Home Excise ମଦ ଯୋଗାଣ ୨୮ କୋଟି ଲିଟର

ମଦ ଯୋଗାଣ ୨୮ କୋଟି ଲିଟର

ଭୁବନେଶ୍ୱର : ଓଡିଶାରେ ଏବେ ୪ହଜାରରୁ ଅଧିକ ସରକାରୀ ଲାଇସେନ୍ସପ୍ରାପ୍ତ ମଦଦୋକାନ ରହିଛି । ଏଗୁଡିକ ମାଧ୍ୟମରେ ୨୮କୋଟି ଲିଟରରୁ ଅଧିକ ବିଶୁଦ୍ଧ ମଦ ମଦୁଆମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷାପାଇଁ ଯୋଗାଯାଉଛି । ଏହାବାଦ୍‍ କେତେ ପରିମାଣର ଚୋରା ମଦ କାରବାର ହେଉଛି ତାହାର ସଠିକ୍‍ ହିସାବ କାହା ପାଖରେ ନାହିଁ ।

ଓଡିଶା ସରକାରଙ୍କ ରାଜସ୍ୱ ପାଇଁ ମଦ ବେପାର ଏକ ପ୍ରମୁଖ ଉତ୍ସ ହୋଇଛି । ୨୦୦୦ ମସିହା ବେଳକୁ ଓଡିଶାରେ ବାର୍ଷିକ ଅବକାରୀ ରାଜସ୍ୱ ପରିମାଣ ୧୪୦ କୋଟି ଟଙ୍କାରୁ କମ୍‍ ଥିବାବେଳେ ୨୪ବର୍ଷ ଭିତରେ ତାହା ବଢି ବଢି ୨୦୨୩-୨୪ ଆର୍ଥିକ ବର୍ଷରେ ୭୨୧୭ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଚଳିତ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ ପରିମାଣ ୮୫୦୦ କୋଟି ଟଙ୍କାରୁ ଅଧିକ ହେବବୋଲି ଲକ୍ଷ୍ୟ ରଖାଯାଇଥିବାବେଳେ ଓଡିଶାର ୩୦ଟି ଯାକ ଜିଲ୍ଲାରେ ଚାଲିଥିବା କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନ କେତେଦୂର ସଫଳ ହେବ ତାହା ଉପରେ ଓଡିଶା ମଦମୁକ୍ତି ଅଭିଯାନ ପ୍ରଶ୍ନ ଉଠାଇଛି ।

ଓଡିଶା ବିଧାନସଭାରେ ଉପସ୍ଥାପିତ ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସ୍ୱୀକାର କରାଯାଇଛି ଯେ ଭାରତ ତିଆରି ବିଦେଶୀ ମଦ ଓ ବିୟର ଉପରେ ରାଜ୍ୟ ସରକାର ଯେଉଁ ଟିକସ ବସାଉଛନ୍ତି ତାହା ହେଉଛି ଅବକାରୀ ରାଜସ୍ୱର ପ୍ରମୁଖ ଅଂଶ । ଓଡିଶାରେ ଏବେ ୧୧୬୩ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ, ୭୧୯ଟି ଠିପି ଖୋଲା ମଦ ଦୋକାନ, ୧୯ଟି କ୍ଲବ, ୪୬ଟି ବିୟର ପାର୍ଲର, ୧୫ଟି ପ୍ରିମିୟମ ଠିପି ବନ୍ଦ ଦୋକାନ ଏବଂ ୩୫ଟି ମିଲିଟାରୀ କ୍ୟାଣ୍ଟିନ ମାଧ୍ୟମରେ ବିଦେଶୀ ମଦ ଓ ବିୟର ଯୋଗାଯାଉଛି ।

