Home General ମଧୁବାବୁଙ୍କ ବି ଛାଡି ନାହାନ୍ତି ଜବରଦଖଲକାରୀ

ମଧୁବାବୁଙ୍କ ବି ଛାଡି ନାହାନ୍ତି ଜବରଦଖଲକାରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଠାରୁ ଆରମ୍ଭକରି ବହୁ ଧର୍ମାନୁଷ୍ଠାନରେ ହଜାର ହଜାର ଏକର ଜମି ଜବରଦଖଲକାରୀମାନେ କବଜା କରି ରଖିବାଭଳି ଉତ୍କଳ ଗୌରବ ମଦୁସୂଦନ ଦାସଙ୍କ ଠାରୁ ଓଡିଆ ବର୍ଣ୍ଣବୋଧର ସ୍ରଷ୍ଟା ମଧୁସୂଦନ ରାଓଙ୍କ ପର୍ଯ୍ୟନ୍ତ ଅନେକ ବରପୁତ୍ରଙ୍କ ଭୂସମ୍ପତ୍ତି ମଧ୍ୟ ଆମ ରାଜ୍ୟରେ ହଡପ ହେବାର ନଜିର ରହିଛି ।

ମଧୁସୂଦନ ରାଓଙ୍କର ଏକର ଏକର ଭୂସମ୍ପତ୍ତି ଜାଲିଆତି କରି ଲୁଟିନେବା ପରେ ତାଙ୍କ ଉତ୍ତରଦାୟଦମାନେ ଏ ପ୍ରସଙ୍ଗରେ ଆଇନ୍‍ ଅଦାଲତରେ ଲଢେଇକରି ହାଲିଆ ହୋଇ ପଡିବାର ଉଦାହରଣ ରହିଛି । ସେହଭଳି ଉତ୍କଳଗୌରବ ମଧୁସୂଦନଙ୍କର ପୈତୃକ ଭୂସମ୍ପତ୍ତିରୁ ଅନେକ ଏବେ କେବଳ ଜବରଦଖଲକାରୀଙ୍କ କବ୍‍ଜାରେ ନୁହେଁ, ଏହାର ରେକର୍ଡପତ୍ର ମଧ୍ୟ ବଦଳି ସାରିଛି ।

ଗୋଟିଏ ସମୟରେ ମଧୁବାବୁଙ୍କ ପୈତୃକ ଗୃହକୁ ବିକ୍ରିକରି ଦେବାପାଇଁ ପ୍ରସ୍ତାବ ଥିଲା । ସେତେବେଳେ ମଧୁବାବୁଙ୍କ ଝିଆରି ମା’ରମାଦେବୀଙ୍କ ଉଦ୍ୟମ କ୍ରମେ ଲୋକସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ମାଭଲଙ୍କରଙ୍କ ହସ୍ତକ୍ଷେପ ଫଳରେ ତାହା ରକ୍ଷା ପାଇଯାଇଥିଲା । ଏହି ଅର୍ଥରେ କିଣାଯାଇଥିବା ମଧୁବାବୁଙ୍କ ପୈତୃକ ଗୃହକୁ ରମାଦେବୀ ଚାହିଁଥିଲେ ତାଙ୍କ ନିଜ ନାମରେ ବି ରେକର୍ଡ କରପାରିଥାନ୍ତେ । କିନ୍ତୁ ମହାତ୍ମାଗାନ୍ଧୀଙ୍କ ଅନ୍ୟତମ ପଟ୍ଟଶିଷ୍ୟ ମା’ ରମାଦେବୀ ଏହି ସମ୍ପତ୍ତିକୁ ଅର୍ଥଦାନ କରିଥିବା ରାଷ୍ଟ୍ରୀୟ ଗାନ୍ଧୀ ସ୍ମାରକନିଧି ନାମରେ କିଣାଇଥିଲେ ।

