ଭୁବନେଶ୍ୱର: ଓଡ଼ିଶା ସରକାର ତାଙ୍କ ଅବକାରୀ ନୀତିରେ ପୁରୀ ପୌରାଞ୍ଚଳ ଛଡ଼ା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସମୁଦ୍ର, ନଦୀ, ହ୍ରଦ, ଜଳଭଣ୍ଡାର ଆଦି କୂଳରେ ମଦ କୁଡ଼ିଆ ଖୋଲିବା ପାଇଁ ପୁଣିଥରେ ଘୋଷଣା କରିବା ପରିପ୍ରେକ୍ଷୀରେ ଏହି ବେପାର ପାଇଁ ବହୁ ଲୋକ ଚାତକ ଭଳି ଅନାଇ ବସିଛନ୍ତି । ତେବେ ଏ କ୍ଷେତ୍ରରେ ପର୍ଯ୍ୟଟନ ବିଭାଗ ତାହାର ମତ ସ୍ପଷ୍ଟ କରୁନଥିବାରୁ ମଦ କୁଡ଼ିଆ କେଉଁଠି କେବେ ଖୋଲିବ ସେଥିଘେନି ସଂଶୟ ଉପୁଜୁଛି । ଅନ୍ୟପକ୍ଷରେ ଦଳମତ ନିର୍ବିଶେଷରେ ବିଭିନ୍ନ ସ୍ଥାନରୁ ସାଧାରଣ ଲୋକେ ବିଶେଷକରି ମହିଳାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ବିଜେଡି ସରକାର ସମୟରେ ମଦ କୁଡ଼ିଆ ସ୍ଥାପନ ପାଇଁ ଘୋଷଣା ହୋଇଥିଲା । ସେତେବେଳେ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ଏହାର ଖୋଲା ବିରୋଧ କରିଥିଲେ । ଏହାଛଡ଼ା ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଦ କୁଡ଼୍ରିଆ ବିରୋଧରେ ଜନମତ ପ୍ରକାଶ ପାଇଥିଲା । ଏଭଳି ସ୍ଥିତିରେ ଗତ ସରକାର ସମୟରେ ମଦ କୁଡ଼ିଆ ଖୋଲିବା ଯୋଜନା ବନ୍ଦ ହୋଇଯାଇଥିଲା । ଗତ ବର୍ଷ ବର୍ତ୍ତମାନର ସରକାର ସମୁଦ୍ର କୂଳରେ ମଦ କୁଡ଼ିଆ ଖୋଲିବା ପାଇଁ ନୀତିଗତ ଭାବେ ଘୋଷଣା କରିବା ପରେ ଏହା ବିରୋଧରେ ଜନମତ ପ୍ରକାଶ ପାଇବାରୁ ତାହା ମଧ୍ୟ ପ୍ରତ୍ୟାହୃତ ହୋଇଥିଲା ।
ତେବେ ରାଜ୍ୟ ସରକାରଙ୍କ ନୂଆ ମଦ ନୀତିରେ ସମୁଦ୍ର, ନଦୀ, ଜଳଭଣ୍ଡାର ଆଦି ନିକଟରେ ମଦ କୁଡ଼ିଆ ସ୍ଥାପନ ପାଇଁ ଯେଉଁ ଘୋଷଣା ରହିଛି ସେଥିରୁ ପୁରୀ ପୌରାଞ୍ଚଳକୁ ବାଦ୍ ଦିଆଯାଇଛି । ଫଳରେ ପୁରୀ ବେଳାଭୂମିରେ ମଦ କୁଡ଼ିଆ ହେବନାହିଁ । ସରକାରଙ୍କ ନୀତି ଅନୁଯାୟୀ ଅନ୍ୟ ମଦ ଦୋକାନ ଲାଇସେନ୍ସ ଭଳି ମଦ କୁଡ଼ିଆ ଲାଇସେନ୍ସ ବ୍ୟକ୍ତି ବିଶେଷଙ୍କୁ ଦିଆଯିବ ନାହିଁ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସ୍ଥିର କରିବ ବଙ୍ଗୋପସାଗର ଓ ରାଜ୍ୟର ଅନ୍ୟ ନଦୀ ଓ ଜଳଭଣ୍ଡାରଗୁଡ଼ିକ ନିକଟରେ ପୁରୀ ଛଡ଼ା ଆଉ କେଉଁକେଉଁ ସ୍ଥାନରେ ମଦ କୁଡ଼ିଆ ହେବ ବୋଲି ।