ଏହି ଦୋକାନଗୁଡିକରୁ ପ୍ରତି ମାସରେ ‘କନସିଡିରେସନ ମନି’ ଆଦାୟ କରାଯାଉଛି । ଭାରତ ତିଆରି ବିଦେଶୀ ମଦ ଓ ବିୟର କେଉଁ ଦୋକାନୀ ସର୍ବନିମ୍ନ କେତେ ପରିମାଣରେ ଉଠାଇବେ ସେଥିଘେନି ରାଜ୍ୟ ସରକାର ଏମଜିକ୍ୟୁ ନିର୍ଦ୍ଧାରଣ କରିବା ଫଳରେ ଅବକାରୀ ରାଜସ୍ୱ ଆଦାୟ ସୁନିଶ୍ଚିତ ହୋଇପାରୁଛି ।

ରାଜ୍ୟର ୨୨ଟି ଅବକାରୀ ଜିଲ୍ଲାରେ ୫୫୧ଟି ମହୁଲି ମଦ ଦୋକାନ ଓ ତାହାର ୧୨୭୪ଟି ଶାଖା ଦୋକାନ ମାଧ୍ୟମରେ ମହୁଲି ମଦ ମଦୁଆଙ୍କ ନିକଟରେ ପହଞ୍ଚାଯାଉଛି । ଏହାଛଡା ଆଉ ୧୦ଟି ଜିଲ୍ଲାରେ ୨୪୨ଟି ମଦଦୋକାନ ମାଧ୍ୟମରେ ଦେଶୀ ମଦ ମଧ୍ୟ ଯୋଗାଯାଉଛି । ଏସବୁ ଦୋକାନଗୁଡିକ ପାଇଁ ସରକାର ଲାଇସେନ୍ସ ଦେଇଛନ୍ତି ଏବଂ ଲାଇସେନ୍ସ ଫି ରୁ ମଧ୍ୟ ଭଲ ପଇସା ରୋଜଗାର କରୁଛନ୍ତି ।

ଷ୍ଟାଣ୍ଡିଂ କମିଟି ରିପୋର୍ଟର ବିବରଣୀ ମୁତାବକ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ଭାରତ ତିଆରି ବିଦେଶୀ ମଦ ଓ ବିୟର ଉଠାଣ ପରିମାଣ ପାଖାପାଖି ୨ଗୁଣ ବଢିଛି । ୨୦୧୪-୧୫ରେ ବିକ୍ରୟ ପାଇଁ ୪୫୧.୩୧ ଲକ୍ଷ ଭାରତ ତିଆରି ବିଦେଶୀ ମଦ, ଏବଂ ୭୮୯ଲକ୍ଷ ୭୪ହଜାର ଲିଟର ବିୟର ଉଠାଣ କରାଯାଇଥିବାବେଳେ ୨୦୨୩-୨୪ ବର୍ଷରେ ଏହାର ପରିମାଣ ଯଥାକ୍ରମେ ୭୯୩ଲକ୍ଷ ୩୦ହଜାର ବିୟର ଲିଟର ଓ ୧୫୩୫ ଲକ୍ଷ ୭୨ହଜାର ଲିଟର ଭାରତ ତିଆରି ବିଦେଶୀ ମଦ ଉଠାଣ ହୋଇଥିଲା । ଏହି ବର୍ଷଗୁଡିକ ମଧ୍ୟରେ ଦେଶୀ ମଦର ଉଠାଣ ପରିମାଣ ୯୯.୨୩ଲକ୍ଷ ବିୟର ଲିଟରରୁ ବଢି ୨୦୨୩-୨୪ ବର୍ଷରେ ୧୬୫ଲକ୍ଷ ୩୦ହଜାର ବିୟର ଲିଟରରେ ପହଞ୍ଚିଥିଲା । ମହୁଲି ମଦକୁ ହିସାବକୁ ନେଲେ ସରକାରୀ ଲାଇସେନ୍ସପ୍ରାପ୍ତ ସଂସ୍ଥାମାନଙ୍କ ମାଧ୍ୟମରେ ବିତରଣ କରାଯାଉଥିବା ମଦର ପରିମାଣ ୨୮ କୋଟି ଲିଟରରୁ ଅଧିକ ହେବ ବୋଲି ବେସରକାରୀ ଭାବେ ଆଶଙ୍କା କରାଯାଉଛି । (ତଥ୍ୟ)