ପୂର୍ବରୁ ଗଢାଯାଇଥିବା କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକନିଧିର ଅନ୍ୟତମ ପ୍ରତିନିଧିଭାବେ ରମାଦେବୀଙ୍କୁ ନିଜେ ମହାତ୍ମାଗାନ୍ଧୀ ମନୋନିତ କରିଥିଲେ । ତାଙ୍କ ଉଦ୍ୟମରେ ବରୀର ରାମଚନ୍ଦ୍ରପୁରରେ କସ୍ତୁରବା ଗାନ୍ଧୀ ନିଧିର ପ୍ରାଦେଶକିକ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ମଧୁବାବୁଙ୍କ ପୈତୃକ ଗୃହର ସୁରକ୍ଷା କରିବାପରେ ମା’ ରମାଦେବୀଙ୍କ ଉଦ୍ୟମ କ୍ରମେ କସ୍ତୁରବାନିଧି ପ୍ରାଦେଶିକ ପ୍ରାଣକେନ୍ଦ୍ର ସତ୍ୟଭାମାପୁର ସ୍ଥିତ ଏହି ସୌଧକୁ ସ୍ଥାନାନ୍ତରିତ ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ୧୯୩୪ ମଇ ମାସରେ ପଦଯାତ୍ରାବେଳେ ଗାନ୍ଧୀଜୀ ମଧୁବାବୁଙ୍କ ପୈତୃକ ଗୃହର ଛାତ ଉପରେ ରାତ୍ରୀଯାଜପନ କରିଥିଲେ ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ରମାଦେବୀଙ୍କ ଉଦ୍ୟମରେ କସ୍ତୁରବାନିଧିର ଅନେକ ସେବାକେନ୍ଦ୍ର ଖୋଲିଥିଲା । ବରୀ, ସତ୍ୟଭାମାପୁର, ଖମ୍ବସି ଆଦିରେ ଏବେ ବି ଏସବୁ କାମ କରୁଛନ୍ତି । କସ୍ତୁରବାନିଧିର କାର୍ଯ୍ୟକ୍ରମ ପାଇଁ ସତ୍ୟଭାମାପୁରରେ ରମାଦେବୀଙ୍କ ଉଦ୍ୟମ କ୍ରମେ ସରକାରଙ୍କ ଠାରୁ କିଛି ଜମି ୯୯ବର୍ଷିଆ ଲିଜ୍‍ ସୂତ୍ରରେ ଦିଆଯାଇଥିଲା । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଚଞ୍ଚକତା କରି ଏହି ଲିଜ୍‍ ଜମିର କିସମ ବଦଳାଇଥିବାରୁ ଏ ପ୍ରସଙ୍ଗରେ ଏବେ ଅଦାଲତି ଲଢେଇ ଚାଲିଛି ।

କସ୍ତୁରବାନିଧିର କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ ସ୍ମୃତିରକ୍ଷା ପାଇଁ ଏହି ସଂସ୍ଥା କାମକରି ଆସୁଛି । ପୁରୁଣାକାଳିଆ କୋଠାଘରର ସଂରକ୍ଷଣ ସହିତ ମଧୁବାବୁ ଜନ୍ମ ନେଇଥିବା ଚାଳଛପର ଏନ୍ତୁଡିଶାଳ ଗୃହକୁ ବି ସଂରକ୍ଷିତ କରି ରଖାଯାଇଛି । ଏହାର ପରିସର ମଧ୍ୟରେ ଥିବା ରସକୁଣ୍ଡ ପୁଷ୍କରିଣୀର ତଦାରଖ ସହିତ ଏଠି ମଧୁବାବୁଙ୍କର ଏକ ପୂର୍ଣ୍ଣାବୟବ ପ୍ରତିକୃତ୍ତି ମଧ୍ୟ ରହିଛି । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏଠାରେ ଏକ କୋଠାଘର ନିର୍ମାଣ କରିଥିଲେ ବି ସେଠାରେ ଏଯାବତ୍‍ ସରକାର ସଂଗ୍ରହାଳୟ ସ୍ଥାପନ କରିନାହାନ୍ତି । ଏହି ଘରଟିକୁ ଦଖଲକୁ ନେବା ସହିତ ମଧୁବାବୁଙ୍କ ପୈତୃକ ଘର ଉପରେ ଏବେ ବି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି ରହିଥିବାବେଳେ ଓଡିଆ ଜାତୀୟତାର ଏଡି ସ୍ମୃତିପୀଠକୁ ସଂରକ୍ଷିତ ଓ ବିକଶିତ କରିବା ଦିଗରେ କସ୍ତୁରବାନିଧି ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡାଯାଉଛି । (ତଥ୍ୟ)