ପର୍ଯ୍ୟଟନ ବିଭାଗ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ହିଁ ନିର୍ଦ୍ଧାରିତ ସ୍ଥାନରେ ମଦ କୁଡ଼ିଆ ଖୋଲିବ । ତେବେ ପର୍ଯ୍ୟଟନ ନିଗମ ସିଧାସଳଖ ଭାବେ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ମାଧ୍ୟମରେ ଏହା ଚଳାଇବ । ମଦ କୁଡ଼ିଆଗୁଡ଼ିକର ପରିଚାଳନା, ପରିଚ୍ଛନ୍ନତା ଆଦି ପାଇଁ ପର୍ଯ୍ୟଟନ ନିଗମ ଉତ୍ତରଦାୟୀ ରହିବ । କୌଣସି ବ୍ୟକ୍ତି ବିଶେଷ ଏଥିଲାଗି ମଦ ସଂଗ୍ରହ କରିପାରିବେ ନାହିଁ । ରାଜ୍ୟ ପାନୀୟ ନିଗମଠାରୁ ଏହି ମଦ କୁଡ଼ିଆ ପାଇଁ ପର୍ଯ୍ୟଟନ ନିଗମ ମଦ ଆଣି ସେମାନଙ୍କୁ ଯୋଗାଇବ ।
ତେବେ ଏହି ମଦ କୁଡ଼ିଆ ପାଇଁ ଅବକାରୀ ନୀତିରେ ଲାଇସେନ୍ସ ଫି’ କମ୍ ରଖାଯାଇଛି । ବାର୍ଷିକ ମାତ୍ର ୭୫ ହଜାର ଟଙ୍କା ଲାଇସେନ୍ସ ଫି’ରେ ଗୋଟିଏ ଗୋଟିଏ ମଦ କୁଡ଼ିଆ ବା ବିଚ୍ ସ୍ୟାକ୍ ଚାଲିପାରିବ । ଏଯାବତ୍ ପର୍ଯ୍ୟଟନ ବିଭାଗ ମଦ କୁଡ଼ିଆ ପାଇଁ ସ୍ଥାନ ଚିହ୍ନିତ କରିନଥିଲେ ମଧ୍ୟ ଚିଲିକା ଓ ଅଂଶୁପା ହ୍ରଦ ସମେତ ବଙ୍ଗୋପସାଗରର ପୁରୀ ପୌରାଞ୍ଚଳ ବ୍ୟତୀତ ଅନ୍ୟ ବହୁ ସ୍ଥାନରେ ସମୁଦ୍ର କୂଳରେ ମଦ କୁଡ଼ିଆ ବସାଇବାକୁ ଅନେକ ବ୍ୟକ୍ତି ଆଗ୍ରହ ପ୍ରକାଶ କରୁଛନ୍ତି । କେବଳ ସେତିକି ନୁହେଁ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବାଂଶଧାରା ସମେତ ବିଭିନ୍ନ ନଦୀର ଦର୍ଶନୀୟ ସ୍ଥାନଗୁଡ଼ିକ ନିକଟରେ ଏବଂ ଅନ୍ୟ ଜଳ ପ୍ରପାତ ଓ ଜଳ ଭଣ୍ଡାର ପାଖରେ ମଦ କୁଡ଼ିଆ ବେପାର ପାଇଁ ବି କିଛି ବ୍ୟକ୍ତି ଲାଳାୟିତ ଥିବା କୁହାଯାଉଛି । ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଯାବତ୍ ସ୍ଥାନ ଚିହ୍ନଟ କରାଯାଇନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବାରୁ ବିଭାଗ ଅଧିକାରୀମାନେ ପାଟି ଖୋଲିବାକୁ ନାରାଜ । (ତଥ୍ୟ)

