ଭୁବନେଶ୍ୱର : ଅଣ ସଂକ୍ରାମକ ରୋଗ ତାଲିକାରେ ଥିବା ମଧୁମେହ ଓ ଉକ୍ତ ରକ୍ତଚାପକୁ ରୋକିବାପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଠାରେ ଏହି ରୋଗ ଚିହ୍ନଟ ସହିତ ତାହାକୁ ଚିକିତ୍ସାସେବ ଯୋଗାଇ ଦେବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ ଆରମ୍ଭ ହୋଇଥିବାବେଳେ ସରକାରୀ ସ୍ତରରେ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ବି ତ୍ୱରିତ ପଦକ୍ଷେପ ନିଆଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ଫେବୃୟାରୀ ୨୦ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଅଣ ସଂକ୍ରାମକ ରୋଗ ବିଶେଷକରି ମଧୁମେହ ଓ ଉଚ୍ଚ ରକ୍ତଚାପ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେହିଭଳି ଚଳିତ ବର୍ଷର ପ୍ରଥମ ଛଅମାସରେ ଦେଶରେ ପଞ୍ଜିକୃତ ପ୍ରାୟ ୧କୋଟି ୧୨ ଲକ୍ଷ ଉଚ୍ଚ ରକ୍ତଚାପ ରୋଗୀ ଓ ୬୪ଲକ୍ଷରୁ ଅଧିକ ମଧୁମେହ ରୋଗୀ ଚିକିତ୍ସିତ ହେଉଛନ୍ତି ।
ରୋଗୀଙ୍କ ସ୍ୱାସ୍ଥ୍ୟସେବା ଯୋଗାଇବା ଯଦିଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ତେବେ ମଦୁମେହ, ଉଚ୍ଚ ରକ୍ତଚାପ ଭଳି ଅଣସଂକ୍ରାମକ ରୋଗକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୭୦ ଜିଲ୍ଲାରେ ୨୩୩ଟି ହୃଦରୋଗ ଚିକିତ୍ସା ୟୁନିଟ୍ ଏବଂ ୬୪୧୦ଟି ଏନସିଡି କ୍ଲିନିକ ପ୍ରତିଷ୍ଠା କରାଯାଇଛି । ଏଠାରେ ଅଣସଂକ୍ରାମକ ରୋଗୀମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସାସେବା ଯୋଗାଇ ଦିଆଯାଉଛି ।
ଦେଶର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଯେଭଳି ଉଚ୍ଚ ରକ୍ତଚାପ ଓ ମଧୁମେହ ପାଇଁ ଜରୁରୀ ଔଷଧ ମହଜୁଦ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥି ସହିତ ଚିକିତ୍ସା ପାଇଁ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକଲ (ଏସଟିପି) ଧାର୍ଯ୍ୟ କରାଯାଇଛି । ଏନ୍ସିଡି ପୋର୍ଟାଲରେ ଅଣ ସଂକ୍ରାମକ ରୋଗୀ ଓ ସେମାନଙ୍କ ଯୋଗାଇ ଦିଆଯାଉଥିବା ଔଷଧର ମନିଟରିଂ କରାଯାଉଛି ।
ଲୋକମାନଙ୍କର ବଦଳୁଥବା ଜୀବନଶୈଳୀ ପାଇଁ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଅଧିକ ସଂଖ୍ୟାରେ ଦେଖାଯାଉଥିବାରୁ ଏଥିପାଇଁ ଜିଲ୍ଲା ସ୍ତରରେ ଥିବା ଏନ୍ସିଡି କ୍ଲିନିକ୍ରେ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଉଛି । ଏ ନେଇ ଲୋକଙ୍କୁ ସଚେତନତା ପାଇଁ ଯୋଜନା ହେଉଥିବାବେଳେ ମେଡିକାଲ ଅଫିସର ଓ ଷ୍ଟାଫନର୍ସମାନେ ଅଣସଂକ୍ରାମକ ରୋଗୀଙ୍କୁ ଚିକିତ୍ସାପାଇଁ ଆସିବା ସମୟରେ ସେମାନଙ୍କୁ ଜୀବନଶୈଳୀ ବାବଦରେ ବୁଝାଇବେ ।
ଆଶାକର୍ମୀମାନେ ଘରକୁ ଘର ବୁଲି ୩୦ବର୍ଷ ବୟସର ଅଧିକ ଲୋକଙ୍କର ତାଲିକା ପ୍ରସ୍ତୁତ କରିବେ । ନିର୍ଦ୍ଧାରିତ ଫର୍ମରେ ସେମାନଙ୍କୁ ମଧୁମେହ ଓ ଉଚ୍ଚ ରକ୍ତଚାପ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିବେ । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜରିଆରେ ଲୋକେ କିଭଳି ଆଗୁଆ ଭାବେ ଏହିସବୁ ରୋଗକୁ ଚିହ୍ନଟ କରିପାରିବେ ସେ ସଂକ୍ରାନ୍ତରେ ଆଶାକର୍ମୀମାନେ ଲୋକଙ୍କୁ ବୁଝାଇବେ । ରୋଗୀମାନଙ୍କୁ ଖାଦ୍ୟ, ଜୀବନଚର୍ଯ୍ୟା, ସେମାନେ କିଭଳି ନିଶାଠାରୁ ଦୂରେଇ ରହିବେ ସେ ସଂକ୍ରାନ୍ତରେ ପରାମର୍ଶ ଦେବାପାଇଁ ସ୍ୱାସ୍ଥ୍ୟ ଅଧିକାରୀ, ଏଏନ୍ଏମ୍, ଆଶାକର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯିବ । (ତଥ୍ୟ)