Home General ମଧୁ ସ୍ମାରକୀ ନିର୍ମାଣରେ ରାଜନୀତି ଜୋରଦାର

ମଧୁ ସ୍ମାରକୀ ନିର୍ମାଣରେ ରାଜନୀତି ଜୋରଦାର

ଭୁବନେଶ୍ୱର : ସ୍ମାରକୀ ନିର୍ମାଣକୁ କେନ୍ଦ୍ରକରି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ବ୍ୟାପାରରେ ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ମାପି ଚୁପି କଥା କହୁଥିବାବେଳେ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ଏବଂ ଏହାକୁ କେନ୍ଦ୍ରକରି ଦିନକୁ ଦିନ ବିବାଦ ବଢିବାରେ ଲାଗିଛି ।

ଉତ୍କଳଗୌରବଙ୍କ ପୂଣ୍ୟ ତିଥିରେ ସତ୍ୟଭାମାପୁର ସ୍ଥିତ ତାଙ୍କ ପୈତୃକ ଗୃହ ପରିସର ମଧ୍ୟରେ ଥିବା ଏନ୍ତୁଡିଶାଳରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିପାରିନଥିଲେ । ଏମିତିକି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏଠାକୁ ଆସି ଫେରିଯାଇଥିଲେ । ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୈତୃକ ବାସଗୃହକୁ ଯେଭଳି ଏକ ଭବ୍ୟ ସ୍ମାରକୀରେ ପରିଣତ କରାଯାଇଛି ଅନୁରୂପ ଭାବେ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ପୈତୃକ ଗରେ ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଦାବିହୋଇ ଆସୁଛି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେତେବେଳର ୫-ଟି ସଚିବ ଭି କେ ପାଣ୍ଡିଆନ ସତ୍ୟଭାମାପୁରରୁ ଆସି ଏଠାରେ ଭବ୍ୟ ସ୍ମାରକୀ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏଥି ସହିତ ଏହି ସ୍ମାରକୀ ଲାଗି ରାଜ୍ୟ ସରକାର ଅର୍ଥ ମଞ୍ଜୁର କରୁଥିବା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ତେବେ ଇତି ମଧ୍ୟରେ ବର୍ଷାଧିକକାଳ ବିତି ଯାଇଥିଲେ ବି ଟଙ୍କା ଥିଲେ ମଧ୍ୟ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏହି କାମ କେବଳ ଜମି ମାପଚୁପରେ ସୀମିତ ରହିଛି ।

ଯେଉଁ ଜମି ଉପରେ ଉତ୍କଳଗୌରବଙ୍କ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ସେଥିରୁ କିଛି ଜମିକୁ ରାଜ୍ୟ ସରକାର ପୂର୍ବରୁ କସ୍ତୁରବାଗାନ୍ଧୀ ଜାତୀୟ ସ୍ମାରକୀର ରାଜ୍ୟ ଶାଖାକୁ ଲିଜ୍‍ ଆକାରରେ ଦେଇଥିଲେ । ଏହି ଜମି ପ୍ରସଙ୍ଗରେ ଆଇନ୍‍ଗତ ବିବାଦ ରହିଛି । ଏହାଛଡା ମଧୁବାବୁଙ୍କ ପୈତୃକ ଗୃହ ଏକଦା ବିକ୍ରିହୋଇ ଯାଉଥିବାବେଳେ ତାହାକୁ ତାଙ୍କ ଝିଆରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ରମାଦେବୀଙ୍କ ଏକନିଷ୍ଟ ଉଦ୍ୟମ ଯୋଗୁଁ ସୁରକ୍ଷା କରାଯାଇଥିଲା । କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧିରୁ ଆବଶ୍ୟକୀୟ ଅର୍ଥ ଆଣି ଇତିହାସର ଏହି କିର୍ତ୍ତୀରାଜିକୁ ମା’ ରମାଦେବୀ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧି ନାଁରେ କିଣିଥିଲେ ଏବଂ ପରେ ସେଠାରେ କସ୍ତୁରବାଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକନିଧିର ପ୍ରାଦେଶିକ କାର୍ଯ୍ୟାଳୟ ସହିତ କନ୍ୟାଶ୍ରମ ଓ କର୍ମୀତାଲିମ ଶିବିର ଆଦି ଚାଲିଆସୁଛି ।

ଗାନ୍ଧୀ ସ୍ମାରକନିଧି ଓ କସ୍ତୁରବା ଟ୍ରଷ୍ଟର ଏହି ଜମି ରାଜ୍ୟ ସରକାରଙ୍କୁ କିଭଳି ହସ୍ତାନ୍ତର କରିବେ ସେ ସଂକ୍ରାନ୍ତରେ କଟକ ଜିଲ୍ଲାପାଳ ସମ୍ପୃକ୍ତ ସଂସ୍ଥାଗୁଡିକ ସହ ଆଲୋଚନା କରିବାପରେ ଏକ ଚିଠା ଚୁକ୍ତିନାମା ପ୍ରସ୍ତୁତ ହୋଇଥିବା କୁହାଯାଉଛି । ଏବେ ଏହି ଚିଠା ଚୁକ୍ତିନାମାର ଆଇନ୍‍ଗତ ଦିଗ ସମ୍ପର୍କରେ ତର୍ଜମା ଚାଲିଥିବାରୁ ସ୍ମାରକୀ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘଟୁଛି ।

ଏହି ଅନୁଷ୍ଠାନ ପରିସରରେ ପ୍ରତିବର୍ଷ ଅମର ଶହୀଦ କସ୍ତୁରବାଙ୍କ ପୂଣ୍ୟତିଥି ଫେବୃୟାରୀ ୨୨ ତାରିଖରେ ପାଳନ କରାଯାଇଥାଏ । ତେବେ ପ୍ରତିପାଳନ ପାଇଁ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ଆଉଗୋଟିଏ ଗୋଷ୍ଠି ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବାରୁ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତଙ୍କ ସହଯୋଗ ଓ ସହମତି ଭିତ୍ତିରେ ସତ୍ୟଭାମାପୁରରେ ସୁଦୃଶ୍ୟ ମଧୁସ୍ମାରକୀ ନିର୍ମାଣ ସହିତ କସ୍ତୁରବା ଟ୍ରଷ୍ଟ ଓ କନ୍ୟାଶ୍ରମ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସଚେତକ ନାଗରିକମାନେ ମତ ଦେଉଥିବାବେଳେ ଏହି ପ୍ରକଳ୍ପ ଘେନି ଏବେ ଜୋରଦାର ରାଜନୀତି ଚାଲୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)