Home Excise ମଦ କାରବାର ବଢାଉଛି ପାନୀୟ ନିଗମ

ମଦ କାରବାର ବଢାଉଛି ପାନୀୟ ନିଗମ

ଭୁବନେଶ୍ୱର : ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କ ପାଇଁ ଆବଶ୍ୟକ ପରିମାଣର ଦୁଗ୍ଧ ମିଳୁନଥିବାବେଳେ ମଦୁଆମାନଙ୍କ ଚାହିଦା ପୂରଣ ସହ ନିଜର ବେପାର ବଢାଇବାପାଇଁ ଓଡିଶା ସରକାରଙ୍କ ପାନୀୟ ନିଗମ କିନ୍ତୁ ମଦ କାରବାର ବଢାଇ ଚାଲିଛି । ଏଥିଯୋଗୁଁ ନିଗମ ଢେର ଲାଭ କରୁଥିବାବେଳେ ଓଡିଶାର ଅବକାରୀ ରାଜସ୍ୱ ବି ୧୦ବର୍ଷ ଭିତରେ ତିନିଗୁଣରୁ ଅଧିକ ବଢିଛି ।

୨୦୧୪-୧୫ ବର୍ଷ ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ପ୍ରାୟ ୨୦୩୯ କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ତାହା ପ୍ରାୟ ୭୨୧୭ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଚଳିତ ଆର୍ଥିକ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ପ୍ରାୟ ୮୫୦୦ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଥିବାବେଳେ ଏବର୍ଷ ମଦ ବ୍ୟବହାର ପୂର୍ବବର୍ଷ ତୁଳନାରେ ବଢିପାରେ ।

ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ପାନୀୟ ନିଗମ ଏକ ଲାଭକାରୀ ସଂସ୍ଥାରେ ପରିଣତ ହୋଇଛି । ଏହି ନିଗମ ରାଜ୍ୟ ସରକାରଙ୍କୁ ଦେଉଥିବା ଅବକାରୀ ଶୁଳ୍କ ଏବଂ ପ୍ରବେଶ କର ସମେତ ଭାଟ୍‍ର ପରିମାଣ ଗତ ୧୦ବର୍ଷ ମଧ୍ୟରେ ପାଖାପାଖି ୪ଗୁଣା ବଢିଛି । ୨୦୧୪-୧୫ ବର୍ଷରେ ରାଜ୍ୟ ସରକାର ୧୪୦୪.୫୦ କୋଟି ଟଙ୍କାର ଅବକାରୀ ଶୁଳ୍କ ପାଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୫୯୨୮.୫୮ କୋଟି ଟଙ୍କାରେ ପହଞ୍ଚିଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

କେବଳ ସେତିକି ନୁହେଁ, ବିକ୍ରିକର/ଭାଟ୍‍ ଆକାରରେ ଅବକାରୀ ସାମଗ୍ରୀରୁ ରାଜ୍ୟ ସରକାର ୨୦୧୪-୧୫ ବର୍ଷରେ ୬୭୦.୯୪ କୋଟି ଟଙ୍କା ପାଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୨୮୮୫.୬୬ କୋଟି ଟଙ୍କାରେ ପହଞ୍ଚିଛି । ମୋଟମୋଟି ଭାବେ ଅବକାରୀ ଶୁଳ୍କ ଓ ଭାଟ୍‍ରୁ ପାନୀୟ ନିଗମ ଯୋଗୁଁ ରାଜ୍ୟ ସରକାର ୨୦୧୪-୧୫ ବର୍ଷରେ ୨୦୭୫.୪୪ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ୨୦୨୩-୨୪ ବର୍ଷରେ ଏହାର ପରିମାଣ ୮୮୧୪.୨୪ କୋଟି ଟଙ୍କାରେ ପହଞ୍ଚିଛି ।

ତେବେ ପାନୀୟ ନିଗମ ୨୦୧୪-୧୫ ବର୍ଷରେ ଓଡିଶା ସରକାରଙ୍କୁ ଲାଇସେନ୍ସ ଫି ବାବଦରେ ୧୫୧.୯୦ କୋଟି ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ବର୍ଷମାନଙ୍କରେ ଏହି ପରିମାଣ ଢେର କମ୍‍ ରହିଛି । ଗତବର୍ଷ ଏ ବାବଦରେ ରାଜ୍ୟ ସରକାର ମାତ୍ର ୬.୪୧ କୋଟି ଟଙ୍କା ପାଇଛନ୍ତି ।

ବିଧାନସଭାରେ ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ରିପୋର୍ଟର ତଥ୍ୟ ମୁତାବକ ୨୦୧୪-୧୫ ବର୍ଷରେ ପାନୀୟ ନିଗମର ଟର୍ଣ୍ଣଓଭର ୩୫୩୨.୩୫ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ ବର୍ଷ ବେଳକୁ ଏହା ବଢି ବଢି ୮୫୯୫.୬୫ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୪-୧୫ ବର୍ଷରେ ଓଡିଶା ରାଜ୍ୟ ପାନୀୟ ନିଗମ ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବାବେଳେ ଏବେ କିନ୍ତୁ ତାହା କମ୍‍ ରହୁଛି । ୨୦୨୨-୨୩ ବର୍ଷରେ ମଦ ନିଗମରୁ ଓଡିଶା ସରକାର ୯.୪୧ କୋଟି ଟଙ୍କା ଲାଭାଂଶ ପାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦୧୪-୧୫ ବର୍ଷରେ ଏହି ନିଗମ ୨୫କୋଟି ଟଙ୍କା ଦାନ ଦେଇଥିବାବେଳେ ଗତବର୍ଷ ଏହାର ପରିମାଣ ୧୦କୋଟି ଟଙ୍କା ଥିଲା ।

ରାଜ୍ୟର ଅବକାରୀ ରାଜସ୍ୱ ଏବର୍ଷ ୮ହଜାର କୋଟି ଟଙ୍କାକୁ ଟପିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଓଡିଶାରେ ଏକଚାଟିଆ ମଦ ଯୋଗାଣ କରୁଥିବା ରାଜ୍ୟ ପାନୀୟ ନିଗମ ନିଶା ନିବାରଣ ଓ ଅନ୍ୟାନ୍ୟ ସମାଜ କଲ୍ୟାଣ କାର୍ଯ୍ୟପାଇଁ କିନ୍ତୁ ତାହାର ସିଏସଆରରେ ଗତ ୭ବର୍ଷ ମଧ୍ୟରେ କେଉଁବର୍ଷ ବି କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିନାହିଁ । (ତଥ୍ୟ)