ଭୁବନେଶ୍ୱର : ବାର୍ ମାନଙ୍କରେ ନାଚ ବନ୍ଦକରି ଗୀତ ବୋଲିବାପାଇଁ ସରକାର ଯେଉଁ ସର୍ତ୍ତମୂଳକ ଅନୁମତି ଦେବାକୁ ଯାଉଛନ୍ତି ସେଥିରେ ଥିବା ଅନେକ କଟକଣା ମଧ୍ୟରେ ଗୀତ ବୋଲୁଥିବା ବ୍ୟକ୍ତିଙ୍କ ଫଟୋ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଉଥିବାବେଳେ ସେମାନଙ୍କ ପୋଷାକ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନଦେବାକୁ କୁହାଯାଇଛି । ତେବେ ବାର୍ରେ ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନଙ୍କ ଡାଟାବେସ୍ ପ୍ରସ୍ତୁତ ପାଇଁ ଦାବି ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ୍ୟଶାଳା ବା ବାର୍ ଗୁଡିକରେ କେଉଁଠି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ତ ଆଉ କେଉଁଠି ରାତିସାରା ଅଶ୍ଳୀଳ ନୃତ୍ୟଗୀତ ଚାଲିବା ପରିପ୍ରେକ୍ଷୀରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବାରମ୍ବାର ଉପୁଜୁଥିବା ଘେନି ଅଭିଯୋଗ ହୋଇଆସୁଛି । କେତେକ କ୍ଷେତ୍ରରେ ନିର୍ଦ୍ଧାରିତ ସମୟସୀମା ବାହାରେ ଚାଲୁଥିବା ବାର୍ ଉପରେ ଚଢଉପାଇଁ ଯାଉଥିବା ପୁଲିସ୍ ଓ ଅବକାରୀଦଳଙ୍କୁ ବି ପାଲଟା ଆକ୍ରମଣ ହେବାର ନଜିର ରହିଛି ।
ଇତି ମଧ୍ୟରେ ରାଜ୍ୟ ସରକାର ନୀତିଗତ ଭାବେ ବାର୍ ଗୁଡିକରେ ଅଶ୍ଳିଳ ନୃତ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣ ଯୋଗୁଁ ମଦ୍ୟଶାଳାରେ ସଙ୍ଗୀତ ପରିବେଷଣ ହୋଇପାରିବ ବୋଲି କହିବା ସହିତ ଏଥିପାଇଁ ଅନେକଗୁଡିଏ ସର୍ତ୍ତ ଯୋଡିଛନ୍ତି ।
ଦୋକାନବଜାର ସାମଗୀ କିଣୁଥିବା ଗ୍ରାହକମାନଙ୍କୁ ଆଇନାନୁଯାୟୀ ଦୋକାନୀ କ୍ୟାଶ୍ ମେମୋ ଦେବାକୁ ବାଧ୍ୟ । ଏହି ବିଲ୍ ଆଧାରରେ ଦୋକାନୀ ଲୋକଙ୍କ ଠାରୁ ଜିଏସ୍ଟି ସଂଗ୍ରହକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଥାଏ । ତେବେ ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀ ଓ ବିଦେଶୀ ମଦଦୋକାନ ଏବଂ ଅଧିକାଂଶ ବାର୍ରେ ଗ୍ରାହକମାନଙ୍କୁ କିନ୍ତୁ ଦେଉଥିବା ପଇସାପାଇଁ ବିଲ୍ ଦିଆଯାଉନାହିଁ । ଯେଉଁଠି ବିଲ୍ ଦିଆଯାଉଛି ସେଠାରେ ମଦୁଆଙ୍କ ନାଁ ଓ ଠିକଣା ଉଲ୍ଲେଖ ରହୁନାହିଁ ।
