ଭୁବନେଶ୍ୱର : ୨୦୨୧ରେ ମଦ ପିଇ ଧରାପଡିଥିବା ଗାଡି ଚାଳକଙ୍କ ସଂଖ୍ୟା ପାଖାପାଖି ୪ ହଜାର ରହିଛି । ୨୦୨୦ ତୁଳନାରେ ଏହା ପ୍ରାୟ ୪ ଗୁଣ ଅଧିକ ।
ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦ ମସିହାରେ ୯୫୬ ଜଣ ମଦୁଆ ଡ୍ରାଇଭରଙ୍କ ବିରୋଧରେ ଇ-ଚାଲାଣ କଟାଯାଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୩୯୨୭ ହୋଇଥିଲା । ସେହିଭଳି ୨୦୨୦ରେ ୫୨୬ଜଣ ମଦୁଆ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ ହୋଇଥିବା ବେଳେ ୨୦୨୧ରେ ନିଲମ୍ବିତ ଲାଇସେନ୍ସ ସଂଖ୍ୟା ୮୧୯ ରହିଥିଲା ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ନିଶା ସେବନ କାରଣରୁ ଦୁର୍ଘଟଣା ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କର ସଡକ ସୁରକ୍ଷା କମିଟି କଡା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ମଦ ପିଇ ଧରାପଡିଥିବା ଗାଡି ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ନିଲମ୍ବନ କରାଯାଉଛି ଓ ସେମାନଙ୍କ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅଦାଲତକୁ ପଠାଇ ଦିଆଯାଉଛି । ମଦୁଆ ଗାଡି ଚାଳକଙ୍କୁ ତଦାରଖ କରିବା ପାଇଁ ପୋଲିସ ବିଭାଗ ଓ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ବ୍ରେଥ୍ ଆନାଲାଇଜର ପ୍ରଦାନ କରାଯାଉଛି ।
ରାଜ୍ୟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୦୮ ମସିହାରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୩୦୭୯ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୨୦୧୩ରେ ଏହା ୪୦୪୬ରେ ପହଞ୍ôଚଥିଲା । ୨୦୨୦ରେ ମୃତ୍ୟୁ ସଂଖ୍ୟା ୪୭୩୮ ଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୧ରେ ପହଞ୍ôଚଥିଲା । ଚଳିତବର୍ଷ ଜାନୁଆରୀରୁ ମଇ ମାସ ମଧ୍ୟରେ ରାଜ୍ୟରେ ୨୩୫୭ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କଲେଣି ।
ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ମଦୁଆ ଗାଡି ଚାଳକମାନଙ୍କୁ ନିୟନ୍ତ୍ରଣ କରିବାକୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷକରି ଦ୍ରୁତଗତିରେ ଗାଡି ଚଳାଉଥିବା ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରି ସେମାନଙ୍କ ଲାଇସେନ୍ସ ରଦ୍ଦ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି । ରାଜ୍ୟର ୫ଟି ଦୁର୍ଘଟଣାପ୍ରବଣ ରାସ୍ତାରେ ରାଜପଥ ପାଟ୍ରୋଲିଂକୁ କଡାକଡି କରାଯାଉଛି ।
୧୦ଟି ଜିଲ୍ଲା ସମେତ ପୋଲିସ କମିଶନରେଟ୍ ଇଲାକାରେ ଟ୍ରାଫିକ ଭିଡ ନିୟନ୍ତ୍ରଣ ଲାଗି ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ମୁତୟନ କରାଯାଉଛି । ରାଜ୍ୟର ଯେଉଁସବୁ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ତାହାକୁ ଚିହ୍ନଟ କରାଯିବା ସହିତ ଏଥର ଯେଭଳି ଦୁର୍ଘଟଣା ନ ଘଟିବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାର ସ୍କୁଲ ବସ୍ ପଲିସି ପ୍ରଣୟନ କରିଥିବା ବେଳେ ଆଗାମୀ ଦିନରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)