରିଛନ୍ତି । ଏହାଦ୍ୱରୋ ୧୦ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାରେ ଉପକୃତ ହେବାକୁ ଥିବାବେଳେ ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୬୪୬ କୋଟି ୩୧ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ।

ତେବେ ଛାତ୍ରଛାତ୍ରୀମାନଙ୍କ ଲାଗି ମୁଣ୍ଡପିଛା ଯେତିକି ଅର୍ଥ ବ୍ୟୟ ହେଉଛି ସେଥିରେ କଷ୍ଟେ ମଷ୍ଟେ ଭାତ-ଡାଲମା ପ୍ରସ୍ତୁତ ହେଉଥିବାବେଳେ ଏବେ ପନିପରିବାର ସହିତ ଡାଲିର ଦରବୃଦ୍ଧି ଏଥିରେ ବଡ ବାଧକ ହୋଇଛି । ବହୁ ସ୍ଥାନରେ ପିଲାଙ୍କୁ ଅଳ୍ପ ପନିପରିବା ପଡିଥିବା ପାଣିଆ ଡାଲମା ଦେବାକୁ ଶିକ୍ଷକମାନେ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତି ସଂକ୍ରାନ୍ତରେ ସମସ୍ତେ ଜାଣିଥିଲେ ବି ଅର୍ଥ ବରାଦକୁ ଦେଖି କେହି ମୁହଁ ଖୋଲୁ ନାହାନ୍ତି ।

କେବଳ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ନୁହେଁ, ଅଙ୍ଗନବାଡିରେ ପିଲାଙ୍କୁ ଯୋଗାଯାଉଥିବା ରନ୍ଧାଖାଦ୍ୟ ଉପରେ ମଧ୍ୟ ପନିପରିବା ଓ ଡାଲି ଭଳି ସାମଗ୍ରୀର ଦରବୃଦ୍ଧି ପ୍ରଭାବ ପଡିବାରେ ଲାଗିଛି । ତେଣୁ ଦରବୃଦ୍ଧି ସମୟରେ ସରକାର ଉଭୟ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ରନ୍ଧାଖାଦ୍ୟ ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)