ଗୋଟିଏ ପଟେ ମଦୁଆଙ୍କ ଚାହିଦା ମେଣ୍ଟାଇବାପାଇଁ ସରକାର ବିଶୁଦ୍ଧ ମଦଯୋଗାଣ ଆଳରେ ବାର୍ଷିକ ୬୦୦୦କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ କରୁଛନ୍ତି । ଅଥଚ ରାଜ୍ୟରେ କେତେ ମଦୁଆ ଅଛନ୍ତି ତାହା ଏଯାବତ୍ ଗଣାଯାଇ ପାରୁନାହିଁ । କମ୍ପ୍ୟୁଟରୀକରଣ ଯୁଗରେ ଯଦି ଠିପି ଖୋଲା ଓ ଠିପି ବନ୍ଦ ଦୋକାନରୁ ଏବଂ ବାରଗୁଡିକରୁ ମଦ କିଣୁଥିବା ଗ୍ରାହକଙ୍କ ଆଧାରକାର୍ଡ ନମ୍ବର ଭିତ୍ତିରେ ବିଲ୍ ଦିଆଯାଆନ୍ତା ତେବେ ସେଥବରେ ମଦୁଆମାନଙ୍କ ନାମ ସହଜରେ ପଞ୍ଚକରଣ ହୋଇପାରନ୍ତା ।
ବାର୍ଗୁଡିକରେ ନାଚ ଗୀତରେ ନିୟୋଜିତ କଳାକାରମାନେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି ନାହିଁ । ଏଠାକୁ ଆସୁଥିବା ମଦୁଆ ଗ୍ରାହକମାନେ ମାତାଲ ଅବସ୍ଥାରେ ବୃଦ୍ଧି ବୃତ୍ତି ହରାଇ କେତେବେଳେ ଯେ କି ପ୍ରକାରର ଅପରାଧ ଘଟାନ୍ତି ତାହା ସେମାନେ ମଧ୍ୟ ଜାଣିନଥାନ୍ତି । ଯେଉଁସବୁ ଅଞ୍ଚଳରେ ବାର୍ ଥାଏ ସେଠାରୁ ରାତି ଅଧରେ ମଦ ପିିଇ ଗାଡିଚଳାଇ ଯାଉଥିବାବେଳେ ଅବଶ୍ୟ କିଛି କିଛି ମଦୁଆ ଗାଡିଚାଳକଙ୍କୁ କମିଶନରେ ପୁଲିସ୍ ଧରିଥାଏ । କିନ୍ତୁ ସେମାନେ ବାରମ୍ବାର ଜେରିମାନା ଦେଲେ ମଧ୍ୟ ନିଶାପାନରୁ ବିରତ ହୁଅନ୍ତି ନାହିଁ ।
ଏ ପରିପ୍ରେକ୍ଷୀରେ ଅପରାଧ, ଦାରିଦ୍ର୍ୟ, ଅନଗ୍ରସରତା, ରୋଗବ୍ୟାଧି ଘଟଣା, ଆତ୍ମହତ୍ୟା ଏବଂ ବିଶେଷକରି ମହିଳା ଓ ଶିଶୁମାନଙ୍କ ପ୍ରତି ହିଂସାର ଅନ୍ୟତମ ଉତ୍ସ ନିଶାକୁ ସମ୍ପୂର୍ଣ୍ଣ ରୂପେ ନିବାରିତ କରିବାପାଇଁ ଓଡିଶା ମଦମୁକ୍ତି ଅଭିଯାନ ପ୍ରାୟ ୪ ଦଶନ୍ଧି ଧରି ଦାବିକରି ଆସୁଛି । ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାର ଘେନି ସବୁ ରାଜନୈତିକଦଳ ବୟାନବାଜି କରୁଥିବାବଳେ ଏହାର ପ୍ରମୁଖ ଉତ୍ସ ନିଶା ସେବନକୁ କିନ୍ତୁ ବେଆଇନ୍ ଘୋଷଣା କରାଯାଉନାହିଁ । ତେଣୁ ସରକାର ତୁରନ୍ତ ଥାନାୱାରୀ ମଦୁଆମାନଙ୍କ ତାଲିକା ପ୍ରସ୍ତୁତ ସଂଗେ ସଂଗେ ଆପତ୍ତିଜନକ ସ୍ଥାନଗୁଡିକରୁ ପ୍ରାଥମିକ ପର୍ଯ୍ୟାୟରେ ମଦଦେ।।ନଗୁଡିକ ବନ୍ଦ କରିବାକୁ ଦାବି ହେଉଛି । (ତଥ୍ୟ)