Home General ମଦ୍ୟପାନ ଜନିତ ଦୁର୍ଘଟଣା ୧.୬୩ ପ୍ରତିଶତ

ମଦ୍ୟପାନ ଜନିତ ଦୁର୍ଘଟଣା ୧.୬୩ ପ୍ରତିଶତ

ଭୁବନେଶ୍ୱର : ରାଜ୍ୟରେ ମଦ୍ୟପାନ ଯୋଗୁଁ ଯେତିକି ସଡକ ଦୁର୍ଘଟଣା ଘଟୁଛି ତାହା ମୋଟ ସଡକ ଦୁର୍ଘଟଣାର ୧.୬୩ ପ୍ରତିଶତ । ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ ୨୦୨୧ ମସିହାରେ ଜାତୀୟ ସ୍ତରରେ ହୋଇଥିବା ସଡକ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୨.୬୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ୧୬.୯୦ ପ୍ରତିଶତ ବଢିଥିଲା । ତେବେ ୨୦୨୧ ମସିହାରେ ଓଡିଶାରେ ଘଟିଥିବା ସଡକ ଦୁର୍ଘଟଣା ପୂର୍ବବର୍ଷ ତୁଳନାରେ ୧୧.୮୯ ପ୍ରତିଶତ ବଢିଥିବାବେଳେ ମୃତ୍ୟୁସଂଖ୍ୟା ୭.୦୪ ପ୍ରତିଶତ ବଢିଛି ଯାହା କି ଜାତୀୟ ସ୍ତର ଠାରୁ କମ୍‍ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ସଡକ ଦୁର୍ଘଟଣା ମୃତ୍ୟୁହାର କମାଇବାକୁ ଆଘାତପ୍ରାପ୍ତ ବ୍ୟକ୍ତିମାନଙ୍କୁ ତତ୍‍କ୍ଷଣାତ ସହାୟତା ଯୋଗାଇଦେବାପାଇଁ ଫାଷ୍ଟ ରେସପଣ୍ଡରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୩୮୯ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪୦୮ଜଣ ତାଲିମ ପାଇଥିବାବେଳେ ପୁରୀ ଜିଲ୍ଲାରୁ ୯୪୧ଜଣ, ବାଲେଶ୍ୱରରୁ ୬୫୨, କେନ୍ଦୁଝରରୁ ୫୪୩ କୋରାପୁଟରୁ ୪୪୩ ଓ ଅନୁଗୁଳୁର ୪୩୧ଜଣଙ୍କୁ ତାଲିମ ଦିଆଯାଇଛି । ସବୁଠାରୁ କମ୍‍ ମାତ୍ର ୨୯ଜଣ ଗଜପତି ଜିଲ୍ଲାରେ ତାଲିମ ନେଇଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ଏହି ସଂଖ୍ୟା ୭୪ ରହିଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟ କମିଟି ବିଭିନ୍ନ ରାଜ୍ୟର ସଡକ ଦୁର୍ଘଟଣାର ସମୀକ୍ଷା କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ସଡକ ଦୁର୍ଘଟଣା ରୋକିବାପାଇଁ ନିଆଯାଇଥିବା ପଦକ୍ଷେପଗୁଡିକର ଅଡିଟ୍‍ ଏହି କମିଟି କରାଇଥିଲେ । ଏହି ଅଡିଟ୍‍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପାଇଁ ସୁପ୍ରିମ୍‍କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ରାଜ୍ୟରେ ମଦ୍ୟପାନ ଜନିତ ସଡକ ଦୁର୍ଘଟଣା ମୋଟ ଦୁର୍ଘଟଣାର ୧.୬୩ ପ୍ରତିଶତ ହୋଇଥିବାବେଳେ ମଦୁଆ ଗାଡିଚାଳକଙ୍କୁ ଧରିବାପାଇଁ ଗାଡିର ବେଗ ଜାଣିପାଇଁ ରାଡାର ଓ ନିଶାଡି ଧରିବାପାଇଁ ବ୍ରେଥ ଆନାଲାଇଜର ଖଞ୍ଜା ଯାଇଥିବା ୩୭ଟି ଇଣ୍ଟରସେପ୍ଟର ଯାନ ରାଜପଥରେ ମୁତୟନ ହୋଇଛି । ସେହିଭଳି ମୋଟରଯାନ ଆଇନ୍‍ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଉଛି । ଆଗାମୀ ଦିନରେ ଟ୍ରାଫିକ କନେଷ୍ଟବଳ ଓ ହୋମଗାର୍ଡମାନଙ୍କୁ ସଡକ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସାର ତାଲିମ ଦେବାପାଇଁ ଯୋଜନା ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)