ଭୁବନେଶ୍ୱର : ବରଗଡ ଜିଲ୍ଲାବାସୀ ସବୁଠାରୁ ଅଧିକ ମଦ ପିଉଛନ୍ତି । ଏହି ଜିଲ୍ଲାରୁ ଗୋଟିଏ ବର୍ଷରେ ପ୍ରାୟ ୧୨୫ କୋଟି ଟଙ୍କାର ମଦ ରାଜସ୍ୱ ମିଳିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲା ଥିଲେ ସେଠାକାର ଅବକାରୀ ରାଜସ୍ୱ ତିନି ଅଙ୍କରେ ପହଞ୍ଚି ପାରିନାହିଁ ।
ରାଜ୍ୟରେ ମଦ କାରବାର ସଂକ୍ରାନ୍ତରେ କଂଗ୍ରେସ ବିଧାୟକା ସୋଫିଆ ଫର୍ଦ୍ଦୋସ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ବିଭିନ୍ନ ଜିଲ୍ଲାରେ ମଦ ବିକ୍ରି ସଂକ୍ରାନ୍ତରେ ମନ୍ତ୍ରୀ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ସେହି ତାଲିକାରେ ବରଗଡ ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି । ଏହି ଜିଲ୍ଲାରେ ମଦ କାରବାରରୁ ୧୨୪କୋଟି ୯୯ ଲକ୍ଷ ଟଙ୍କାର ଟିକସ ମିଳିଛି । ଫଳରେ ଏହି ଜିଲ୍ଲାର ଲୋକେ ସର୍ବାଧିକ ମଦ ପିଇଥିବା ସ୍ପଷ୍ଟ ହୋଇଛି ।
ଦ୍ୱିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାରେ ମଦ କାରବାରରୁ ୯୬କୋଟି ୧୦ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇଥିବାବେଳେ ସମ୍ବଲପୁରରୁ ୮୮କୋଟି ୨୪ଲକ୍ଷ, ବ୍ରହ୍ମପୁର ଅବକାରୀ ଜିଲ୍ଲାରୁ ୭୭କୋଟି ୬୭ଲକ୍ଷ, ବଲାଙ୍ଗିରରୁ ୭୨କୋଟିି ୪୨ଲକ୍ଷ, କଳାହାଣ୍ଡିରୁ ୭୧କୋଟି ୬୯ଲକ୍ଷ, ଝାରସୁଗୁଡାରୁ ୬୯ କୋଟି ୧୫ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇପାରିଛି ।
ସବୁଠାରୁ କମ୍ ମଦ ଟିକସ ମିଳିଛି କନ୍ଧମାଳ ଜିଲ୍ଲାରୁ । ଏହି ଜିଲ୍ଲାରୁ ୩କୋଟି ୫୬ଲକ୍ଷ ଟଙ୍କାର ମଦ ଟିକସ ବାବଦରେ ଆଦାୟ ହୋଇଥିବାବେଳେ ମାଲକାନଗିରିରୁ ପ୍ରାୟ ୫କୋଟି, ନୟାଗଡରୁ ୮.୨୯କୋଟି ଓ ଭଦ୍ରକରୁ ୯.୮୯ କୋଟି ଟଙ୍କାର ରାଜସ୍ୱ ମିଳିଛି । ରାଜ୍ୟ ରାଜଧାନୀ ଥିବା ଭୁବନେଶ୍ୱର ଅବକାରୀ ଜିଲ୍ଲାରୁ ୪୮.୨୯କୋଟି ଟଙ୍କାର ମଦ ଟିକସ ମିଳିଛି ।
ବିଭିନ୍ନ ଜିଲ୍ଲାରୁ ଆଦାୟ ହୋଇଥିବା ମଦ ଟିକସ ମଧ୍ୟରେ ଉଭୟ ବିଦେଶୀ ମଦ ଦୋକାନ ସହିତ ଲାଇସେନ୍ସପ୍ରାପ୍ତ ଦେଶୀ ଓ ମହୁଲି ମଦ ଦୋକାନରୁ ଆଦାୟ ଅର୍ଥ ରହିଛି । ତେବେ ସବୁଠାରୁ ଅଧିକ ଟିକସ ଦେଇଛି ଓଡିଶା ମଦ ନିଗମ । ୨୦୨୩-୨୪ ବର୍ଷରେ ମିଳିଥିବା ମୋଟ୍ ୭୨୧୬.୯୯ କୋଟି ଟଙ୍କାର ମଦ ରାଜସ୍ୱ ମଧ୍ୟରୁ କେବେଳ ମଦ ନିଗମ ଦେଇଛି ୫୯୨୭କୋଟି ୫୯ଲକ୍ଷ ଟଙ୍କା ।
ମନ୍ତ୍ରୀ ରଖିଥିବା ଉତ୍ତରରୁ ଜଣାଯାଇଛି ଯେ ରାଜ୍ୟର ପଶ୍ଚିମଓଡିଶାରେ ଅଧିକ ପରିମାଣରେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରି ହେଉଥିବାବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହା ଢେର କମ୍ ରହିଛି । ଉପକୂଳ ଅଞ୍ଚଳର ଅବକାରୀ ଜିଲ୍ଲାଗୁଡିକରୁ ମଧ୍ୟମ ଧରଣର ଟିକସ ଆଦାୟ ହେଉଛି । (ତଥ୍ୟ)