Home Excise ମଦୁଆଙ୍କ ହାରରେ ଓଡିଶା ଆଗରେ

ମଦୁଆଙ୍କ ହାରରେ ଓଡିଶା ଆଗରେ

ଭୁବନେଶ୍ୱର : ଓଡିଶାରେ ମଦୁଆଙ୍କ ହାର ଜାତୀୟ ସ୍ତର ଠାରୁ ଢେର ଅଧିକ । କ୍ରମାଗତ ଭାବେ ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ଯେଭଳି ବଢି ଚାଲିଛି ତାହାକୁ ନିୟନ୍ତ୍ରଣ କରାନଗଲେ ଓଡିଶାରେ ବିଭିନ୍ନ କିସମର ଅପରାଧ ସହିତ ନାରୀ ନିର୍ଯ୍ୟାତନା, ରୋଗ ବ୍ୟାଧି, ଦୁର୍ଘଟଣା, ଆର୍ଥି ଅନାଟନ ଆଦି ବଢିଚାଲିବା ସଂଗେ ସଂଗେ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନା ଓ ଉନ୍ନୟନ କାମରେ ଯେତେ ଅର୍ଥ ବ୍ୟୟ ହେଉଛି ସେଥିରୁ ଆଶାନୁରୂପ ଫଳ ମିଳିବ ନାହିଁ ବୋଲି ସମାଜଶାସ୍ତ୍ରୀ ଓ ଅର୍ଥନୀତିଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟରେ ମଦୁଆଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ଓଡିଶା ପରିପ୍ରେକ୍ଷୀରେ ବେଶ୍‍ ଉଦବେଗଜନକ ।

ଏହି ରିପୋର୍ଟର ତଥ୍ୟ ମୁତାବକ ଜାତୀୟ ସ୍ତରରେ ୧୫ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ଭିତରୁ ମାତ୍ର ୧.୩ ପ୍ରତିଶତ ଆଲକୋହଲ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧୮.୮ ପ୍ରତିଶତ ବୋଲି ଉଲ୍ଲେଖ ରହିଛି । ଅନ୍ୟ ପକ୍ଷରେ ୧୫ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଭିତରୁ ଓଡିଶାରେ ୪.୩ ପ୍ରତିଶତ ଆଲକୋହଲ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୨୮.୮ ପ୍ରତିଶତ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଏହି ରିପୋର୍ଟ୨୦୧୯ ରୁ ୨୦୨୧ ର ସ୍ଥିତି ଆଧାରରେ ପ୍ରସ୍ତୁତ ହୋଇଥିବାବେଳେ ଏବେ ଏହି ସଂଖ୍ୟା ଢେର ଅଧିକ ହେବବୋଲି ଆଶଙ୍କା କରାଯାଉଛି । ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡିଶା ମଦମୁକ୍ତି ଅଭିଯାନ କହୁଛି ଯେ ଓଡିଶାରେ ଏବେ ୧୫ବର୍ଷରୁ ଉର୍ଦ୍ଧ୍ୱ ବୟସର ଆଲକୋହଲ ସେବନକାରୀଙ୍କ ସଂଖ୍ୟା ପାଖପାଖି ୪୦ ପ୍ରତିଶତ ହୋଇପାରେ ।

କେବଳ ଆଲକୋହଲ ନୁହେଁ, ତମାଖୁ ସେବନ କ୍ଷେତ୍ରରେ ବି ଓଡିଶା ଜାତୀୟ ସ୍ତରଠାରୁ ଢେର ଆଗରେ ରହିଛି । ସର୍ବଭାରତୀୟ ସ୍ତରରେ ୧୫ବର୍ଷରୁ ଉର୍ଦ୍ଧ୍ୱ ବୟସର ୮.୯ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୩୮ ପ୍ରତିଶତ ରହିଛି । ଅନ୍ୟ ପକ୍ଷରେ ଏହି ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ୧୫ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳାଙ୍କ ଭିତରୁ ୨୬ ପ୍ରତିଶତ ତମାଖୁ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୫୧.୬ ପ୍ରତିଶତ ରହିଛି । ସବୁଠାରୁ ଉଦ୍‍ବେଗଜନକ ତଥ୍ୟ ହେଉଛି ଯେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ତମାଖୁ ଓ ଆଲକୋହଲ ସେବନ ହାର ଆମ ରାଜ୍ୟରେ ଅଧିକ ରହୁଛି ।

ତମାଖୁ ସେବନ ଯୋଗୁଁ ମୁଖଗହ୍ୱର କର୍କଟ ସମେତ ବିଭିନ୍ନ ରୋଗ ବଢିବାରେ ଲାଗିଛି । ମଦ ଓ ଅନ୍ୟାନ୍ୟ ନିଶା ସେବନ ଯୋଗୁଁ ବି ହୃଦ୍‍ରୋଗ ଠାରୁ ଆରମ୍ଭ କରି ଯକୃତ, ବୃକକ୍‍, ପାକସ୍ଥଳୀ, ଫୁସ୍‍ଫୁସ୍‍, ସ୍ନାୟୁ ସମେତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଥିବାରୁ ଚିକିତ୍ସା ଲାଗି ବ୍ୟକ୍ତି, ପରିବାର ଓ ସରକାରଙ୍କୁ ବର୍ଷକୁ ବର୍ଷ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।

ଆଗେ ଚୋରା ଲୁଚାରେ କିଛି ଲୋକ ନିଶା ସେବନ କରୁଥିଲେ । ଏବେ କିନ୍ତୁ ଖୋଲାଖୋଲି ଭାବେ ନିଶା ସେବନ କରିବା ସହ ନିଶାଡିମାନେ ଥାନା ଫାଣ୍ଡିରେ ବି ଯାଇ ଉତ୍ପାତ କରୁଛନ୍ତି । ଏମିତିକି ଡାକ୍ତରଖାନାରେ ବି ଡାକ୍ତରମାନେ ଏମାନଙ୍କୁ ଭୟ କରୁଛନ୍ତି । ଏ କ୍ଷେତ୍ରରେ ମହିଳା ନିଶାଡିଙ୍କ ଉତ୍ପାତ କମ୍‍ ନୁହେଁ । ତମାଖୁ, ଆଲକୋହଲ ସହିତ ଚରସ, ବ୍ରାଉନସୁଗାର, ଗଞ୍ଜେଇ ଆଦି ବିଭିନ୍ନ କିସମର ମାରାତ୍ମକ ନିଶା ଯୁବପୀଢିକୁ ଗ୍ରାସ କରିବା ସଂଗେ ସଂଗେ ପରିବାର ଓ ସମାଜକୁ ନଷ୍ଟ କରୁଥିବାବେଳେ ତମାଖୁ, ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀରୁ ସରକାରଙ୍କ ଆୟ କିନ୍ତୁ ବଢି ବଢି ଚାଲିଛି । (ତଥ୍ୟ)